ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟ; ଅଧାରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି

ସୁନ୍ଦରଗଡ଼: ସୁନ୍ଦରଗଡ଼ର କେତେଜଣ ମାନ୍ୟଗଣ୍ୟ ଓ ଶିକ୍ଷାବିତଙ୍କ ଉଦ୍ୟମରେ ୧୯୮୦ରେ ସ୍ଥାପିତ ହୋଇଥିବା ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟ ସହରର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହୋଇଥିଲେ ହିଁ କ୍ରମାଗତ ଅଧାରୁ ଅଧିକ ଅଧ୍ୟାପକ ଓ କର୍ମଚାରୀଙ୍କ ପଦବୀ ଖାଲି ପଡ଼ିଥିବାରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ସରକାର ଅତିଥି ଅଧ୍ୟାପକଙ୍କୁ ନେଇ ପାଠ ପଢ଼େଇବା ପାଇଁ ସମସ୍ତ ମହାବିଦ୍ୟାଳୟକୁ ନିର୍ଦେଶ ଦେଇଥିଲେ ହେଁ ଏଥିପାଇଁ ଆବଶ୍ୟକ ପାଣ୍ଠି ନିୟମିତ ବ୍ୟବଧାନରେ ଉପଲବ୍ଧ କରାଉ ନ ଥିବାରୁ ଅତିଥି ଅଧ୍ୟାପକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରୋକ୍ଷରେ ଏହା ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅନ୍ତରାୟ ସୃଷ୍ଟି କରୁଛି। ଗୋଟିଏ ପକ୍ଷରେ ସରକାର ଆବଶ୍ୟକ ଅଧ୍ୟାପକ/ଅଧ୍ୟାପିକାଙ୍କୁ ନିଯୁକ୍ତି ଦେଉ ନ ଥିବାବେଳେ ଅନ୍ୟପକ୍ଷରେ ଯେଉଁମାନଙ୍କୁ ନେଇ କାମ ଚଳାଇବା ପାଇଁ ନିର୍ଦେଶ ଦେଉଛନ୍ତି ତାହାକୁ ମଧ୍ୟ ଠିକ ଭାବେ ପାଳନ କରୁ ନ ଥିବା ଅଭିଯୋଗ ହେଉଛି । ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟରେ +୩ ସ୍ତରରେ ୨୬ଟି ମଞ୍ଜୁରିପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକା ପଦବୀ ଥିଲେ ମଧ୍ୟ ଏଥିରୁ ଅଧାରୁ ଅଧିକ ଅର୍ଥାତ ୧୫ଟି ପଦବୀ ଖାଲି ପଡ଼ିଛି । କେବଳ ୧୧ଜଣ ଅଧ୍ୟାପକ/ଅଧ୍ୟାପିକାଙ୍କୁ ନେଇ ଶିକ୍ଷାଦାନ ପ୍ରକ୍ରିୟା ଜାରି ରହିଛି । ସେହିପରି +୨ ସ୍ତରରେ ୧୩ଟି ମଞ୍ଜୁରିପ୍ରାପ୍ତ ଅଧ୍ୟାପକ/ଅଧ୍ୟାପିକା ପଦବୀ ଥିଲେ ହିଁ ଏଥିରୁ ୫ଟି ପଦବୀ ଖାଲି ରହିଛି । ସେହିପରି ମହାବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀଙ୍କ ମଞ୍ଜୁରିପ୍ରାପ୍ତ ପଦବୀ ସଂଖ୍ୟା ୧୭ ରହିଥିଲାବେଳେ ୧୦ଟି ପଦବୀ ଖାଲି ପଡ଼ିଛି। ଆସନ୍ତା ନଭେମ୍ବରରେ ଆଉ ଜଣେ କର୍ମଚାରୀ ଅବସର ଗ୍ରହଣ କରିବାକୁ ଯାଉଥିବା ଜଣାପଡ଼ିଛି।

ସୁନ୍ଦରଗଡ଼ ଓ ଆଖପାଖ ଅଞ୍ଚଳର ମେଧାବୀ ଓ ଆଦିବାସୀ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇ ଏହି ମହାବିଦ୍ୟାଳୟଟି ସ୍ଥାପନ କରାଯାଇଥିଲେ ହେଁ ଦୀର୍ଘ ୪୦ବର୍ଷ ପରେ ବି ବିଭିନ୍ନ ସମସ୍ୟା ଲାଗି ରହିଛି। ୧୯୮୦ରେ ସ୍ଥାନୀୟ ବୀରମିତ୍ରପୁର କ୍ଲବ ପରିସରରେ କେତୋଟି କଠୋରୀକୁ ନେଇ ଏହି ମହାବିଦ୍ୟାଳୟ ଆରମ୍ଭ ହେବା ସହ ୫/୬ବର୍ଷ ଧରି ଏହି କଠୋରୀରେ ପାଠପଢ଼ା ଚାଲିଥିଲା। ତତ୍କାଳୀନ ପୂର୍ବତନ ମନ୍ତ୍ରୀ, ବାଚସ୍ପତି ତଥା ସୁନ୍ଦରଗଡ଼ ବିଧାୟକ କିଶୋର ପଟେଲ ଓ ଆଉ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଶିକ୍ଷାବିତଙ୍କ ଅକ୍ଲାନ୍ତ ଉଦ୍ୟମରେ ଏହି ମହାବିଦ୍ୟାଳୟଟି ଧୀରେ ଧୀରେ ଆଗେଇ ଚାଲିଥିଲା ମାତ୍ର ସରକାରଙ୍କ ଆନ୍ତରିକ ଉଦ୍ୟମ ଓ ସହଯୋଗର ଅଭାବରୁ ଏହାର  ଆଶାନୁରୂପ ବିକାଶ ହୋଇ ପାରିନାହିଁ ବୋଲି ସୁନ୍ଦରଗଡ଼ର ବହୁ ବୁଦ୍ଧିଜୀବି ମତ ଦେଇଛନ୍ତି । ଏ ସଂପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଇନ୍ଦିରା ନାଇକଙ୍କୁ ପଚରାଯିବାରୁ ମହାବିଦ୍ୟାଳୟର ସମସ୍ତ ସମସ୍ୟା ସରକାରଙ୍କ ନଜରକୁ ନିୟମିତ ବ୍ୟବଧାନରେ ଅଣାଯାଉଛି ଏବଂ ଶିକ୍ଷାଦାନ ପ୍ରକ୍ରିୟା ଠିକ୍‌ ଓ ଶୃଙ୍ଖଳିତ ଢ଼ଙ୍ଗରେ ଚାଲିଛି ବୋଲି କହିଥିଲେ। ଅପରପକ୍ଷରେ ସହରର ଜଣାଶୁଣା ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଫେସର ଗୌରୀଶଙ୍କର ପଟେଲ କୁହନ୍ତି, ମହାବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ/ଅଧ୍ୟାପିକାଙ୍କ ପଦବୀ ପୂରଣ ରହିବା ନିହାତି ଜରୁରୀ। ଏହା ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ପ୍ରମୁଖ ଅଂଶ। ମାତ୍ର ବହୁ ମହାବିଦ୍ୟାଳୟରେ ଅଧ୍ୟାପକ/ଅଧ୍ୟାପିକା ପଦବୀ ଖାଲି ରହୁଥିବାରୁ ସରକାରଙ୍କ ନିର୍ଦେଶନାମା ଅନୁସାରେ ଅତିଥି ଅଧ୍ୟାପକ(ଗେଷ୍ଟ ଫାକଲ୍‌ଟି)ଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇ କାର୍ଯ୍ୟ ଚଳାଇ ଦିଆଯାଉଥିଲେ ମଧ୍ୟ ଏମାନେ ପାଉଥିବା ପ୍ରାରିଶ୍ରମିକ କମ ହୋଇଥିବା ବେଳେ ତାହା ମଧ୍ୟ ନିୟମିତ ରୂପରେ ମିଳୁନାହିଁ। ଫଳରେ ସେମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ଲାଗି ରହିଛି । ଏମାନଙ୍କ ପାରିଶ୍ରମିକ ବୃଦ୍ଧି ଓ ନିୟମିତ ରୂପ​‌ରେ ପ୍ରଦାନ କଲେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅଧିକ ସହାୟକ ହେବ।ସରକାର ସ୍ବାସ୍ଥ୍ୟ ଓ ପ୍ରଶାସନିକ ବିଭାଗରେ ଯେପରି ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ନିଯୁକ୍ତି ଦେଇ କାମ ଚଳାଉଛନ୍ତି, ଠିକ ସେହିପରି ଅବସରପ୍ରାପ୍ତ ପ୍ରଫେସର ଓ ଅଧ୍ୟାପକମାନଙ୍କୁ ସୁଯୋଗ ଦେବା ଉଚିତ।

Comments are closed.