ଟ୍ରମ୍ପଙ୍କ ଟ୍ୱିଟ୍‍କୁ ନେଇ ଫ୍ରାନ୍ସ ଖପ୍ପା; କହିଲା ଆମ ମାମଲାରେ ମୁଣ୍ଡ ଖେଳାନି

0

ୱାଶିଂଟନ : ଫ୍ରାନ୍ସରେ ଦରଦାମ ଏବଂ ଟିକସ୍‍ ବୃଦ୍ଧି ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟ୍‍ର କଡ଼ା ଜବାବ ଦେଇଛନ୍ତି ଫ୍ରାନ୍ସ ସରକାର। ତାଙ୍କ ଦେଶ ମାମଲାରେ ମୁଣ୍ଡ ନଖେଳାଇବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ଫ୍ରାନ୍ସ ସରକାର ପରାମର୍ଶ ଦେବା ସହ ଏଥିରୁ ଦୂରରେ ରହିବାକୁ କହିଛନ୍ତି। ପ୍ରକାଶଯୋଗ୍ୟ ଯେ ଫ୍ରାନ୍ସରେ ଦରଦାମ ବୃଦ୍ଧି ବିରୋଧରେ ଚାଲିଥିବା ‘ୟଲୋ ୱେଷ୍ଟ ଆନ୍ଦୋଳନ’କୁ ନେଇ ଟ୍ରମ୍ପ ଟ୍ୱିଟ୍‍ କରିଥିଲ। ଏଥିରେ ସେ ଫ୍ରାନ୍ସ ସରକାର ଓ ପାରିସ୍‍ ଜଳବାୟୁ ପରିବର୍ତ୍ତନ ବୁଝାମଣାକୁ ସମାଲୋଚନା କରିଥିଲେ।
ଏହାକୁ ନେଇ ଫ୍ରାନ୍ସ ବିଦେଶ ମନ୍ତ୍ରୀ ଜୋନ ୱେସ୍‍ ଦ୍ରୟାଁ ରବିବାର କହିଛନ୍ତି ଯେ ଆମେ ଆମେରିକାର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁନାହୁଁ। ତେଣୁ ଆଶା କରୁଛୁ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ରାନ୍ସ ମାମଲାରେ ମୁଣ୍ଡ ଖେଳାଇବେ ନାହିଁ ଓ ଦୂରରେ ରହିବେ।
ଟ୍ରମ୍ପ ଶନିବାର ନିଜ ଟ୍ୱିଟ୍‍ରେ ଲେଖିଥିଲେ ଯେ ପାରିସରେ ବହୁତ ଦୁଃଖରେ ଲୋକଙ୍କ ଦିନ ଏବଂ ରାତି କଟୁଛି। ଫ୍ରାନ୍ସରେ ଆନ୍ଦୋଳନ ଓ ପୋଡ଼ାଜଳା ଚାଲିଛି। ପାରିସ୍‍ ବୁଝାମଣା ପାରିସ୍‍ ପାଇଁ କିଛି ଭଲ କାର୍ଯ୍ୟ କରୁନାହିଁ। ତେଣୁ ପାରିସ୍‍ ବୁଝାମଣାକୁ ରଦ୍ଦ କରିଦେବା ଆବଶ୍ୟକ ଏବଂ କମ୍‍ ଟିକସ୍‍ ଦ୍ୱାରା ଲୋକଙ୍କୁ ତାଙ୍କ ଅର୍ଥ ଫେରସ୍ତ କରାଯିବା ଉଚିତ୍‍। ଏହାକୁ ନେଇ ଫ୍ରାନ୍ସ ସରକାର ଦୃଢ ପ୍ରତିକ୍ରିୟା ରଖିଛନ୍ତି।

Leave A Reply