ପୁରାତନ ଅର୍ଥନୀତିକୁ ଅବଲୋକନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି: ଅଂଶୁମାନ ତିୱାରୀ

ଭୁବନେଶ୍ୱର : ପ୍ରାଚୀନ ଭାରତରେ ବ୍ୟବସାୟ ଓ ଧର୍ମ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିଲା। ବ୍ରିଟିଶ ଶାସନର ବହୁ ଦଶନ୍ଧି ପୂର୍ବରୁ ଭାରତରେ ପ୍ରଚଳିତ ସମାନ୍ତରାଳ ଅର୍ଥନୈତିକ ବ୍ୟବସ୍ଥା ଆରମ୍ଭ ହୋଇଥିଲା, ଯାହା ନା କେବଳ ସମୃଦ୍ଧି ଆଣିଥିଲା; ବରଂ ଅନ୍ୟ ଧର୍ମକୁ ଦେଶରେ ପ୍ରବେଶ ପାଇଁ ପଥ ପରିଷ୍କାର କରିଥିଲା ବୋଲି ଇଣ୍ଡିଆ ଟୁଡେ (ହିନ୍ଦୀ) ପତ୍ରିକାର ସମ୍ପାଦକ ତଥା ’ଲକ୍ଷ୍ମୀନାମା’ ପୁସ୍ତକର ଲେଖକ ଅଂଶୁମାନ ତିୱାରୀ କହିଛନ୍ତି।
ଶୁକ୍ରବାର ସିୱାଇଏସ୍‌ଡି ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ନିଜ ପୁସ୍ତକ ସମ୍ପର୍କରେ ସୂଚନା ଦେଇ ଶ୍ରୀ ତିୱାରୀ କହିଥିଲେ ପୁରାଣ ରଚନା ସମୟରେ ଆମ ଦେଶରେ ବାଣିଜ୍ୟ କାରବାର ଏବଂ ତତ୍‌ଜନିତ ଅର୍ଥନୈତିକ ଅଭିବୃଦ୍ଧି ଉତ୍ସାହଜନକ ଥିଲା। ଅନ୍ୟ ଦେଶର ଭିନ୍ନ ଭିନ୍ନ ଧର୍ମର ପୁଞ୍ଜିପତି ଭାରତକୁ ବ୍ୟବସାୟ ପାଇଁ ଆସୁଥିଲେ ଏବଂ ଏହା ଏଠାକାର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଥିଲା। ପରିଣାମ ସ୍ବରୂପ, ଆମ ଦେଶରେ ଅନ୍ୟ ଧର୍ମ ପ୍ରତି ସକାରାତ୍ମକ ଚିନ୍ତାଧାରା ରହିଥିଲା। ୟୁରୋପ ସମେତ ସମଗ୍ର ବିଶ୍ବରେ ପୁରାତନ ଭାରତୀୟ ଅର୍ଥନୀତି ଗ୍ରହଣୀୟ ହୋଇପାରି ଥିଲା। ଭାରତୀୟ ସଂସ୍କୃତି, ପରମ୍ପରା, ଭାବନାକୁ ବିଶ୍ବଦରବାରରେ ପହଞ୍ଚାଇବାରେ ବୌଦ୍ଧ ଭିକ୍ଷୁ ଏବଂ ଧାର୍ମିକ ବ୍ୟକ୍ତିଙ୍କ ପ୍ରମୁଖ ଭୂମିକା ରହିଥିଲା।
ତେବେ ସମ୍ପ୍ରତି ଅର୍ଥ ବ୍ୟବସ୍ଥାରେ ଘୋର ବ୍ୟତିକ୍ରମ ଦେଖା ଦେଇଛି। ଗତ ୪ ବର୍ଷ ମଧ୍ୟରେ ହଜାର ହଜାର ସଂଖ୍ୟାରେ ପୁଞ୍ଜିପତି ଭଲ ବ୍ୟବସାୟ ଆଶାରେ ଦେଶ ବାହାରକୁ ଚାଲି ଯାଉଛନ୍ତି। ତେଣୁ ପୁଣିଥରେ ଏହି ଆର୍ଥିକ ବ୍ୟବସ୍ଥାକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ତିୱାରୀ କହିଛନ୍ତି।
ପୁସ୍ତକର ସହ ଲେଖକ ଅନିନ୍ଦ୍ୟ ସେନଗୁପ୍ତା କହିଥିଲେ ଯେ ଉତ୍କଳୀୟ କାରୁକାର୍ଯ୍ୟ, ସ୍ଥାପତ୍ୟ, ଭାସ୍କର୍ଯ୍ୟ ବେଶ୍‌ ସମୃଦ୍ଧ। ନୌବାଣିଜ୍ୟ ପରମ୍ପରା ଦ୍ବାରା ଓଡ଼ିଶାର ବିଶେଷତ୍ବ ଇଣ୍ଡୋନେସିଆ ସମେତ ଅନ୍ୟ ଦେଶରେ ପହଞ୍ଚି ପାରିଥିଲା।
ଓଡ଼ିଶାରୁ ବହୁ ମୂଲ୍ୟବାନ ସାମଗ୍ରୀ ବାହାରକୁ ରପ୍ତାନୀ କରିବା ସହ ମସଲା ସମେତ ବହୁ ଦୁର୍ଲଭ ସାମଗ୍ରୀ ଏଠାକୁ ଅଣାଯାଉ ଥିଲା। ଏହା ପୂର୍ବ ଭାରତ ପାଇଁ ଅଭିବୃଦ୍ଧି ହାସଲରେ ସହାୟକ ହୋଇଥିଲା ବୋଲି ସେ କହିଛନ୍ତି।
ସିୱାଇଏସ୍‌ଡିର ପ୍ରତିଷ୍ଠାତା ଜଗଦାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସହ ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ସାହୁ, ସାମ୍ବାଦିକ ରାଜେଶ ମହାପାତ୍ରଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Comments are closed.