ସ୍ୱାମିଜୀଙ୍କ ଶ୍ରାଦ୍ଧୋତ୍ସବ ପାଳିତ

0

ଫୁଲବାଣୀ : କଡା ସୁରକ୍ଷା ବଳୟରେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଓ ଜନ୍ମାଷ୍ଟମୀ ପର୍ବ ପାଳିତ ହୋଇଯାଇଛି। ଚକାପାଦ ଓ ତୁମୁଡିବନ୍ଧସ୍ଥିତ ଜଲେସପଟା ଆଶ୍ରମ ସମେତ ଜିଲାର ବିଭିନ୍ନ ଗାଁ ଗଣ୍ଡାରେ ଅନୁଗାମୀ, ଶ୍ରଦ୍ଧାଳୁ ଓ ଭକ୍ତଗଣ ସ୍ୱାମୀଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଜିଲାର ଶତାଧିକ ଗ୍ରାମରେ ରହିଥିବା ଭଜନ ମଣ୍ଡଳୀ ସ୍ୱାମୀଜୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଦୀପଦାନ କରିଛନ୍ତି। ହରିନାମ ସଂକୀର୍ତ୍ତର୍ନ କରି ମନେପକାଇଛନ୍ତି ସ୍ୱାମୀଜୀଙ୍କ ବଳିଦାନକୁ। ଆଜି ଧର୍ମ ରକ୍ଷା ଦିବସ ଭାବେ ପାଳନ କରିଛନ୍ତି ଜିଲାର ଅଗଣିତ ଅନୁଗାମୀ।
ଗତକାଲିଠାରୁ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା ଆସନ୍ତାକାଲି ରାତିଯାଏଁ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସପି ପ୍ରତୀକ ସିଂ। ଆସନ୍ତାକାଲି ନନ୍ଦୋତ୍ସବ। ଜିଲା ଓ ଜିଲା ବାହାରୁ ଆସିଥିବା ଅନୁଗାମୀ ଆଜି ରାତିରେ ଜନ୍ମାଷ୍ଟମୀ ପର୍ବ ପାଳନ କରିବେ। ଜିଲାରେ ଦଶ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଦୁଇଜଣ ଅତିରିକ୍ତ ଏସପି, ୭ଜଣ ଡିଏସପି ଓ ୧୨ଜଣ ଇନିସ୍ପେକ୍ଟର ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି। ଗାଡିମୋଟର ଯାଞ୍ଚ, ନାକାବନ୍ଦୀ ସହିତ କମ୍ବିଂ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି। ଏହା ସହିତ ସିଆରପିଏଫ,ଏସଓଜି ଓ ଡିବିଏଫ ଯବାନ ଓ ପୋଡୋଶୀ ଜିଲାରୁ ଆସିଥିବା ୫ ପ୍ଲାଟୁନ ଫୋର୍ସକୁ ମଧ୍ୟ ସଜାଗ ରଖାଯାଇଛି। ଆଜି ସାରା ଜିଲାରେ ଶାନ୍ତି ଓ ଶୃଙ୍ଖଳାର ସହିତ ସ୍ୱାମୀଜୀଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଥିବାରୁ ପ୍ରଶାସନ ମଧ୍ୟ ଆଶ୍ୱସ୍ତ ହୋଇଛି।

Leave A Reply