ଅଦାଲତ ପରିସର ଆନ୍ଦୋଳନର ସ୍ଥାନ ନୁହେଁ

ଆଇନଜୀବୀଙ୍କ କୋର୍ଟ ବର୍ଜନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

-ଅଦାଲତ ଅଚଳାବସ୍ଥାକୁ ସହ୍ୟ କରାଯାଇ ପାରିବ ନାହିଁ: ସର୍ବୋଚ୍ଚ ନ୍ୟାୟାଳୟ
-ବଲାଙ୍ଗୀର, ଲୋଇସିଙ୍ଗା ଓ ପାଟଣାଗଡ଼ ଅଦାଲତ ଅଚଳାବସ୍ଥା ନେଇ ଅସନ୍ତୋଷ
-ଆନ୍ଦୋଳନକାରୀଙ୍କ ବିରୋଧରେ ବିସିଆଇ କାର୍ଯ୍ୟାନୁଷ୍ଠାନ ନେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଯୋଗୁଁ ବିଚାର ବ୍ୟବସ୍ଥାରେ ସୃଷ୍ଟି ଅଚଳାବସ୍ଥାକୁ କୌଣସି ପରିସ୍ଥିତିରେ ସହ୍ୟ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ଅଦାଲତ ଅଚଳାବସ୍ଥାକୁ ଦୂର କରିବା ପାଇଁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବାକୁ ବାର କାଉନସେଲ ଅଫ ଇଣ୍ଡିଆ (ବିସିଆଇ)କୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ହାଇକୋର୍ଟ ବାର ଆସୋସେସନ ଆନ୍ଦୋଳନ ପ୍ରତ୍ୟାହାର ପରେ ଓଡ଼ିଶା ହାଇକୋର୍ଟରେ ଅଚଳାବସ୍ଥା ଦୂର ହେବା ଏବଂ କୋର୍ଟ କାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ଶୁକ୍ରବାର ଶୁଣାଣିରେ ଖୁସି ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ ବିଚାରପତି ସଞ୍ଜୟ କିଷନ କୌଲ ଓ ବିଚାରପତି କେ ଏମ ଯୋଶେଫଙ୍କ ଖଣ୍ଡପୀଠ। ଆଇନଜୀବିଙ୍କ କୋର୍ଟ ବର୍ଜନ ତଥା ଆନ୍ଦୋଳନ ଯୋଗୁଁ ଅଦାଲତର ମୁଲ୍ୟବାନ ସମୟ ନଷ୍ଟ ହେଉଥିବାରୁ ଭବିଷ୍ୟତରେ ପ୍ରତିବାଦ ପାଇଁ ଅନ୍ୟ କୌଣସି ପନ୍ଥା ଗ୍ରହଣ କରିବାକୁ ବିଚାରପତି ସଞ୍ଜୟ କିଷନ କୌଲ ପରାମର୍ଶ ଦେଇଛନ୍ତି। ଆନ୍ଦୋଳନ ଯୋଗୁଁ ଅଧିକାଂଶ ଓକିଲଙ୍କ ରୋଜଗାର ଓ ଦାନାପାଣି ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି; ଏପରିକି ମହକିଲମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ଏବଂ ବିଚାର ବ୍ୟବସ୍ଥା ସଂପୂର୍ଣ୍ଣ ସ୍ଥାଣୁ ପାଲିଟି ଯାଉଛି। ଭବିଷ୍ୟତରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଓକିଲଙ୍କୁ ବିଚାରପତି ସଞ୍ଜୟ କିଷନ କୌଲ ତାଗିଦ କରିବା ସହ କିପରି ସବୁ ଅଦାଲତ ଚାଲୁ ରହିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ପ୍ରସଙ୍ଗରେ ଦାବି ହାସଲ ପାଇଁ ବାରମ୍ବାର ଅଦାଲତ ବର୍ଜନ କରିବା ପ୍ରତିବଦଳରେ ସଡ଼କରେ ଆନ୍ଦୋଳନ କରି ଆଇନଜୀବୀ ଦାବି ହାସଲ କରିବାକୁ ବିଚାରପତି ସଞ୍ଜୟ କିଷନ କୌଲ ଟିପ୍ପଣୀ କରିଥିଲେ। ଓଡ଼ିଶାର ବିଭିନ୍ନ ଅଦାଲତରେ ଓକିଲଙ୍କ ବାରମ୍ବାର ଆନ୍ଦୋଳନ ଯୋଗୁଁ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି ଦର୍ଶାଇ ହାଇକୋର୍ଟରେ ଏଭଳି ଅଚଳାବସ୍ଥା ଲାଗି ରହୁଥିବା ବେଳେ ଜିଲା ଓ ଅନ୍ୟାନ୍ୟ ଅଦାଲତ ଗୁଡ଼ିକରେ କ’ଣ ପରିସ୍ଥିତି ରହିଥିବ ସେଥିରୁ ଜଣାପଡ଼ୁଛି ବୋଲି ବିଚାରପତି ସଞ୍ଜୟ କିଷନ କୌଲ ଟିପ୍ପଣୀ କରିଥିଲେ। ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ସତ୍ୟପାଠ ଅନୁଯାୟୀ କେବଳ ହାଇକୋର୍ଟରେ ଗତ ୨୦୧୮ରେ ୬୫.୫ଟି ଏବଂ ୨୦୧୯ରେ ୩୧ ଅକ୍‍ଟୋବର ସୁଦ୍ଧା ୧୮ଟି କାର୍ଯ୍ୟ ଦିବସ ନଷ୍ଟ ହୋଇଛି। ଚଳିତ ବର୍ଷ ଅଦାଲତ ବର୍ଜନ ଆନ୍ଦୋଳନ ଫଳରେ ମୁଖ୍ୟ ବିଚାରପତିଙ୍କ କୋର୍ଟର ୫୨ଟି କାର୍ଯ୍ୟ ଦିବସ, ବିଚାରପତି ସଞ୍ଜୁ ପଣ୍ଡା ଓ ବିଚାରପତି ଏସ କେ ମିଶ୍ରଙ୍କ ଅଦାଲତର ୧୮ଟି ଲେଖାଏଁ କାର୍ଯ୍ୟ ଦିବସ ନଷ୍ଟ ହୋଇଛି। ୨୦୧୯ରେ ବଲାଙ୍ଗୀର ଜିଲା ଅଦାଲତ, ପାଟଣାଗଡ଼ ଓ ଲୋଇସିଙ୍ଗା ଭଳି ଅଦାଲତରେ ଗୋଟିଏ ଦିନ ମଧ୍ୟ କୋର୍ଟ କାର୍ଯ୍ୟ ନଚାଲିବା ଘଟଣାରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ଆଠମଲ୍ଲିକ ଭଳି ୧ ଅଦାଲତରେ ୨୦୪ଟି କାର୍ଯ ଦିବସରୁ ୯୮.୫ ଦିନ ବନ୍ଦ ରହିବା ନେଇ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ବହୁ ଅଦାଲତରେ ଶହେ କାର୍ଯ୍ୟ ଦିବସରୁ ଊର୍ଦ୍ଧ୍ବ ସମୟ ଆନ୍ଦୋଳନ କାରଣରୁ ନଷ୍ଟ ହେବା ନେଇ ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଯଦି ଏସବୁ ସ୍ଥାନରେ ଅଦାଲତ ଚାଲୁ ନାହିଁ; ସେଭଳି ସ୍ଥିତିରେ ଜନତାଙ୍କ ସୁବିଧା ପାଇଁ ଏସବୁ ଅଦାଲତ ଗୁଡ଼ିକର କାର୍ଯ୍ୟକୁ ନିକଟବର୍ତ୍ତୀ ଅନ୍ୟ ଅଦାଲତକୁ କାହିଁକି ସ୍ଥାନାନ୍ତର କରାଯିବ ନାହିଁ ବୋଲି ବିଚାରପତି ସଞ୍ଜୟ କିଷନ କୌଲ ପ୍ରଶ୍ନ କରିଥିଲେ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟରୁ ଯାହା ଜଣାପଡ଼ୁଛି ଓଡ଼ିଶାର ବହୁ ଅଦାଲତରେ ବିଚାରବ୍ୟବସ୍ଥା ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିଛି ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ କରିଥିଲେ। ଦର୍ଶାଇଥିଲେ ଯେ ଏଭଳି ଲଗାତାର ଆନ୍ଦୋଳନ ଯୋଗୁଁ ଯୁବ ଆଇନଜୀବି କ’ଣ ଶିକ୍ଷା ଲାଭ କରିବେ। ଯେତେବେଳେ ଜିଲା ଅଦାଲତ ଗୁଡ଼ିକର ଭିତ୍ତିଭୂମିର ଉନ୍ନତିକରଣ ପାଇଁ ସୁପ୍ରିମକୋର୍ଟ ଉଦ୍ୟମରତ ଅଛନ୍ତି ସେତେବେଳେ ବର୍ଷତମାମ ଅଦାଲତ କାର୍ଯ୍ୟ ବନ୍ଦ କରି ଓକିଲ ମାନେ କ’ଣ ହାସଲ କରିବେ ଏବଂ ଏଥିରେ ମହକିଲଙ୍କ ଦୋଷ ରହିଲା କେଉଁଠି ? ଯଦି ଆନ୍ଦୋଳନକାରୀ ଓକିଲ କାମ କରିବାକୁ ଚାହୁଁ ନାହାନ୍ତି ସେଭଳି ସ୍ଥିତିରେ ସେମାନଙ୍କ ଓକିଲାତି ଲାଇସେନସ କାହିଁକି ରହିବ ବୋଲି ବିଚାରପତି ସଞ୍ଜୟ କିଷନ କୌଲ ବାର କାଉନସେଲ ଅଫ ଇଣ୍ଡିଆ ଠାରୁ ଜାଣିବାକୁ ଚାହିଁଥିଲେ। ଏପରିକି ଆନ୍ଦୋଳନକାରୀ ଓକିଲଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାର କାଉନସେଲ ଅଫ ଇଣ୍ଡିଆକୁ କିଏ ରୋକିଛି ବୋଲି ଖଣ୍ଡପୀଠ ପଚାରିଥିଲେ। ଏହି ପ୍ରସଙ୍ଗରେ ବିସିଆଇ ଏବଂ ଅନ୍ୟ ବାର ଆସୋସିଏସନ ଗୁଡ଼ିକ ଠୋସ ପ୍ରସ୍ତାବ ଦେଲେ ଦେଶର ବିଭିନ୍ନ ଭାଗରେ କୋର୍ଟ ବର୍ଜନ ଯୋଗୁଁ ସୃଷ୍ଟି ଅଚଳାବସ୍ଥା ଦୂର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏକ ନିର୍ଦେଶନାମା ଜାରି କରିବେ ବୋଲି ବିଚାରପତି ସଞ୍ଜୟ କିଷନ କୌଲ ସ୍ପଷ୍ଟ କରିଥିଲେ। ଅଦାଲତର ଅଚଳାବସ୍ଥା ଦୂର କରିବାକୁ ବାର କାଉନସେଲ ଅଫ ଇଣ୍ଡିଆ ନିଜ ଆଡ଼ୁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଆଗ୍ରହ ପ୍ରକାଶ କରିଥିଲେ। ମାମଲାର ଶୁଣାଣି ବେଳେ ବାର କାଉନେସଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା ଆଡ଼ଭୋକେଟ ମନନ ମିଶ୍ର ଦର୍ଶାଇଥିଲେ ତୁରନ୍ତ କୋର୍ଟ ବର୍ଜନ ଆନ୍ଦୋଳନ ସମାପ୍ତ କରି କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ଓଡ଼ିଶାର ଆନ୍ଦୋଳନକାରୀ ବାର ଆସୋସିଏସନ ଗୁଡ଼ିକୁ ଜଣାଇ ଦିଆଯାଇ ଥିଲା। ଅଦାଲତ କାର୍ଯ୍ୟ ସୁରୁଖୁରୁରେ ଚାଲିବା ପାଇଁ ବରିଷ୍ଠ ଆଇନଜୀବି ମାନେ ନିଜ ଆଡ଼ୁ ଉଦ୍ୟମ କରିବା ଆବଶ୍ୟକ। କେବଳ ଓଡ଼ିଶାରେ ନୁହେଁ; ହାଇକୋର୍ଟ ବେଞ୍ଚ ଦାବୀରେ ଉତ୍ତରପ୍ରଦେଶର କେତେକ ଜିଲାରେ ଓକିଲ ଆନ୍ଦୋଳନ କରୁଛନ୍ତି ବୋଲି ସୁପ୍ରିମକୋର୍ଟଙ୍କୁ ଆଡଭୋକେଟ ମନନ ମିଶ୍ର ଅବଗତ କରାଇଥିଲେ। ହାଇକୋର୍ଟ ବାର ଆସୋସେସନ ପକ୍ଷରୁ ଆଡଭୋକେଟ ବିକାଶ ସିଂ ଦର୍ଶାଇଥିଲେ ଯେ ଓଡ଼ିଶା ହାଇକୋର୍ଟରେ ଏବେ ମଞ୍ଜୁରପ୍ରାପ୍ତ ବିଚାରପତି ପଦରୁ ମାତ୍ର ଅଧା ବିଚାରପତି କାର୍ଯ୍ୟରତ ଅଛନ୍ତି। ବିଚାରପତି ପଦ ଖାଲି ହେବାର ଦୁଇ ମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରି ଛଅ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ଆଡଭୋକେଟ ସିଂ ପ୍ରସ୍ତାବ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦେଶ ମୁତାବକ ଆଜି ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟ ବାର ଆସୋସେସନର ସଭାପତି ଆଡଭୋକେଟ ଗୋପାଳ ମହାନ୍ତି ଏବଂ ଓଡ଼ିଶା ବାର କାଉନସେଲର ତତ୍କାଳୀନ ଅଧ୍ୟକ୍ଷ ଆଡ଼ଭୋକେଟ ମାନସ ରଞ୍ଜନ ମହାପାତ୍ର କୋର୍ଟ ରୁମରେ ଉପସ୍ଥିତ ରହିଥିଲେ।

Comments are closed.