ହାଇକୋର୍ଟରେ ପୁଲିସ-ଆଇନଜୀବୀ ବିବାଦ ; ନିଲମ୍ବନ ପ୍ରତ୍ୟାହାର ଉପରେ ରହିତାଦେଶ

0

କଟକ : ଆଇନଜୀବୀଙ୍କୁ ପୁଲିସର ଆକ୍ରମଣ ଘଟଣାରେ ଶୁକ୍ରବାର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ ଝାଭେରୀ ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କ ଖଣ୍ଡପୀଠ ଶୁଣାଣି କରିଥିବାବେଳେ କ୍ରାଇମବ୍ରାଞ୍ଚ ରିପୋର୍ଟ ଆଜି ମଧ୍ୟ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାରେ ବିଫଳ ହୋଇଛି। ଫଳରେ କୋର୍ଟ ଶୁଣାଣିକୁ ଆସନ୍ତାକାଲି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। କେବେ ସୁଦ୍ଧା ତଦନ୍ତ ଅଧିକାରୀ ରିପୋର୍ଟ ଦାଖଲ କରିବେ ସେ ନେଇ ସ୍ପଷ୍ଟ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲା ବିଚାରାଧୀନ ଥିବାରୁ ପୁଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଉପରେ କୋର୍ଟ ଅଙ୍କୁଶ ଲଗାଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିଲମ୍ବନ ବଳବତ୍ତର ରହିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି। ଏହି ମାମଲାରେ କୋର୍ଟ ପୂର୍ବରୁ ଶୁଣାଣି କରି ତଦନ୍ତର ଅନୁଧ୍ୟାନ ପାଇଁ ହାଇକୋର୍ଟ କାର୍ଯ୍ୟରତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସର ମାଡ଼ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ସହ ଆକ୍ରମଣକାରୀ ପୁଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନଷ୍ଠାନ ଲାଗି ପ୍ରାର୍ଥନା କରାଯାଇଛି। ସେହିପରି କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶ ଚନ୍ଦ୍ର ଜେନାଙ୍କ ଦାୟର ମାମଲାରେ ଘଟଣାର ସିବିଆଇ ସହ ଖ୍ୟାତି ହରାଇଥିବା ଆଇନଜୀବୀ ଦେବୀପ୍ରସାଦଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନପତ୍ରରେ ପ୍ରାର୍ଥନା କରାଯାଇଛି।
ଅନ୍ୟପକ୍ଷରେ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଜି ବୈଠକ ବସି ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି। ରବିବାର ସଂଧ୍ୟାରେ ଡିଜିପିଙ୍କ ସହ ବାର କର୍ମକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଂପର୍କରେ ବୈଠକରେ ଚର୍ଚ୍ଚା କରାଯାଇଥିଲା। ଏପରିକି ଆଜିର କୋର୍ଟ ନିର୍ଦ୍ଦେଶନାମା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ତେବେ ଆସନ୍ତା ବୁଧବାର ଦିନ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ବାର ସଂପାଦକ ଶ୍ରୀ ସତ୍ୟବ୍ରତ ମହାନ୍ତି କହିଛନ୍ତି। ଆଜିର ବୈଠକରେ ବାର ସଭାପତି ଶ୍ରୀକାନ୍ତ କୁମାର ନାୟକ ପୌରହିତ୍ୟ କରିଥିବାବେଳେ ବାରର ସମସ୍ତ କର୍ମକର୍ତ୍ତାଙ୍କ ସମେତ କଟକ ବାର ଆସୋସିଏସନ ସଂପାଦକ ନରେଶ ଜେନା, କ୍ରିମିନାଲ କୋର୍ଟ୍ସ ବାର ସଭାପତି ଅକ୍ଷୟ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ। ଇତିମଧ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ ୭୬ ଦିନରେ ପହଞ୍ଚିଛି।

Leave A Reply