ଆଇନଜୀବୀଙ୍କୁ ମାଡ଼ ଘଟଣା : ଅଧିବକ୍ତା ପରିଷଦ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

0

ଭୁବନେଶ୍ବର :  କଟକରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ନିର୍ଯାତନା ଏବଂ ବର୍ବୋରୋଚିତ ମାଡ଼ ମରାଯିବା ଘଟଣାରେ ବର୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏହି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କରି ଅଧିବକ୍ତା ପରିଷଦ, ଓଡ଼ିଶା ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଆଇନଜୀବୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ୪ ଜଣ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ପରିଷଦ ପକ୍ଷରୁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି।
ପରିଷଦ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି ଯେ ଗତ ୨୮.୮.୨୦୧୮ ତାରିଖରେ ପୋଲିସ ପେଟ୍ରୋଲିଂ ଭ୍ୟାନରେ ଡ୍ୟୁଟି କରୁଥିବା ୪ ଜଣ ପୋଲିସ କର୍ମଚାରୀ ଅତ୍ୟନ୍ତ ଅମାନୁଷିକ ଭାବେ ଆଡଭୋକେଟ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାରେ ଦିଲିପ କୁମାର ସିଂଙ୍କ ସମେତ ଅନ୍ୟ ୪ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କଟକ ଚାଉଳିଆଗଞ୍ଜ ଥାନାରେ ମାମଲା ସଂଖ୍ୟା ୨୧୭/୨୦୧୮ରେ ଆଇପିସିର ଧାରା ୩୦୭/୩୨୫/୨୯୪/୩୪ରେ ମାମଲା ରୁଜୁ କରାଯାଇଛି।
ଏହି ଘଟଣାର ତିନି ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇପାରିନାହିଁ। ଏହାର ପ୍ରତିବାଦରେ ହାଇକୋର୍ଟ ସମେତ ସାରା ରାଜ୍ୟରେ ଥିବା ବିଭିନ୍ନ କୋର୍ଟରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଯାହା ବର୍ତମାନ ସୁଦ୍ଧା ଜାରି ରହିଛି। ଗତ ୮.୯.୨୦୧୮ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକରେ ଓଡ଼ିଶା ଏବଂ ରାଜ୍ୟ ବାର କାଉନସିଲର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଲାଗି ନିଷ୍ପତି ନେଇଥିଲେ। ଏହାଛଡ଼ା ସମସ୍ତ ବାର ଆସୋସିଏସନର ସଦସ୍ୟମାନେ ଉପରୋକ୍ତ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।
ଏହି ଅଭାବନୀୟ ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ସତ୍ୱେ ଘଟଣାକୁ ତିନି ସପ୍ତାହ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଧରିବା ଲାଗି ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ରାଜ୍ୟ ସରକାର ଏବଂ ପୋଲିସ ବିଭାଗର ନିଷ୍କ୍ରିୟତା କାରଣରୁ ହାଇକୋର୍ଟଙ୍କ ସମେତ ରାଜ୍ୟର ସମସ୍ତ ନ୍ୟାୟାଳୟରେ କାମ ବନ୍ଦ ହୋଇପଡ଼ିଛି। ଏହାଦ୍ୱାରା ଜନସାଧାରଣ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ପୋଲିସ ବିଭାଗ ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ରାଜ୍ୟରେ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଏ ସମସ୍ତ ଘଟଣାକୁ ଆଖି ଆଗରେ ରଖି ରାଜ୍ୟପାଳ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେବାକୁ ପରିଷଦ ପକ୍ଷରୁ ସଭାପତି କମ୍ବୁପାଣି ପାଢ଼ୀ, ସାଧାରଣ ସମ୍ପାଦକ ଜ୍ଞାନାଲୋକ ମହାନ୍ତି, ଅରବିନ୍ଦ ମହାନ୍ତି, ପ୍ରଶାନ୍ତ କୁମାର ଦାସ, ବରୁଣାଦିତ୍ୟ ମହାପାତ୍ର, ଦିଲିପ ମଲ୍ଲିକ ପ୍ରମୁଖ ଦାବିପତ୍ର ଦେଇଛନ୍ତି।

Leave A Reply