କୁପୋଷଣ ଦୂର ପାଇଁ ଭାରତ ସହ ହାତ ମିଳାଇଲା ବିଲ୍‍ ଓ ମିଲିଣ୍ଡା ଗେଟ୍‍ସ୍‍ ଫାଉଣ୍ଡେସନ୍‍

ଗଠନ ହେଲା ଭାରତୀୟ ପୋଷଣ କୃଷି କୋଷ

ନୂଆଦିଲ୍ଲୀ :  ଉତ୍ତମ ପୁଷ୍ଟି ପାଇଁ ଭାରତୀୟ ପୋଷଣ କୃଷି କୋଷ ଗଠନ ବିଷୟରେ ସୋମବାର ସରକାର ଘୋଷଣା କରିଛନ୍ତି। ଏହି କୋଷ ମହିଳା ଓ ଶିଶୁମାନଙ୍କ ମଧ୍ୟରେ କୁପୋଷଣ ଦୂର କରିବା ଲକ୍ଷ୍ୟରେ ଗଠନ କରାଯାଇଛି । କୃଷି ସମେତ ଆହୁରି ଅନ୍ୟାନ୍ୟ କ୍ଷେତ୍ରକୁ ଜଡ଼ିତ କରି ଏହି କୋଷ ଗଠନ କରାଯାଇଛି।

ଏହି ଅବସରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କୁପୋଷଣର ମୁକାବିଲା ପାଇଁ କୃଷି ଓ ପୁଷ୍ଟିର ମିଶ୍ରଣ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ବକ୍ତା ଭାବେ ପ୍ରଖ୍ୟାତ ଜନହିତୈଷୀ ତଥା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‍ ଗେଟ୍‍ସ୍‍ କହିଛନ୍ତି, କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ କୁପୋଷଣର ସମ୍ମୁଖୀନ ହୋଇ ଆସୁଛି। ସେ କହିଛନ୍ତି, ଅନେକ କ୍ଷେତ୍ରରେ ୫ ବର୍ଷ ବୟସରୁ କମ୍‍ ବୟସର ପିଲାମାନଙ୍କର ମୃତ୍ୟୁ କୁପୋଷଣ ଯୋଗୁଁ ହେଉଥିବାର ଜଣାପଡ଼ିଛି। ସେ କହିଛନ୍ତି, କୁପୋଷଣର ମୂଳୋତ୍ପାଟନ ପାଇଁ ଭାରତର ଜାତୀୟ ପୁଷ୍ଟି ମିଶନ୍‍ ଏକ ଅଭୂତପୂର୍ବ କାର୍ଯ୍ୟକ୍ରମ। ଦେଶରେ ସବୁଜ ବିପ୍ଳବର ଜନକ ବୋଲାଯାଉଥିବା ଡକ୍ଟର ଏମ୍‍.ଏସ୍‍. ସ୍ୱାମୀନାଥନ୍‍ ଏକ ଭିଡିଓ ବାର୍ତ୍ତାରେ ଭାରତକୁ କୁପୋଷଣମୁକ୍ତ କରିବାପାଇଁ ଏକ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ପ୍ରକଳ୍ପ ପାଇଁ ବିଲ୍‍ ଓ ମିଲିଣ୍ଡା ଗେଟ୍‍ସ୍‍ ଫାଉଣ୍ଡେସନ୍‍ ସହ ମିଳିତ ଉଦ୍ୟମରେ କାର୍ଯ୍ୟ କରୁଛି।

Comments are closed.