ମହିଳାଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ!

ଲାଞ୍ଜିଗଡ଼ : ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ପୋଖରୀବନ୍ଧ ପଞ୍ଚାୟତ ଭେଜିପଦର ମୁତୁନଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ଏହି ଗାଁର ଜଣେ ବିବାହିତ ବ୍ୟକ୍ତିର ଦ୍ୱିତୀୟ ପତ୍ନୀ ହେବା ପାଇଁ ଚକ୍ରାନ୍ତ କରି ବିଫଳ ହେବାପରେ ଜଣେ ବିଧବା ମହିଳା ତାର ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ପୋଖରୀବନ୍ଧ ପଞ୍ଚାୟତ ମୁତୁନଗୁଡା ଗାଁର ସାବନା ମାଝୀ ଗତ କିଛି ବର୍ଷ ତଳେ ଡୋକରୀ ମାଝୀ(୨୫)କୁ ବିବାହ କରିଥିଲେ । ଏକ ସୁଖଦ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବାବେଳେ ପଡୋଶୀରେ ରହୁଥିବା ବିଧବା ମହିଳା ଗାବୁଲି ମାଝୀ ସାବନାର ଦ୍ୱିତୀୟ ସ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଜଣାପଡିଥିଲା। ଡୋକରୀ ଏହାକୁ ବିରୋଧ କରୁଥିଲା । ଫଳରେ ଡୋକରୀକୁ ରାସ୍ତାରୁ ହଟାଇବା ପାଇଁ ଗାବୁଲି ସୁଯୋଗ ଅପେକ୍ଷାରେ ରହିଥିଲା । ବୁଧବାର ସାବନା କୌଣସି କାମରେ ରାୟଗଡା ଜିଲା ଅମ୍ବାଦଳା ଯାଇ ଫେରିବାରେ ଡେରି ହେବା ଦେଖି ଗାବୁଲି ତାର ଯୋଜନାକୁ ରୂପ ଦେବା ସହ ଏକୁଟିଆ ଥିବା ଡୋକରିକୁ ପଥରରେ ଛେଚି ହତ୍ୟା କରିଥିଲା । ଏ ସଂପର୍କରେ ସାବନା ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ମୁତୁନଗୁଡା ଯାଇ ଶବ ଜବତ କରିବା ସହ ଗାବୁଲିକୁ ଗିରଫ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରାଯାଇଥିବାବେଳେ ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି ।

Comments are closed.