ଲଳିତଗିରି ବୌଦ୍ଧ ସଂଗ୍ରହାଳୟର ଲୋକାର୍ପଣ କରିବେ ମୋଦୀ ; ୬ଟି ଗ୍ୟାଲେରୀରେ ୫୫ଟି କୀର୍ତ୍ତିରାଜୀ

0

ଯାଜପୁର : ଯାଜପୁର ଜିଲ୍ଲାର ଇତିହାସ ବହୁ ପ୍ରାଚୀନ। ଏକଦା ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଏହି ଯାଜପୁର ଜିଲ୍ଲାରେ ବୌଦ୍ଧ, ଜୈନ, ଶୈବ, ଶାକ୍ତ, ଗାଣପତ୍ୟ, ନାଗ, ସୌର ଓ ବୈଷ୍ଣବ ଧର୍ମଭିତ୍ତିକ ଶହ ଶହ ମୁର୍ତ୍ତିରାଜୀର ମନ୍ଦିର ମାଳା, ସ୍ତୁପ, ଉପାସନା ଗୃହ, ବୌଦ୍ଧବିହାର କୀର୍ତ୍ତିରାଜୀ ରହିଛି। ଏହା ସର୍ବଧର୍ମର ସମନ୍ୱୟ ପୀଠର ଉତ୍ପତିସ୍ଥଳ ବୋଲି ସୂଚନା ମିଳେ। ସମଗ୍ର ଅଞ୍ଚଳରେ କଳା, ସାହିତ୍ୟ, ସଂସ୍କୃତି, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସମଗ୍ର ବିଶ୍ୱର ବିରଳ ଓ ବିସ୍ମୟ ଭାବେ ପରିଗଣିତ ହୋଇଛି। ବିଶ୍ୱ ବୌଦ୍ଧ ପର୍ଯ୍ୟଟନ ମାନଚିତ୍ରରେ ‘ହୀରକ ତ୍ରିଭୁଜ’ ବୌଦ୍ଧ ସର୍କିଟ ମଧ୍ୟରୁ ଅନ୍ୟତମ ଲଳିତଗିରି ବୌଦ୍ଧପୀଠ ଏବେ ବେଶ୍‍ ଚଳଚଞ୍ଚଳ ହୋଇପଡ଼ିଛି। ଆସନ୍ତା ୨୪ ତାରିଖ ସୋମବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବା ପରିପ୍ରେକ୍ଷୀରେ ଭୁବନେଶ୍ୱରର ଆଇଆଇଟି କ୍ୟାମ୍ପସରୁ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଲଳିତଗିରି ବୌଦ୍ଧପୀଠରେ ନବନିର୍ମିତ ସଂଗ୍ରହାଳୟକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ବିଶ୍ୱବିଖ୍ୟାତ ଏହି ପୀଠରେ ପ୍ରାୟ ସାଢ଼େ ତିନି ଦଶନ୍ଧି ଧରି ପ୍ରତ୍ନତାତ୍ତ୍ବିକ ଉତ୍‍ଖନନ କାର୍ଯ୍ୟ ଆରମ୍ଭ ହୋଇ ଏଠାରୁ ବହୁ ବିରଳ କୀର୍ତ୍ତିରାଜୀ ଆବିଷ୍କୃତ ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଏଠାରେ ସଂଗ୍ରହାଳୟ ପ୍ରତିଷ୍ଠାର ଆବଶ୍ୟକତା ଥିଲା। ଏପରିକି ୧୯୮୫-୮୬ ମସିହାରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ)ର ଉତ୍‍ଖନନରୁ ତଥାଗତ ବୁଦ୍ଧଙ୍କ ରେଲିକ୍ସ କାସ୍‍କେଟ ଆବିଷ୍କୃତ ହେବାପରେ ଏହି ପୀଠର ଗୌରବ ବୃଦ୍ଧି ପାଇଥିଲା। ଲଣ୍ଡା ପାହାଡ଼ ଶୀର୍ଷଭାଗରେ ଥିବା ମହାସ୍ତୁପ ପୂର୍ବପାର୍ଶ୍ବ ଖନନ କାଳରେ ରୂପା ଫରୁଆରେ ସୁନାପାତରେ ଗୁଡ଼ା ହୋଇଥିବା ଏହି ବିରଳ ଆବିଷ୍କାର ବୌଦ୍ଧ ଇତିହାସରେ ଏକ ଉଲ୍ଲେଖନୀୟ ସ୍ମାରକୀର ମାନ୍ୟତା ପାଇଥିଲା। ଏହି ବିରଳ କୀର୍ତିରାଜିକୁ ଲଳିତଗିରିଠାରେ ରଖିବା ପାଇଁ ବିଭିନ୍ନ ଅନୁଷ୍ଠାନ, ଗବେଷକ ଓ ଜନସାଧାରଣ ପକ୍ଷରୁ ଦାବି କରାଯିବା ସହିତ ରାଜଭବନ ନିକଟରେ ଧାରଣା ମଧ୍ୟ ଦିଆଯାଇଥିଲା। ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋବାକୁ ଯାଉଛି।

ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ଏହି ନୂତନ ବୌଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା ହେବା ଏବଂ ତାହା ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‍ଘାଟିତ ହେବାର କାର୍ଯ୍ୟସୂଚୀ ଘୋଷିତ ହୋଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପ୍ରକାଶ ପାଇଛି। ଲଳିତଗିରି ବୌଦ୍ଧବିହାର ପ୍ରବେଶପଥର ଡାହାଣ ପାର୍ଶ୍ବରେ ୧୭ ହଜାର ପାଂଚଶହ ବର୍ଗଫୁଟ ପରିସୀମା ମଧ୍ୟରୁ ୪୭୦୦ ବର୍ଗଫୁଟ ମଧ୍ୟରେ ନିର୍ମିତ ହୋଇଛି ଏଇ ମନୋରମ ବୌଦ୍ଧ ସଂଗ୍ରହାଳୟ। ଏଥିରେ ୬ଟି ଗ୍ୟାଲେରୀ, ସମ୍ମିଳନୀ କକ୍ଷ ସମେତ ସର୍ବସାଧାରଣ ଶୌଚାଳୟ, ପାନୀୟଜଳ ଯୋଗାଣ ବ୍ୟବସ୍ଥା ମଧ୍ୟ ରହିଛି। ଏହି ସଂଗ୍ରହାଳୟରେ ବିଶେଷ ଭାବରେ ନିର୍ମିତ ବୁଲେଟ୍‍ପ୍ରୁଫ୍‍ ଆଧାର ମଧ୍ୟରେ ଏଠାରେ ୩୨ବର୍ଷ ତଳେ ଆବିଷ୍କୃତ ତଥା ବହୁଚର୍ଚ୍ଚିତ ବୁଦ୍ଧଙ୍କ ରେଲିକ୍ସ କାସ୍‍କେଟ୍‍ ସ୍ଥାନ ପାଇବ ବୋଲି କହିଛନ୍ତି ଏଏସ୍‍ଆଇର ମଣ୍ଡଳ ମୁଖ୍ୟ ତଥା ଉପଅଧିକ୍ଷକ ଅରୁଣ ମଲ୍ଲିକ। ଲଳିତଗିରିରୁ ବିଭିନ୍ନ ସମୟରୁ ଆବିଷ୍କୃତ ଧ୍ୟାନୀ ବୌଦ୍ଧବିଗ୍ରହ, ବୋଧିସତ୍ୱ, ଧର୍ମଚକ୍ର ପ୍ରବର୍ତନ ମୁଦ୍ରା, ବରଦ ଓ ଅଭୟ ମୁଦ୍ରାରେ ଆସୀନ ବୁଦ୍ଧବିଗ୍ରହ, ଶିଳାଲେଖ, ବିଭିନ୍ନ ଟେରାକୋଟା ସିଲ୍‍, ପୁରାତନ ମୁଦ୍ରା ସମେତ ମୋଟ ୫୫ଟି ପ୍ରାଚୀନ କୀର୍ତ୍ତି ସ୍ଥାନ ପାଇଛି। ଏହି ବୌଦ୍ଧ ସଂଗ୍ରହାଳୟ ଦେଶ ବିଦେଶର ବୌଦ୍ଧ ପର୍ଯ୍ୟଟକ, ଗବେଷକ ଓ ସାଧାରଣ ଲୋକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ସ୍ତମ୍ଭକାର ଶୁଭେନ୍ଦୁ କୁମାର ଭୂୟାଁ କହିଛନ୍ତି।

ହୀରକ ତ୍ରିଭୁଜ ବୌଦ୍ଧ ସର୍କିଟ୍‍ ମଧ୍ୟରୁ ପ୍ରଥମେ ରତ୍ନଗିରି ଓ ଏବେ ଲଳିତଗିରିଠାରେ ସଂଗ୍ରହାଳୟ ନିର୍ମିତ ହୋଇସାରିଥିବା ବେଳେ ବିଶ୍ୱବିଖ୍ୟାତ ବୌଦ୍ଧପୀଠ ଉଦୟଗିରିଠାରେ ଅନୁରୂପ ବୌଦ୍ଧ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ସେ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂଗ୍ରହାଳୟ ବାହାରେ ଇଣ୍ଟରନେଟ୍‍ ଲିକ୍‍ ସଂଯୋଗ କରାଯାଇ ବଡ଼ ପରଦାରେ ଏହାକୁ ସର୍ବସାଧାରଣରେ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ ଲଳିତଗିରିରୁ ବିଭିନ୍ନ ସମୟରେ ପ୍ରତ୍ନତାତ୍ତ୍ୱିକ ଖନନ କାଳରେ ଆନ୍ଧ୍ରପ୍ରଦେଶର ନାଗାର୍ଜୁନକୋଣ୍ଡା ଭଳି ବିରଳ ଚୈତ୍ୟଗୃହ ସ୍ତୁପ ଓ ଚତୁର୍ଥ ବୌଦ୍ଧବିହାରରୁ ଶ୍ରୀ ଚନ୍ଦ୍ରାଦିତ୍ୟ ବୌଦ୍ଧ ବିହାରର ସନ୍ଧାନ ମିଳିଥିବା ଗବେଷକ ମାନଙ୍କ ସୂତ୍ରରରୁ ପ୍ରକାଶ । ପୂର୍ବରୁ ଲଳିତଗିରିଠାରେ ଥିବା ଏକ କ୍ଷୁଦ୍ର ସଂଗ୍ରହାଳୟରୁ ପ୍ରାଚୀନ ସାମଗ୍ରୀଗୁଡ଼ିକୁ ନୂତନ ସଂଗ୍ରହାଳୟକୁ ଏବେ ସ୍ଥାନାନ୍ତରିତ କରାଯାଉଛି। ଆସନ୍ତା ୨୪ତାରିଖରେ ଭୁବନେଶ୍ୱର ଆଇ.ଆଇ.ଟି. କ୍ୟାମ୍ପସରୁ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଏହାକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବାରୁ ଲଳିତଗିରିଠାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧିନସ୍ଥ ଏଏସ୍‍ଆଇର ଭୁବନେଶ୍ୱର ସର୍କଲ ଓ ବିଏସ୍‍ଏନ୍‍ଏଲ୍‍ ପକ୍ଷରୁ ଯୋରଦାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏହି ସଂଗ୍ରାଳୟ ପ୍ରତିଷ୍ଠା ହେଲେ ଯାଜପୁର ଜିଲ୍ଲା ଓ ସମଗ୍ର ରାଜ୍ୟର ମହତ୍ୱ ବୃଦ୍ଧି କରିବା ସହିତ ଐତିହାସିକ ଓ ଗବେଷକ ମାନଙ୍କୁ ମଧ୍ୟ ବେଶ୍‍ ଖୋରାକ ଯୋଗାଇବା ସୂନିଶ୍ଚିତ ହୋଇଛି।

Leave A Reply