ଦିନ ମଜୁରିଆର ଭାଗ୍ୟରେ ପରିବର୍ତ୍ତନ ୨୦୦ଟଙ୍କା କରଜ ନେଇ କିଣିଥିଲେ ଲଟେରୀ ଟିକଟ; ଜିତିଲେ ଦେଢ କୋଟି ଟଙ୍କା

0

ମାଣ୍ଡଭି: ଦିନ ମଜୁରିଆରୁ କୋଟିପତି। ପଞ୍ଜାବ ସଙ୍ଗରୁର୍‌ର ଜଣେ ଦିନ ମଜୁରିଆ ଦେଢ କୋଟି ଟଙ୍କାର ଲଟେରୀ ପୁରସ୍କାର ଜିତି ରାତାରାତି କୋଟିପତି ହୋଇଯାଇଛନ୍ତି। ଦିନ ମଜୁରିଆ ଜଣଙ୍କ ହେଉଛନ୍ତି ମନୋଜ କୁମାର (୪୦)। ମନୋଜ ଓ ତାଙ୍କ ପତ୍ନୀ ରାଜ କୌର ଏକ ଇଟା ଭାଟିରେ ଦିନ ମଜୁରିଆ ଭାବେ କାମ କରନ୍ତି। ପାରିଶ୍ରମିକ ବାବଦକୁ ଦିନକୁ ପାଆନ୍ତି ୨୫୦ଟଙ୍କା। ଏଥିରେ ପତି-ପତ୍ନୀ, ତାଙ୍କର ୩ ଝିଅ ଓ ମା ଚଳନ୍ତି। ଖାଇବା ପିଇବା ବ୍ୟତୀତ ଅନ୍ୟ କିଛି କଥା ସେମାନେ ଚିନ୍ତା କରନ୍ତି ନାହିଁ। ଏ​‌େ​‌ବ କିନ୍ତୁ ମନୋଜଙ୍କ ପରିବାରର ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। କାରଣ ମନୋଜ ଏବେ କୋଟିପତି। ବ୍ୟାଙ୍କ ଓ ପୁଞ୍ଜିନିବେଶକାରୀମାନେ ଏବେ ତାଙ୍କ ନିକଟରେ ଧାଡି ଲଗାଉଛନ୍ତି।
ରାଖି ପୂର୍ଣ୍ଣିମା ପୂର୍ବରୁ ମନୋଜ ୨୦୦ଟଙ୍କା ଦେଇ ଏକ ଲଟେରୀ ଟିକଟ କିଣିଥିଲେ। ଏପରି କି ପଡୋଶୀଙ୍କ ଠାରୁ ୨୦୦ଟଙ୍କା କରଜ ନେଇ ସେ ଏହି ଲଟେରୀ ଟିକଟ କଣିଥିଲେ। ଏହା ତାଙ୍କ ଜୀବନର ପ୍ରଥମ ଲଟେରୀ ଖେଳ ଥିଲା। ରାଖି ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ଏହି ସ୍ବତନ୍ତ୍ର ଲଟେରୀ ଖେଳର ବମ୍ପର ପୁରସ୍କାର ମନୋଜଙ୍କ ନମ୍ବରରେ ଲାଗିଥିଲା ଓ ସେ ଦେଢ କୋଟି ଟଙ୍କା ଜିତିଥିଲେ। ଫଳରେ ତାଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଏହି ଲଟେରୀ ଅର୍ଥକୁ ନେଇ ମନୋଜ ଅନେକ ଯୋଜନା କରିଥିବାବେଳେ ଅତୀତର ଜୀବନକୁ ନେଇ ଅନେକ ଅନୁତାପ କରିଛନ୍ତି। ମନୋଜ କହିଛନ୍ତି ଯେ ଅର୍ଥ ଅଭାବରୁ ନିକଟରେ ସେ ତାଙ୍କ ବାପାଙ୍କୁ ଚିକିତ୍ସା କରାଇପାରି ନ ଥିଲେ। ଫଳରେ ବାପାଙ୍କର ମୃତ୍ୟୁ ହୋଇଥିଲା। ସେ କହିଛନ୍ତି ଯେ ଏହି ଲଟେରୀ ପୁରସ୍କାର ଆଗରୁ ପାଇଥିଲେ ସମ୍ଭବତଃ ମୋ ବାପାଙ୍କୁ ବଞ୍ଚାଇ ପାରିଥାନ୍ତି। ସେହିପରି ଅର୍ଥ ଅଭାବରୁ ତାଙ୍କ ବଡ ଝିଅ ପାଠ ପଢା ଛାଡିଦେଇଥିଲା। ଏବେ ଝିଅକୁ ପୁଣି ପାଠ ପଢାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ବଡ ଝିଅ ପୁଲିସ ଚାକିରି କରିବାକୁ ଇଚ୍ଛା କରିଛି। ସେହିପରି ଅନ୍ୟ ଜଣେ ଝିଅ ଡାକ୍ତର କିମ୍ବା ନର୍ସ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପିଲାମାନେ କହିଛନ୍ତି ଯେ ପାଠ ପଢାରେ ଅର୍ଥ ତାଙ୍କ ପାଇଁ ବାଧକ ହୋଇ ଆସିଥିଲା। ଏବେ ପାଠ ପଢାରେ କୌଣସି ପ୍ରତିବନ୍ଧକ ନାହିଁ।
ଲଟେରୀ ଅର୍ଥରେ ମନୋଜ ଏକ ଘର ତିଆରି କରିବା ସହିତ କିଛି ଜମି କିଣିବାକୁ ଯୋଜନା କରିଛନ୍ତି। ୧୫ବର୍ଷ ବୟସରୁ ମନୋଜ ଇଟା ଭାଟିରେ ମୂଲ ଲାଗି ଆସୁଥିଲେ। ମନୋଜଙ୍କ ବାପା ସାଇକଲ ମରାମତି ଦୋକାନ କରିଥିଲେ। ମନୋଜଙ୍କ ମା’ କ୍ରିଷ୍ଣା ଦେବୀ କହିଛନ୍ତି ଯେ ୧୯୮୪ରେ ସେମାନେ ହରିୟାଣା ନରୱାନା ଜିଲା ଛାଡି ପଞ୍ଜାବ ପଳାଇ ଆସିଥିଲେ। ପଞ୍ଜାବର ସଙ୍ଗରୁର୍‌ରେ ପଞ୍ଚାୟତ ପକ୍ଷରୁ ତାଙ୍କୁ ୨୦୦ ବର୍ଗଫୁଟ ଜାଗା ଦିଆଯାଇଥିଲା। ଏଠାରେ ସେମାନେ ଝାଟିମାଟି ଘର ତିଆରି କରି ରହିଆସୁଥିଲେ। ଭଗବାନ ଏବେ ତାଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି ବୋଲି କ୍ରିଷ୍ଣା ଦେବୀ କହିଛନ୍ତି। ସାମ୍ପ୍ରତିକ ସମୟରେ ମଣିଷ ଅର୍ଥ ମୋହଗ୍ରସ୍ତ ହୋଇପଡିବାକୁ ସେ ନାପସନ୍ଦ କରିଛନ୍ତି।

Leave A Reply