କୁମିଆପାଲି ଯୁବକଙ୍କୁ ଆକ୍ରମଣ ଘଟଣା: ୫ ଦିନ ପରେ ବି ଗିରଫ ହେଲେନି ଅଭିଯୁକ୍ତ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁମିଆପାଲି ଗାଁରେ ଗତ ୧୫ ତାରିଖରେ ଯୁବକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଅଭିଯୋଗକାରୀ ପ୍ରଶ୍ନ ଉଠାଇଛନ୍ତି। ଦୋଷୀ ବିରୁଦ୍ଧରେ ପୁଲିସ କୋହଳ ମନୋଭାବ ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି ପୀଡିତ ଯୁବକ ସରୋଜ ସାହୁ। ଦୋଷୀଙ୍କ ବିରୁଦ୍ଧରେ ଲଗାଇଯାଇଥିବା ଦଫାକୁ ନେଇ ସେ ପ୍ରଶ୍ନ ଉଠାଇଥିବା ବେଳେ ଘଟଣାର ଠିକ ଭାବେ ତଦନ୍ତ କରାନଯିବା ଓ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଗିରଫ ନକରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସରୋଜ।
ସୂଚନାଯୋଗ୍ୟ, କୁମିଆପାଲି ଗାଁରେ ଏକ ଗଣ୍ଡଗୋଳ ହୋଇଥିଲା। ଗାଁର ସରୋଜ ସାହୁଙ୍କ ଶ୍ୱଶୂର ସୁବଳ ଶବର ନିକଟସ୍ଥ ଏକ ସଂପର୍କୀୟ ଘରକୁ ଶୁଦ୍ଧିକ୍ରୀୟା କାର୍ଯ୍ୟରେ ଯୋଗଦେବା ପାଇଁ ଆସିଥିଲେ। ସେହି ସମୟରେ ତାଙ୍କ ଶ୍ୱଶୁରଙ୍କୁ ଗତ ୧୫ ତାରିଖରେ ଗାଁର ଦିବସ ପାଣ୍ଡେ, ସୁବ୍ରତ ପାଣ୍ଡେ, ରିଙ୍କୁ ଭୁଏ, ବୃନ୍ଦାବନ ଭୁଏ, ମଞ୍ଜୁ ଭୂଏ, ରାଜେଶ ଶବର, ପଞ୍ଚମୀ ଶବର, ଉଲ୍ଲାସ ପାଣ୍ଡେ, ସରୋଜିନୀ ଭୁଏ ମିଶି ବନ୍ଦ କୋଠରୀରେ ମାଡ ମାରିଥିଲେ। ଏହି ଘଟଣା ବିଷୟରେ ସରୋଜ ଜାଣିବା ପରେ ତାଙ୍କ ଘରକୁ ଯାଇ ପ୍ରତିବାଦ କରିଥିଲେ। ଏହି ସମୟରେ ଉକ୍ତ ଅଭିଯୁକ୍ତମାନେ ସରୋଜଙ୍କ ଉପରକୁ ଆକ୍ରମଣ କରିଥିଲେ। ମାରଣାସ୍ତ୍ରରେ ସରୋଜଙ୍କ ମୁଣ୍ଡରେ ଆକ୍ରମଣ କରିଥିବା ବେଳେ ସେ ସେଠାରେ ଅଚେତ ହୋଇପଡିଥିଲେ। ପରେ ତାଙ୍କ ପରିବାର ଲୋକ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ସରୋଜ ଏନେଇ ଗତ ୧୬ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ସଦର ଥାନା କେସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଘଟଣାକୁ ପ୍ରାୟ ୫ ଦିନ ବିତି ସାରିଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିପାରିନାହିଁ। ଏପରିକି ସରୋଜଙ୍କୁ ଉକ୍ତ ଅଭିଯୁକ୍ତମାନେ ଥାନାରେ ମାମଲା କରିବାକୁ ନେଇ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି। ପୁଲିସ ମଧ୍ୟ ଉପଯୁକ୍ତ ତଦନ୍ତ କରୁନଥିବା ବେଳେ ଟଙ୍କା ଲାଞ୍ଚ ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଲଗାଇଯାଇଥିବା ଦଫାରେ କୋହଳ ମନୋଭାବ ପ୍ରଦର୍ଶନ କରିଥିବା ସରୋଜ ଅଭିଯୋଗ କରିଛନ୍ତି। ତେବେ ଏନେଇ ସଦର ଥାନା ଅଧିକାରୀ ପଦକ୍ଷେପ ଗ୍ରହଣ ନକଲେ ସେ ଏସପିଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।

Comments are closed.