ଆରମ୍ଭ ହେଲା କୁମ୍ଭୀରାହୁଡି ମକର ମେଳା

0

ଖୁଣ୍ଟା : ଗୋପବନ୍ଧୁ ନଗର ବ୍ଲକର କୁମ୍ଭୀରା ହୁଡିର ମକର ମେଳା ଆସନ୍ତା ମଙ୍ଗଳବାର ଉଦଯାପିତ ହେଉଥିବା ବେଳେ ମେଳା ପ୍ରାରମ୍ଭରୁ ଦୈନନ୍ଦିନ ମେଳା ସ୍ଥଳିରେ ଜନ ସମୁଦ୍ର ଲାଗିରହିଛି। ଏଠାରେ ହୁଡି ଚଢିବା ଅପେକ୍ଷାକୃତ ସହଜ ହୋଇଥିବାରୁ ପୁରୁଷ ମହିଳା ପିଲା ଛୁଆ ହୁଡି ଚଢିବାର ମଜା ନେଉଥିବା ବେଳେ ଅପରାହ୍ଣରେ ହୁଡିର ପାଦଦେଶରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାର କଳେବରକୁ ବ୍ୟାପକ କରିଛି। ସେହିପରି ବହୁ ସଂଖ୍ୟାରେ ଉଠା ଦୋକାନୀ ସାଙ୍ଗକୁ ପିଲାଙ୍କ ପାଇଁ ଦୋଳି ଅନ୍ୟତମ ଆକର୍ଷଣ ପାଲଟିଛି। ମକର ସଂକ୍ରାନ୍ତିକୁ ମିଶାଇ ମୋଟ ୯ ଦିନ ଧରି ଏହି ମକର ମେଳା ଚାଲିଥାଏ। କୁମ୍ଭୀରା ହୁଡି ମକର ମେଳା କମିଟି ପକ୍ଷରୁ ଶୃଙ୍ଖଳିତ ଭାବେ ଉକ୍ତ ମେଳା ଆୟୋଜନ କରାଯାଇଆସୁଛି। ଶୃଙ୍ଖଳିତ ଭାବେ ଶହ ଶହ ସଂଖ୍ୟାରେ ଲୋକେ ହୁଡି ଉପରକୁ ଚଢିଥାନ୍ତି। ଅଧିକାଂଶ ଲୋକ ହୁଡିର ଶୀର୍ଷରେ ଅଧିଷ୍ଠାତ୍ରୀ ଦେବୀ ମା ସିନ୍ଦୁର ଗୌରାଙ୍କୁ ଦର୍ଶନ କରନ୍ତି। ଯେଉଁ ମାନେ ଶୀର୍ଷକୁ ଯାଇପାରୁନାହାନ୍ତି ସେମାନେ ହୁଡିର ପାଦ ଦେଶରେ ଥିବା ଆସ୍ଥାନରେ ଠାକୁରାଣୀଙ୍କୁ ଦର୍ଶନ କରିଥାନ୍ତି। ମାସର କେବଳ ସଂକ୍ରାନ୍ତି ଓ ପୁର୍ଣ୍ଣମୀରେ କେବଳ ଦୁଇ ଦିନ ଦେବୀଙ୍କର ପୂଜା କରା ଯାଇଥାଏ।
ସୂଚନାଯୋଗ୍ୟ ଯେ ୧୯୭୧ ମସିହାରୁ ଦେବୀଙ୍କ ପୀଠାରେ ମେଳା ଆୟୋଜନ କରାଯାଇ ଆସୁଛି। ପ୍ରଥମେ ନିକଟସ୍ଥ ଶିଳଘାଟି ଗ୍ରାମ ପଞ୍ଚାୟତ ଗୁଡଡିହା ଗ୍ରାମର ବନମାଳୀ ଚୌଧୁରୀ ଓ ବାଲିଯୋଡା ଗ୍ରାମର ସ୍ୱର୍ଗତ କୃପାସିନ୍ଧୁ ବାରସାଳିଆଙ୍କ ଆଗ୍ରହ କ୍ରମେ ୧୯୭୧ ମସିହାରେ ମାତ୍ର ୨୧ ଟଙ୍କା ବିନିମୟରେ ବର୍ତ୍ତମାନ ଲୋପ ପାଇବାକୁ ବସିଥିବା ଚଡିଆ ନାଚ ମାଧ୍ୟମରେ ମେଳାର ଆୟୋଜନ କରାଯାଇଥିଲା। ସମୟ କ୍ରମେ ଅନ୍ୟମାନେ ସାମିଲ ହେବା ସହିତ କୁମ୍ଭୀରା ହୁଡି କୁଶଳଦା ଗ୍ରାମପଞ୍ଚାୟତର ଖଡିଆବସା ଗ୍ରାମରେ ରହିଥିବାରୁ କୁଶଳଦା ପଞ୍ଚାୟତର ଜନସାଧାରଣ ମେଳା ଆୟୋଜନରେ ସାମିଲ ହୋଇ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ୪୯ ବର୍ଷ ମଧ୍ୟରେ କୁମ୍ଭୀରା ହୁଡି ମକର ମେଳା ମୟୂରଭଞ୍ଜ ଜିଲାର ଅନ୍ୟ ତମ ବଡ ମେଳାର ପରିଚୟ ହାସଲ କରିଥିବା ବେଳେ ସେ ବାବଦରେ ପ୍ରଚାର ପ୍ରସାର କିନ୍ତୁ ଆଶାନୁରୂପକ ହୋଇପାରିନି। ଅସଂଖ୍ୟ ପର୍ଯ୍ୟଟନ ସ୍ଥଳୀ ସମେତ କିମ୍ବଦନ୍ତୀ ଓ ପରମ୍ପରାରେ ସମୃଦ୍ଧ ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନ ବ୍ୟବସ୍ଥା କିନ୍ତୁ ସେତେଟା ଆଶାନୁରୂପକ ନଥିବା ଅଭିଯୋଗ ହୋଇଛି। ହୁଡିର ଶିର୍ଷରେ ପୂର୍ବକୁ ମୁହଁ କରିଥିବା କୁମ୍ବୀରାକୃତିର ପଥରକୁ ନେଇ ଏକାଧିକ କିମ୍ବଦନ୍ତୀ ଶୁଣାଯାଏ। ହୁଡିର ପାେଦେଶକୁ ସମୁଦ୍ର ଛୁଇଁଲେ ଉକ୍ତ ପଥର ଜୀବନ ଲାଭ କରିବା ସହିତ ଯୁଗର ପରିସମାପ୍ତି ଘଟିବ ବୋଲି ବିଶ୍ୱାସ ରହିଛି। ସେହିପରି ଆଉଏକ କିମ୍ବଦନ୍ତୀ ଅନୁସାରେ ପୂର୍ବରେ ଥିବା ସମୁଦ୍ର ଦିଗରେ ଅଗ୍ରସର ହେଉଥିବା କୁମ୍ଭୀର ହୁଡିର ଶୀର୍ଷରେ ପହଞ୍ଚଥିବା ବେଳେ ସୂର୍ଯ୍ୟଦୋୟ ହୋଇଯିବାରୁ ପଥରରେ ପରିଣତ ହୋଇଛି।

Leave A Reply