କୁମ୍ଭମେଳାରୁ ଆୟ ହେବ ୧.୨କୋଟି ଟଙ୍କା

0

ପ୍ରୟାଗରାଜ : ଉତ୍ତରପ୍ରଦେଶ ପ୍ରୟାଗରାଜ (ଆଲ୍ଲାହାବାଦ)ରେ ଚାଲିଥିବା କୁମ୍ଭମେଳାରୁ ରାଜ୍ୟ ସରକାର ୧.୨ ଲକ୍ଷ କୋଟି ଟଙ୍କା ରାଜସ୍ବ ପାଇବେ ବୋଲି ସର୍ବୋଚ୍ଚ ଶିଳ୍ପ ସଂସ୍ଥା କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) କହିଛି। କୁମ୍ଭମେଳା ଏକ ଆଧ୍ୟାତ୍ମିକ ଓ ଧାର୍ମିକ ଉତ୍ସବ ହୋଇଥିବାବେଳେ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଏହା ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ସିଆଇଆଇ ଏହାର ଏକ ରିପୋର୍ଟରେ କହିଛି। ଜାନୁଆରୀ ୧୫ରୁ ଆରମ୍ଭ ହୋଇଥିବା ଏହି କୁମ୍ଭମେଳା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସିଆଇଆଇ ରିପୋର୍ଟ ଅନୁଯାୟୀ ଏହି କୁମ୍ଭମେଳା ଯୋଗୁଁ ବାର୍ଷିକ ୬ଲକ୍ଷ ଲୋକ ନିଯୁକ୍ତି ପାଇପାରୁଛନ୍ତି। ମେଳା ଯୋଗୁଁ ଆତିଥେୟତା ସେକ୍ଟରରେ ୨.୫୦,୦୦୦ ଲୋକ ନିଯୁକ୍ତି ପାଇପାରୁଛନ୍ତି। ସେହିପରି ଏୟାରଲାଇନ୍ସ ଓ ଏୟାରପୋର୍ଟରେ ୧,୫୦,୦୦୦ ଲୋକ, ଟୁର ଅପରେଟର ୪୫,୦୦୦ ଏବଂ ଇକୋ ଟୁରିଜିମ୍ ଓ ମେଡିକାଲ ଟୁରିଜିମ୍ କ୍ଷେତ୍ରରେ ୮୫ହଜାର ଲୋକ ନିଯୁକ୍ତି ପାଇପାରୁଛନ୍ତି। ଅଣ ସଂଗଠିତ କ୍ଷେତ୍ରରେ ମଧ୍ୟ ୫୫ହଜାର ଲୋକ ନିଯୁକ୍ତି ପାଉଛନ୍ତି। ଏହି ମେଳା ଆୟୋଜନ ପାଇଁ ରାଜ୍ୟ ସରକାର ୪୨୦୦କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହି ବ୍ୟୟବରାଦ ୨୦୧୩ ବର୍ଷ ଅପେକ୍ଷା ୩ଗୁଣ ଅଧିକ। ଏହି ମେଳାରେ ଦେଶ ଓ ବିଦେଶରୁ ୧୨କୋଟି ଲୋକଙ୍କ ସମାଗମ ହେବାର ଆକଳନ କରାଯାଇଛି। ପ୍ରାୟ ୧୦୦ରୁ ଅଧିକ ରାଷ୍ଟ୍ରର ନାଗରିକ ଏହି ମେଳାକୁ ଆସିବାର ଅଛି। ଚଳିତବର୍ଷ ମେଳାର ସ୍ଥାନକୁ ୧୬୦୦ହେକ୍ଟରରୁ ୩୨୦୦ ହେକ୍ଟରକୁ ବୃଦ୍ଧି କରାଯାଇଛି। ମେଳାକୁ ଆସୁଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ରହିବା ପାଇଁ ୪୦୦୦ ଅସ୍ଥାୟୀ ଶିବିର (ଟେଣ୍ଟ) ତିଆରି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମେଳା ଆୟୋଜନକୁ ଟିକିନିଖି ତଦାରଖ କରୁଛନ୍ତି।

Leave A Reply