ମେଣ୍ଟ ରାଜନୀତିର ଯନ୍ତ୍ରଣାରେ ଛଟପଟ କୁମାରସ୍ୱାମୀ

0

ବେଙ୍ଗାଲୁରୁ : ଜଟିଳ ମେଣ୍ଟ ରାଜନୀତିର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀ। ଏମିତିକି ତାଙ୍କ ଆଖିରେ ଲୁହ ରହୁନାହିଁ। ଶନିବାର ଏଠାରେ ଏକ କାର୍ଯ୍ୟକ୍ରମରେ ସେ ମେଣ୍ଟ ସରକାର ଚଳାଇବା ପାଇଁ ମହାଦେବଙ୍କ ପରି ବିଷପାନ କରୁଛନ୍ତି ବୋଲି କହି କାନ୍ଦି ପକାଇଛନ୍ତି। ଜେଡି(ଏସ୍‍)-କଂଗ୍ରେସ ମେଣ୍ଟ ସରକାରରେ ଯେ ସବୁ କିଛି ଠିକ୍‍ଠାକ୍‍ ଚାଲି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ଯନ୍ତ୍ରଣାସିକ୍ତ ଲୁହରୁ ସ୍ପଷ୍ଟ ହୋଇଛି।
ସରକାର ଗଠନ ସମୟରୁ ବିଭାଗ ବଣ୍ଟନ ଓ ମନ୍ତ୍ରୀ ପଦ ନେଇ ଉଭୟ ଦଳରେ ଅସନ୍ତୋଷ ରହିଆସିଛି। ଏହାକୁ ଯେନତେନ ପ୍ରକାରେ ଚଳାଇ ଆସିଛନ୍ତି କୁମାରସ୍ୱାମୀ। ତେବେ ବି ସହଯୋଗୀ ସଦସ୍ୟମାନଙ୍କ ଆକ୍ରମଣ ତାଙ୍କୁ ପ୍ରତି ମୁହୂର୍ତ୍ତରେ କ୍ଷତାକ୍ତ କରୁଛି। ସେଥିପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବନ୍ଧୁମାନେ ତାଙ୍କୁ ଫୁଲ ତୋଡ଼ା ଦେବାବେଳେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ‘ତୁମେମାନେ ମୋତେ ଫୁଲ ତୋଡ଼ା ଧରି ସ୍ୱାଗତ କରୁଛ; ଭାବୁଛ ଯେ ତୁମର ଜଣେ ଭାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତୁମେମାନେ ଏଥିପାଇଁ ଖୁସି ଅଛ; କିନ୍ତୁ ମୁଁ ନୁହେଁ। ମେଣ୍ଟ ସରକାର ଚଳାଇବାର ଯନ୍ତ୍ରଣା ମୁଁ ଅନୁଭବ କରୁଛି; ସରକାର ସମ୍ଭାଳିବାର ସବୁ ବିଷ ପିଇ ମୁଁ ବିଷକଣ୍ଠ (ମହାଦେବ) ପାଲଟିଯାଇଛି’ ବୋଲି କୁମାରସ୍ୱାମୀ ସେମାନଙ୍କୁ କହିଥିଲେ। ସେତେବେଳେ ତାଙ୍କ ଆଖିରୁ ଲୁହା ଧାର ଗଡ଼ିଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆବେଗିକ ମନ୍ତବ୍ୟରେ ସମ୍ପୂର୍ଣ୍ଣ ସଭାସ୍ଥଳ ସ୍ତମ୍ବିଭୂତ ହୋଇପଡ଼ିଥିଲା; ଅବଶ୍ୟ ପରେ ସବୁ କିଛି ସ୍ୱାଭାବିକ ହୋଇଥିଲା। ଏଭଳି ପ୍ରତିକ୍ରିୟା କୁମାସ୍ୱାମୀଙ୍କଠାରେ ନୂଆ ନୁହେଁ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେ ସ୍ପଷ୍ଟ କରିଥିଲେ ଯେ ଏହି ପଦ ପାଇଁ ଆଦୌ ଲାଳାୟିତ ନୁହନ୍ତି। ପରିସ୍ଥିତିର ବାଧ୍ୟବାଧକତାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପରେ ବିଧାନସଭାରେ ମଧ୍ୟରେ ମଧ୍ୟ ମେଣ୍ଟ ରାଜନତିର ବାଧ୍ୟବାଧକତା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଲୋକଙ୍କ ସେବା ପାଇଁ ସରକାରକୁ ପୂର୍ଣ୍ଣକାଳୀନ ଚଳାଇ ରଖିବା ପାଇଁ ବିନମ୍ର ଭାବେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉଭୟ କଂଗ୍ରେସ ଓ ନିଜ ଜେଡି(ଏସ୍‍) ଦଳର କିଛି ସଦସ୍ୟ ମନ୍ତ୍ରୀ ପଦ ଓ ବିଭାଗ ବଣ୍ଟନକୁ ନେଇ ବାରମ୍ବାର ବିଭ୍ରାଟ ସୃଷ୍ଟି କରିଆସିଥିବା ବେଳେ ସେମାନଙ୍କୁ ମଧ୍ୟ ସେ ସମ୍ଭାଳି ରଖିଛନ୍ତି। ନିକଟରେ ଉପସ୍ଥାପିତ ରାଜ୍ୟ ବଜେଟକୁ ନେଇ ତାଙ୍କ ପୂର୍ବସୂରୀ ସିଦ୍ଧରମେୟାଙ୍କ ସମାଲୋଚନାକୁ ସେ ହଜମ କରିଛନ୍ତି। ‘ଗତ ପ୍ରାୟ ମାସେ ଧରି କୃଷି ଋଣ ଛାଡ଼ ପାଇଁ ମୁଁ ଅଫିସରମାନଙ୍କ ସହିତ କରିଥିବା କସରତ କାହାକୁ ଜଣା ନାହିଁ। କହିବ ତ ମୁଁ ଏଇ ମୁହୂର୍ତ୍ତରେ ଇସ୍ତଫା ଦେଇଦେବି’ ବୋଲି ସେ ସିଦ୍ଧରମେୟାଙ୍କ ସମାଲୋଚନାର ଜବାବ ଦେଇଥିଲେ।
ତେବେ କୁମାରସ୍ୱାମୀଙ୍କ ଏଭଳି ଆବେଗିକ ମନ୍ତବ୍ୟକୁ ନେି କଟା ଘା’ରେ ଚୂନ ଲଗାଇବା ଭଳି ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ପାର୍ଟିର ସାମାଜିକ ଗଣମାଧ୍ୟମ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ‘କଂଗ୍ରେସ ଦ୍ୱାରା ଯେତେ ଅପମାନିତ ହେଲେ ମଧ୍ୟ କୁମାରସ୍ୱାମୀ ନିଜ ପଦ ଛାଡ଼ିବେ ନାହିଁ।’ ସେହିଭଳି ମୁଖପାତ୍ର ସମ୍ବିତ ପାତ୍ର ଏହି ଘଟଣାରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରିଛନ୍ତି। କୁମାରସ୍ୱାମୀଙ୍କ ସମସ୍ୟା ପାଇଁ ସେ ବିଜେପିକୁ ଦାୟୀ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ।

Leave A Reply