ଆଇସିୟୁରେ କମଳା ପୂଜାରୀ

0

କୋରାପୁଟ : ଅସୁସ୍ଥ ହୋଇ ଦୀର୍ଘ ୮ ଦିନ ଧରି ଘରେ ପଡି ରହିବା ପରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀଙ୍କୁ ଶନିବାର ମେଡିକାଲରେ ଭର୍ତ୍ତି କରାଯାଇଛି। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଆସିୟୁରେ ତାଙ୍କୁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଚିକିତ୍ସା କରାହେଉଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୨୦ରେ ତାଙ୍କର ଚିକିତ୍ସା ପାଇଁ ଆଡମିଶନ କରିବା ପରେ ଆଉଟଡୋର ଡାକ୍ତର ପ୍ରଥମେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରି ଦେଖିଥିଲେ। ବୟସାଧିକ ଯୋଗୁଁ ତାଙ୍କ ଦେହରେ ଜ୍ୱର, ଉଚ୍ଚ ରକ୍ତଚାପ ରହିଥିବା ବେଳେ ଘରେ ପଡି ଅଣ୍ଟାରେ ମାଡ ହୋଇଥିଲା। ସମସ୍ତ ଅବସ୍ଥାକୁ ଅନୁଧ୍ୟାନ କରି କମଳାଙ୍କୁ ତୁରନ୍ତ ଆସିୟୁର ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଭର୍ତ୍ତି କରାଯାଇଥିଲା।
ଜିଲା ସଦର ମହକୁମା ଡାକ୍ତରଖାନା ଅଧ୍ୟକ୍ଷ ଡ. କାଳୀପ୍ରସାଦ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ରକ୍ତ ସହ ଅନ୍ୟ ସମସ୍ତ ପରୀକ୍ଷା ନିମନ୍ତେ ରକ୍ତ ନମୁନା ଲାବୋରାଟୋରୀକୁ ପଠା ଯାଇଥିଲା। ନମୁନାର ରିପୋର୍ଟ ଆସିବା ପରେ ଆବଶ୍ୟକୀୟ ଚିକିତ୍ସା କରାଯିବ ବୋଲି ଡ. ବେହେରା ସୂଚନା ଦେଇଛନ୍ତି। ସବୁଠାରୁ ବଡ କଥା ହେଉଛି କମଳା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା ହୋଇଥିବା ବେଳେ ଦୀର୍ଘ ୮ ଦିନ ଧରି ସେ ଘରେ ପଡି ରହିବା ପରେ ଚିକିତ୍ସା ପାଇଁ ଦଳୀୟ ଅବା ଜିଲା କି ରାଜ୍ୟ ପ୍ରଶାସନ ପକ୍ଷରୁ ତାଙ୍କର ଚିକିତ୍ସା ପାଇଁ କୌଣସି ପ୍ରକାର ଉଦ୍ୟମ ଆରମ୍ଭ ହୋଇ ନାହିଁ।
ମେଡିକାଲରେ ଭର୍ତ୍ତି ହେବା ପରେ ମଧ୍ୟ କାହାରି ଦେଖା ମିଳି ନଥିବା ବେଳେ ମେଡିକାଲ ଶଯ୍ୟା ନିକଟରେ କେବଳ ତାଙ୍କ ପୁଅ ବସି ରହିଛନ୍ତି। ମା’ କିଭଳି ତୁରନ୍ତ ସୁସ୍ଥ ହୋଇ ଘରକୁ ଫେରିବ ବୋଲି ସେ ଆଶା ପୋଷଣ କରିଛନ୍ତି। ପରେ ଖବର ପାଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଲଳିତକୁମାର ରଥ, କୋରାପୁଟ ପୌରାଧ୍ୟକ୍ଷ ଭଗବାନ ବାହିନୀପତି ପ୍ରମୁଖ ଚିକିତ୍ସାଳୟକୁ ଯାଇ ତାଙ୍କୁ ସାକ୍ଷାତ କରିବା ସହ ସ୍ୱାସ୍ଥ୍ୟାବସ୍ଥାରେ ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି। କମଳାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। ପ୍ରଶାସନ ପକ୍ଷରୁ କିଛି ଦିନ ତଳେ ଯୋଗାଇ ଦିଆଯାଇଥିବା ନୂଆ ଘରେ ୮ଦିନ ତଳେ କମଳା ପଡି ଯାଇଥିଲେ। ବୟସାଧିକ ଯୋଗୁଁ ସେ ଚଲାବୁଲା କରି ପାରୁ ନଥିବା ବେଳେ କେହି ଜଣେ ହାତ ଧରିଲେ ସେ ପାହୁଣ୍ଡେ ଯାଉଥିଲେ। ଏମିତି ଅବସ୍ଥାରେ ଆଦିବାସୀଙ୍କ ଉପରେ ଗବେଷଣା କରୁଥିବା କେତେଜଣ ଛାତ୍ରଛାତ୍ରୀ ତାଙ୍କ ଘରକୁ ଯାଇଥିବା ବେଳେ କମଳାଙ୍କ ଅବସ୍ଥା ଦେଖି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚରାପଚରି କରିଥିଲେ। ତାଙ୍କ ହାତ ଧରି ପିଲାମାନେ ବାହାରକୁ ଆଣିଥିଲେ।

Leave A Reply