କୋରାପୁଟରେ ନାରାୟଣପାଟଣା ବିସ୍ଥାପିତ ; ଗୋଟିଏ କୋଠାରେ ଗୋଟିଏ ଗାଁ

0

କୋରାପୁଟ : କୋରାପୁଟ ସହରର ନାକ ତଳେ ଷଢ଼ୁଛନ୍ତି ନାରାୟଣପାଟଣାର ବିସ୍ଥାପିତ। ଜଣେ ଦୁଇଜଣ ନୁହେଁ କି ଦିନେ ଦୁଇଦିନ ନୁହେଁ ଆଜକୁ ୧୦ବର୍ଷ ହେଲା ଗୋଟିଏ କୋଠାରେ ପ୍ରାୟ ୪୫ପରିବାର ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଅଭାବ। ତଥାପି ଗୋଟିଏ ଗୋଟିଏ ଘରେ ଭାଗ ବାଣ୍ଟି ହୋଇ ରହିଛନ୍ତି ୪୫ପରିବାରର ଶତାଧିକ ଅଧିବାସୀ। ଗୁରୁତ୍ୱପୂର୍ଣ୍ଣ କଥା ନାରାୟଣପାଟଣାରେ ଏମାନଙ୍କ ଘରଦ୍ୱାର ଥିଲେ ହେଁ ବଞ୍ଚିବାର ମୋହ ଏମାନଙ୍କୁ ଏଠାରେ ବାନ୍ଧି ରଖିଛି। ପ୍ରଶାସନ ଏମାନଙ୍କୁ ବାରମ୍ବାର ନାରାୟଣପାଟଣା ଚାଲିଯିବା ପାଇଁ ପରାମର୍ଶ ଦେଉଥିଲେ ମଧ୍ୟ ‘ଆମକୁ ଜୀବନ ଦରକାର, ଜୀବିକା ନୁହେଁ’ ବୋଲି ଏମାନଙ୍କ ଯୁକ୍ତି। ହାଡ଼ଥରା
ଶୀତରେ କଲବଲ ହେଉଛନ୍ତି ପିଲାଠାରୁ ବୁଢ଼ାବୁଢ଼ି। ତଥାପି ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। ଛାତ ତଳେ ୩୮ପରିବାର ରହୁଥିବାବେଳେ ଉପରେ ୭ ପରିବାର ବସବାସ କରୁଛନ୍ତି। କୋରାପୁଟିଆ ଥଣ୍ଡାରେ ସେମାନଙ୍କ ମଧ୍ୟରୁ ଅନେକ ରୋଗଗ୍ରସ୍ତ ହୋଇଗଲେଣି।
କୋରାପୁଟ ଜିଲା ନାରାୟଣପାଟଣା ଅଞ୍ଚଳରେ ଚାଷୀମୂଲିଆ ସଂଘ ଆନ୍ଦୋଳନ ବେଳେ ବିସ୍ଥାପିତ ହୋଇଥିବା ଏହିସବୁ ପରିବାର ଆଜକୁ ୧୦ବର୍ଷ ହେଲା କୋରାପୁଟ ସହରରେ ଭଙ୍ଗା ହଷ୍ଟେଲ ଓ ପଲିଥିନ ତଳେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ସ୍ଥାନ ଅଭାବରୁ ପାଇଖାନାରେ ବି ଏମାନେ ରହିବାକୁ ବାଧ୍ୟ ହୋଇଛନ୍ତି। ଦୁର୍ଦିନ ଅବସ୍ଥାରେ ଥିବା ଏହି ସ୍ଥାନରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ବ କଲେଜ ପଢ଼ୁଆ ପୁଅ ଝିଅ ବି ରହିଛନ୍ତି। କିଛି ଝିଅ ବିଜ୍ଞାନ ପାଠ୍ୟକ୍ରମ ମଧ୍ୟ ପଢ଼ୁଛନ୍ତି। ଅନେକ ପିଲା ସ୍କୁଲ ଯାଉଥିବା ଜଣାଯାଇଛି।
ଗତ ୨୦୦୯ ମସିହାରେ ନାରାୟଣପାଟଣା ଅଞ୍ଚଳରେ ଚାଷି ମୂଲିଆ ସଂଘର ବିବାଦ ତେଜିବା ପରେ ନାରାୟଣପାଟଣା ବ୍ଲକର ପୋଡାପଦର, ତଳଗୁମାଣ୍ଡି ଓ ଅନ୍ୟାନ୍ୟ ସ୍ଥାନରୁ ବହୁ ପରିବାର ଭୟରେ ଭିଟାମାଟି ଛାଡ଼ିଥିଲେ। ପରିବାର, ପିଲାଛୁଆ, ପେଡ଼ି ପୁଟୁଳି ଧରି ସେମାନେ ଜିଲା ପ୍ରଶାସନର ଆଶ୍ରୟ ନେଇଥିଲେ। ଏଠାରେ ପହଞ୍ଚିବା ପରେ କୋରାପୁଟ ସହରର ବିଭିନ୍ନ ସ୍କୁଲ, ଅଦରକାରୀ ହଷ୍ଟେଲରେ ସେମାନେ ଆଶ୍ରୟ ନେଇଥିଲେ। ସେଥିମଧ୍ୟରୁ ପ୍ରାୟ ୪୫ଟି ପରିବାର କୋରାପୁଟ ଜଙ୍ଗଲ ବିଭାଗର ଚେକ୍‍ପୋଷ୍ଟ ନିକଟସ୍ଥ ମୃତ୍ତିକା ସଂରକ୍ଷଣ ବିଭାଗର ଏକ ପୁରୁଣା କୋଠାରେ ଆଶ୍ରୟ ନେଇଥିଲେ। ସ୍ଥାନ ଅଭାବରୁ କିଛି ପରିବାର ବାହାରେ ପଲିଥିନ୍‍ ତଳେ କୁଡ଼ିଆ କରି ରହିଲେ। କିଛି ଛାତ ଉପରେ ପଲିଥିନ ଢାଙ୍କି ରହିଲେ। ପରିସ୍ଥିତି ଏପରି ହେଲା ଗୋଟିଏ ଗୋଟିଏ ପଲିଥିନ ଟଙ୍ଗା ଘରେ ଚାରି/ପାଞ୍ଚ ପରିବାର ରହିବାକୁ ବାଧ୍ୟ ହୋଇଛନ୍ତି। ବିସ୍ଥାପିତ ହୋଇଥିବା ଲୋକେ ମୁଖ୍ୟତଃ ଶ୍ରମିକ ଶ୍ରେଣିର ଓ ମୂଲ ଲାଗି ରୋଜଗାର କରୁଥିବା ବେଳେ ସେମାନଙ୍କ ପୁଅ ଝିଅଙ୍କ ମଧ୍ୟରୁ କିଛି କେଲଜରେ ଡିଗ୍ରୀ ହାସଲ କରିଥିବା ବେଳେ କିଛି ବର୍ତ୍ତମାନ ମଧ୍ୟ କଲେଜ ପାଠ ପଢୁଛନ୍ତି। ଛୋଟ ପିଲାମାନେ ମଧ୍ୟ ସ୍କୁଲ ଯିବା ଛାଡିନାହାଁନ୍ତି। ପାଠ ପଢିବାକୁ ଯେମିତି ସେମାନଙ୍କ ମନରେ ଉତ୍ସାହ ଭରି ରହିଛି। ବିଗତ ୧୦ବର୍ଷରେ ସେମାନଙ୍କୁ ସଂର୍ଘଷ କରିବାକୁ ପଡୁଛି। ବର୍ଷାରେ ଟିକିଏ ପଲିଥିନ ପାଇବା ପାଇଁ ସେଠାକାର ଜଣେ ଅଧିବାସୀ କହନ୍ତି, କୋରାପୁଟ ରାଜସ୍ୱ ନିରୀକ୍ଷକଙ୍କ ପାଖକୁ ପଲିଥିନ ଖଣ୍ଡିକ ପାଇଁ ସେମାନେ ଅନୁରୋଧ କରିବାକୁ ଗଲା ବେଳେ ସେମାନଙ୍କୁ ବର୍ଷା ସରିଲା ବେଳକୁ ପଲିଥିନ ଖଣ୍ଡେ ଖଣ୍ଡେ ଯୋଗାଇ ଦିଆଗଲା, ତାହା ପୁଣି ନିଅଣ୍ଟ ପଡ଼ୁଛି। ୧୦ ବର୍ଷ ହେବ ଶୀତ କାକରରେ ଷଢୁଥିବା ବେଳେ ଥଣ୍ଡାରେ ଅନେକ ରୋଗାକ୍ରାନ୍ତ ହୋଇଗଲେଣି। ଛାତ ଉପରେ ରହୁଥିବା ଜଣେ ଯୁବତୀ ପକ୍ଷାଘାତର ଆକ୍ରାନ୍ତ ହୋଇ ଛାତ ତଳକୁ ମଧ୍ୟ ସହଜରେ ଓହ୍ଲାଇପାରୁନାହାନ୍ତି। ଦୁଃଖର କଥା କିଛି ବୟୋଜ୍ୟେଷ୍ଠ ଲୋକ କହନ୍ତି ଆମର ଏଭଳି ଅବସ୍ଥା ଯୋଗୁଁ ‘ଆମ ଝିଅଙ୍କୁ କେହି ବାହା ହେଉନାହାନ୍ତି କି ଆମ ପୁଅଙ୍କୁ କେହି ଝିଅ ଦେଉନାହାନ୍ତି’। କେତେ ବିଧାୟକ, ସାଂସଦ ନେତା ସେହି ବାଟ ଦେଇ ଯାଉଛନ୍ତି, ଏମାନଙ୍କ ଦୁର୍ଦିନ ଅବସ୍ଥା ଦେଖୁଛନ୍ତି ସତ, କିନ୍ତୁ କେହି କିଛି ଉଦ୍ୟମ କରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆମକୁ ସରକାରୀ ଜାଗା ଟିକିଏ ଦେଇଦେଲେ ଆମେ ମୁଣ୍ଡ ଗୁଞ୍ଜି ରହିଯିବୁ’ ବୋଲି କେତେ ନେହୁରା ହେଲୁଣି, ଜିଲାପାଳ ଆମର ବାବୁ, ସେ ତ ଶୁଣୁନାହାନ୍ତି। ବଞ୍ଚିବୁ କେମିତି, ଆମେ କ’ଣ ଅଲୋଡ଼ା ବୋଲି ପ୍ରଶ୍ନ କରିଛନ୍ତି ଏଠାକାର ଅଧିବାସୀ। ବସ୍ତିରେ ୨୦ ରୁ ୨୫ କୁନି କୁନି ପିଲା ନିଜର ଶୈଶବକୁ ବାପା ମଆ ହାତରେ ଟେକି ଦେଇ ଖେଳକୁଦ ପାଠପଢ଼ାରେ ମାତୁଛନ୍ତି। ଠିକ ଯେପରି ୧୦ବର୍ଷ ତଳେ ଯେଉଁ ଛୋଟ ପିଲା ଥିଲା ସିଏ ବି ଆଜି ପ୍ରତିକୂଳ ପରିସ୍ଥିତିରେ ପାଠ ପଢି ଶିକ୍ଷିତ ହୋଇଛି ସତ କିନ୍ତୁ ନିଜ ତଥା ନିଜ ପରିବାର ପାଇଁ କିଛି ବି କରିପାରିନାହିଁ। ପିଲାଠାରୁ ବୁଢ଼ା ସତେ ଯେପରି ସମସ୍ତେ ଆଜି ପ୍ରଶାସନ ଓ ରାଜନେତାଙ୍କ ପାଇଁ ଅଲୋଡ଼ା। ଏମାନଙ୍କ ପାଇଁ ଶୌଚାଳୟ ନିକଟସ୍ଥ ଜମି ଓ ପଡିଆ ପାଲଟିଛି। ପିଇବା ପାଣି, ବଜୁଳି ଆଦିର ସୁବିଧା ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏମାନଙ୍କୁ ନାରାୟଣପାଟଣା ଯିବାକୁ ପଡ଼ୁଛି। ବିସ୍ଥାପନର ଦୁଃଖ ସତ୍ତ୍ବେ ସହରୀ ଢାଞ୍ଚାରେ ପାଠପଢ଼ା ଓ ସୁବିଧା ସୁଯୋଗ ପ୍ରତି ଆକର୍ଷିତ ହୋଇ ନାନା ଆଶାରେ ପଡ଼ି ରହିଥିବା ଏହି ଅଭାବୀ ଲୋକଙ୍କ ପାଇଁ କୋରାପୁଟ ଆଜି ନିଜ ଗାଁ ପାଲଟିଛି। ନାରାୟଣପାଟଣା ପରିସ୍ଥିତି ସୁଧାର ଆସିବା ପରେ ମଧ୍ୟ ସେମାନେ ସହରରେ ରହିବାକୁ ହିଁ ସୁରକ୍ଷିତ ମନୁଛନ୍ତି। କିନ୍ତୁ ମୌଳିକ ସୁବିଧା ରୁ ସେମାନେ ବଞ୍ଚିତ ରହୁଛନ୍ତି। ସେମାନଙ୍କ ଦାବି ଯେ, ସେମାନଙ୍କୁ କୌଣସି ଏକ ଜାଗାରେ ବିଧିବଧ ଭାବେ ମୌଳିକ ସୁବିଧା ଦେଇ ରଖାଯାଉ, ଯେଉଁଠି ସେମାନେ ବଞ୍ଚିବା ସହ ନିଜର ଜୀବିକା ଖୋଜି ଭବିଷ୍ୟତର ସଫଳତାର ସିଡ଼ି ଦେଖିପାରିବେ। କୋରାପୁଟ କୋଳରେ ଶରଣ ପଶିଥିବା ନାରାୟଣପାଟଣା ବିସ୍ଥାପିତଙ୍କୁ କେବେ ନ୍ୟାୟ ମିଳିବ, କିଏ ସେମାନଙ୍କ ଦୁଃଖ ବୁଝିବ ତାହା ହିଁ ଏବେ ବଡ଼ ପ୍ରଶ୍ନ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ ଏଦିଗରେ ଅନୁଧ୍ୟାନ କରି ନୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

Leave A Reply