କୋରାପୁଟରେ ବଦଳିଛି ପାରମ୍ପରିକ କୃଷି; ହରାଇବ ଜାତିସଂଘ ମାନ୍ୟତା

କୋରାପୁଟ(ନିହାର ପଟ୍ଟନାୟକ): ପ୍ରାଚୀନ ଜନଜାତି ଅଧ୍ୟୁଷିତ, ସବୁଜିମାମଣ୍ଡିତ ଏବଂ ସୁଉଚ୍ଚ ପୂର୍ବଘାଟ ପର୍ବତମାଳା ପରିବେଷ୍ଠିତ କୋରାପୁଟ ଜିଲା ତାହାର ଜଳବାୟୁ ଏବଂ ସୌନ୍ଦର୍ଯ୍ୟ ପାଇଁ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏହାର ପରିବେଶ, ଜନଜାତିଙ୍କ ଜୀବନଯାପନ ଶୈଳୀ ସହରୀ ଲୋକଙ୍କୁ ଯେଉଁଭଳି ଆକୃଷ୍ଟ କରେ, ଠିକ୍‍ ସେମିତି ଜିଲାର କୃଷି ବ୍ୟବସ୍ଥା। ପାରମ୍ପରିକ ଶୈଳୀରେ ଏଠିକାର ଅଧିବାସୀମାନେ ବର୍ଷତମାମ ଧାନ, ମାଣ୍ଡିଆ ଭଳି ଶସ୍ୟଠାରୁ ଆରମ୍ଭକରି ମକା, ସୋରିଷ, ଚିନାବାଦାମ, ଆଳୁ ଆଦି କୃଷିଜାତ ସାମଗ୍ରୀ ଉତ୍ପାଦନ କରନ୍ତି। ତାହାସହିତ ଏଠାରେ ଉତ୍ପାଦିତ ଅଦା ସାରା ଭାରତର ବଜାରକୁ ବିକ୍ରିପାଇଁ ପଠାଯାଇଥାଏ। ମଦର ଡାଏରୀର ଆଗ୍ରୋ ଡିଭିଜନ ପକ୍ଷରୁ ଏଠାରେ ବର୍ଷାଦିନେ ଉତ୍ପାଦିତ ଆଳୁକୁ କିଛିବର୍ଷ ହେଲା ନିଆଯାଇ ତାହାର ବାଙ୍ଗାଲୋର, ଦିଲ୍ଲୀଭଳି ମେଟ୍ରୋ ସହରରେ ଥିବା ଆଉଟ୍‍ଲେଟଗୁଡିକରେ ‘ପାହାଡି ଆଳୁ’ ନାମରେ ବିକ୍ରି କରାଯାଉଛି ଏବଂ ସେଠାରେ କୋରାପୁଟ ଆଳୁର ଯଥେଷ୍ଟ ଚାହିଦା ରହିଛି। ଜିଲାର ଦେଓମାଳି ପର୍ବତ ପାଦଦେଶରେ ବର୍ଷତମାମ ବାଇଗଣ, ବିନ୍‍ସ, ବିଲାତିବାଇଗଣ, କୋବି, ଶାଗ ଆଦି ଉତ୍ପାଦିତ ହୋଇ ରାଜ୍ୟର ଭୁବନେଶ୍ୱର, କଟକ ଭଳି ସହର ଏବଂ ଅନ୍ୟ ସ୍ଥାନକୁ ପଠାଯାଉଛି। ତାହାସହିତ ଏଠାରୁ ପନିପରିବାର ଆନ୍ଧ୍ର ପ୍ରଦେଶର ଅନେକ ସ୍ଥାନକୁ ମଧ୍ୟ ବିକ୍ରିପାଇଁ ଯାଉଛି। ବିନା ରାସାୟନିକ ସାର ଏବଂ କୀଟନାଶକ ପ୍ରୟୋଗରେ ଏଠାରେ ପନିପରିବା ଉତ୍ପାଦିତ ହେଉଥିବାରୁ ସବୁସ୍ଥାନରେ ତାହାର ଯଥେଷ୍ଟ ଆଦର ରହିଥିଲା। ଏବେ କିନ୍ତୁ ତାହା ସେହି ଅର୍ଗାନିକ୍‍ ମାନ୍ୟତା ହରାଇବାକୁ ବସିଛି। ଅଧିକ ଅମଳ, ଅଧିକ ଉପାର୍ଜନ ଲୋଭରେ ଆଦିମ ଅଧିବାସୀମାନେ ଏବେ ସେଥିରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରିବା ଆରମ୍ଭ
କରିଛନ୍ତି। ମୁଖ୍ୟତଃ ଉଦ୍ୟାନକୃଷି ସାମଗ୍ରୀକୁ ସାଇତି ରଖିବାକୁ ଜିଲାରେ ଶୀତଳଭଣ୍ଡାରର ଅଭାବ ଏଠାକାର ଅଧିବାସୀଙ୍କୁ ଅଧିକ ଲାଭ ପାଇବା ଆଶାରେ ସାର ବ୍ୟବହାର କରିବାକୁ ବାଧ୍ୟ କରୁଥିବା କହିଛନ୍ତି ଅନେକ ଚାଷୀ। ସବୁଠାରୁ ବଡକଥା ହେଉଛି କୋରାପୁଟ ଜିଲାର ପାରମ୍ପରିକ କୃଷିକୁ ଜାତିସଂଘ ପକ୍ଷରୁ ଐତିହ୍ୟ ମାନ୍ୟତା ପ୍ରଦାନ କରାଯାଇଥିଲା। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ପକ୍ଷରୁ ଓଡ଼ିଶାର କୋରାପୁଟ ଜିଲାରେ ଅନୁସୃତ କୃଷି ପଦ୍ଧତିକୁ ‘ଗ୍ଲୋବାଲି ଇମ୍ପୋର୍ଟାଣ୍ଟ ଏଗ୍ରିକଲଚରାଲ ହେରିଟେଜ ସିଷ୍ଟମ (ଜିଆଇଏଏଚଏସ) ମାନ୍ୟତା ଦିଆଯାଇଥିଲା। କିନ୍ତୁ ସେହି ମାନ୍ୟତା ଏବେ ହାତଛଡା ହେବା ଆଶଙ୍କା ଦେଖାଦେଇଛି। ଜିଲାରେ ଶିଳ୍ପ ପ୍ରତିଷ୍ଠା, ଶିଳ୍ପ ଦ୍ୱାରା ହେଉଥିବା ପ୍ରଦୂଷଣ, ଜଙ୍ଗଲକ୍ଷୟ ଜନିତ ତାପମାତ୍ରା ବୃଦ୍ଧି,
ପ୍ରାକୃତିକ ଜଳଉତ୍ସଗୁଡିକର ପ୍ରଦୂଷଣ, କୃଷି କ୍ଷେତ୍ରରେ ଜେନେଟିକାଲି ମଡିଫାଏଡ (ଜିଏମ) ବିହନ ଏବଂ ରାସାୟନିକ ସାର, କୀଟନାଶକ ଆଦିର ବ୍ୟବହାର ଏଭଳି ଆଶଙ୍କା ସୃଷ୍ଟି କରିଛି। ଏକଥାକୁ ଜିଲାର ଜଣେ ବରିଷ୍ଠ କୃଷି ଅଧିକାରୀ ମଧ୍ୟ ସ୍ୱୀକାର କରିଛନ୍ତି।
୨୦୦୨ରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ସମଗ୍ର ବିଶ୍ୱରେ ସର୍ବୋତ୍କୃଷ୍ଟ କୃଷି ଜ୍ଞାନକୌଶଳ ବ୍ୟବସ୍ଥାକୁ ସ୍ୱୀକୃତି ପ୍ରଦାନ, ସଂରକ୍ଷଣ ଓ ପରିଚାଳନା ଉଦ୍ଦେଶ୍ୟରେ ଏକ ପ୍ରୟାସ ଆରମ୍ଭ କରାଯାଇଥିଲା ଏବଂ ତାହା ଜିଆଇଏଏଚଏସ ନାମରେ ପରିଚିତ ହୋଇଥିଲା। ଏଥିରେ ଖାଦ୍ୟ ଓ ଜୀବିକା ନିରାପତ୍ତା ତଥା ଚାଲିଚଳଣିକୁ ସୁରକ୍ଷିତ ରଖିବା ପ୍ରତି ମଧ୍ୟ ଧ୍ୟାନଦେବା ବ୍ୟବସ୍ଥା କରାଯାଇଥିଲା। ବିଶ୍ୱରେ ୧୦୦ରୁ ୧୫୦ଟି ଏହିଭଳି କୃଷି ବ୍ୟବସ୍ଥା ଚିହ୍ନଟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେହି ସମୟରେ ପେରୁ, ଚିଲି, ଫିଲିପାଇନ୍ସ, ଆଲଜେରିଆ, ଟ୍ୟୁନିସିଆ, ଚୀନ, କେନିୟା, ତାଞ୍ଜାନିଆ, ଜାପାନ ଆଦି ରାଷ୍ଟ୍ରର କେତେକ କୃଷି ବ୍ୟବସ୍ଥାକୁ ଚିହ୍ନଟ କରାଯାଇଥିବାବେଳେ ୨୦୧୨ରେ କୋରାପୁଟ କୃଷି ବ୍ୟବସ୍ଥା ଜାତିସଂଘର ଐତିହ୍ୟ ମାନ୍ୟତା ହାସଲ କରିଥିଲା। ଏଭଳି ମାନ୍ୟତା ପାଇବାରେ କୋରାପୁଟର କୃଷିବ୍ୟବସ୍ଥା ଦେଶରେ ପ୍ରଥମ ଥିଲା। ଚେନ୍ନଇସ୍ଥିତ ଏମଏସ ସ୍ୱାମୀନାଥନ୍‍ ରିସର୍ଚ୍ଚ ଫାଉଣ୍ଡେସନ (ଏମଏସଏସଆରଏଫ) ପକ୍ଷରୁ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ନିକଟରେ କୋରାପୁଟର ପାରମ୍ପରିକ କୃଷି ବ୍ୟବସ୍ଥା ସମ୍ପର୍କରେ ଦାଖଲ କରାଯାଇଥିବା ଏକ ରିପୋର୍ଟ ଆଧାରରେ ଏହି ମାନ୍ୟତା ମିଳିଥିଲା। ସ୍ୱାମୀନଥନ୍‍ ଫାଉଣ୍ଡେସନ ରିପୋର୍ଟରେ କୁହାଯାଇଥିଲା ଯେ କୋରାପୁଟ ଜିଲାରେ ୭୯ ପ୍ରକାରର ସପୁଷ୍ପକ ବା ଆବୃତବୀଜ ଉଦ୍ଭିଦ ଏବଂ ଗୋଟିଏ ପ୍ରଜାତିର ଅନାବୃତବୀଜୀ ଉଦ୍ଭିଦ ଦେଖିବାକୁ ମିଳୁଛି। ଆଦିବାସୀ ଜନତାଙ୍କ ନିକଟରେ ଆନୁବଂଶିକ ବୈଭବ ରହିଥିଲେ ମଧ୍ୟ ସେମାନେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିପାରୁନାହାନ୍ତି। ତେଣୁ କିଭଳି ଲୋକଙ୍କୁ ସଂପୃକ୍ତି କରି, ପ୍ରକୃତି ଉପଯୋଗୀ, ଦାରିଦ୍ର୍ୟ ଦୂରକାରୀ ଏବଂ ମହିଳା ସହଭାଗିତାଭିତ୍ତିରେ ଉକ୍ତ ଅଞ୍ଚଳରେ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଗ୍ରାମାଞ୍ଚଳରେ ସମୃଦ୍ଧି ହାସଲ କରାଯାଇପାରିବ, ତାହା ମୂଳ ଲକ୍ଷ୍ୟ ହେବା ଦରକାର ବୋଲି ରିପୋର୍ଟରେ ଦର୍ଶାଯାଇଥିଲା। ପିଢି ପରେ ପିଢି କୋରାପୁଟର ଜନସାଧାରଣ ଏହି ଚାଷ ପଦ୍ଧତିକୁ ଅନୁସରଣ କରିଆସୁଛନ୍ତି ଏବଂ ସେମାନେ ବିହନ ମନୋନୟନ ଠାରୁ ମୃତ୍ତିକାର ଗୁଣବତ୍ତା ପରୀକ୍ଷା ପର୍ଯ୍ୟନ୍ତ ସବୁକିଛି ପାରମ୍ପରିକ ଶୈଳୀରେ କରିଥାନ୍ତି। ଏହା କୃଷିକ୍ଷେତ୍ରରେ ଆନୁବଂଶିକ ବୈଭବ ବଜାୟ ରଖିବାରେ ସଫଳ ହୋଇପାରିଛି ବୋଲି ରିପୋର୍ଟରେ କୁହାଯାଇଥିଲା। ଏମଏସଏସଆରଏଫ ପକ୍ଷରୁ ଜିଲାରେ ଜୈବ ବିବିଧତାର ସଂରକ୍ଷଣ ନିମନ୍ତେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବା ସହିତ ଜାତିସଂଘର ଜିଆଇଏଏଚଏସ ପ୍ରକଳ୍ପ ଅଧୀନରେ ଏକ ଜେନେଟିକ ହେରିଟେଜ ପାର୍କ ସ୍ଥାପନ ନିମନ୍ତେ ମଧ୍ୟ ପ୍ରସ୍ତାବ ଦେଇଥିଲା। ପରବର୍ତ୍ତୀ ସମୟରେ ବଟାନିକାଲ ସର୍ଭେ ଅଫ ଇଣ୍ଡିଆ ଏବଂ ନ୍ୟାସନାଲ ବ୍ୟୁରୋ ଅଫ୍‍ ପ୍ଲାଣ୍ଟ ଜେନେଟିକ ରିସୋର୍ସେସ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଥିଲା ଯେ କୋରାପୁଟ ସମୃଦ୍ଧ ପୁଷ୍ପ ବିବିଧତାର ଏକ ଗନ୍ତାଘର, ଯେଉଁଠି ୨୫୦୦ ପ୍ରକାରର ଫୁଲ ଫୁଟୁଥିବା ଉଦ୍ଭିଦ, ଆବୃତବୀଜୀ ଏବଂ ଅନାବୃତବୀଜୀ ତଥା ଗୁଳ୍ମ ଦେଖାଯାଏ। ଜିଲାର ଜୈବ ବିବିଧତାରେ ରହିଛି ୩୪୦ ପ୍ରଜାତିର ଧାନ, ୮ ପ୍ରଜାତିର ଛୋଟ ମକା, ୯ ପ୍ରଜାତିର ଡାଲି, ୫ ପ୍ରଜାତିର ତୈଳବୀଜ, ୩ ପ୍ରଜାତିର ତନ୍ତୁବିଶିଷ୍ଟ ଉଦ୍ଭିଦ ଏବଂ ୭ ପ୍ରଜାତିର ପନିପରିବା।
ସାଧାରଣତଃ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ଐତିହ୍ୟ ମାନ୍ୟତା ପାଇବାପରେ ଏଠାରେ ଜେନେଟିକାଲି ମଡିଫାଏଡ (ଜିଏମ) ବିହନ ବ୍ୟବହାରକୁ ଦୂରେଇ ରଖାଯିବା କଥା। କିନ୍ତୁ ତାହା ହୋଇନାହିଁ। ମୁକ୍ତ ବଜାର ବ୍ୟବସ୍ଥା ଏବଂ ଗଣମାଧ୍ୟମର ବହୁଳ ପ୍ରସାର ସ୍ଥାନୀୟ ଅଧିବାସୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଛି। ସେମାନେ ଅଧିକ ଅମଳ ଏବଂ ଅଧିକ ଲାଭ ଉପାର୍ଜନ କରିବା ଆଶାରେ ବଜାରରେ ଅବାଧରେ ମିଳୁଥିବା ଜିଏମ୍‍ ବିହନ, ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଯାହା ଏହି ଅଞ୍ଚଳର କେବଳ ପାରମ୍ପରିକ କୃଷି ନୁହେଁ, ଜୈବ ବିବିଧତା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିବା ଆରମ୍ଭ କରିଛି। କୋରାପୁଟ ଜଳବାୟୁ କଫି, ଫଳ, ପନିପରିବା, ଫୁଲ, ଛତୁ, ମହୁ, ତୈଳବୀଜ, ମକା ଆଦି ଚାଷ ନିମନ୍ତେ ଉପଯୋଗୀ ହୋଇଥିବାବେଳେ ତାହାର ସଂରକ୍ଷଣ ଏବଂ ସୁରକ୍ଷା ଦିଗରେ ସରକାରୀ ସ୍ତରରେ ଯେତିକି ଉଦ୍ୟମ କରାଯିବା କଥା ତାହା ହେଉନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ପାରମ୍ପରିକ ବିହନର ଅଭାବ, କୃଷକମାନଙ୍କୁ ସଂଗଠିତ କରି ସେମାନଙ୍କୁ ଜିଲାର ପାରମ୍ପରିକ କୃଷି ପଦ୍ଧତି ସମ୍ପର୍କରେ ଅବଗତ ଓ ସଚେତନ କରିବା ସହିତ ତାହା ଅନୁସରଣ କରିବା ନିମନ୍ତେ ପ୍ରୟାସର ଅଭାବ, ଶୀତଳ ଭଣ୍ଡାର ଏବଂ ସଂଗଠିତ ବଜାର ବ୍ୟବସ୍ଥା ନଥିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଦି କାରଣ ଜିଲାର ଅଧିବାସୀଙ୍କୁ କମ୍‍ ସମୟ ମଧ୍ୟରେ ଅଧିକ ଉପାର୍ଜନ ପାଇଁ ଚିନ୍ତା କରିବାକୁ ବାଧ୍ୟ କରୁଛି ବୋଲି କିଛି ବାସିନ୍ଦା ମତ ଦେଇଛନ୍ତି।
ଜିଲାର ଜଣେ ବରିଷ୍ଠ କୃଷି ଅଧିକାରୀ ମଧ୍ୟ ଜିଲାର କୃଷି ବ୍ୟବସ୍ଥାରେ ଏଭଳି ସ୍ଥିତିକୁ ସ୍ୱୀକାର କରିଛନ୍ତି। ତାଙ୍କ ମତରେ ସରକାରୀ ସ୍ତରରେ କୋରାପୁଟକୁ ସଂପୂର୍ଣ୍ଣ ଭାବେ ଅର୍ଗାନିକ ଜିଲା ଭାବେ ଘୋଷଣା କରାଯାଇ ଏହାର ପାରମ୍ପରିକ କୃଷି ବ୍ୟବସ୍ଥାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା, ଆଦିମ ଅଧିବାସୀଙ୍କୁ ପାରମ୍ପରିକ ବ୍ୟବସ୍ଥା ଅନୁସରଣ କରିବା ତଥା ସେଭଳି କ୍ଷେତ୍ରରେ ହେଉଥିବା କମ୍‍ କୃଷି ଉତ୍ପାଦନଜନିତ କ୍ଷତି ଭରଣା କରିବାକୁ ଅନ୍ୟ ବିକଳ୍ପ ବ୍ୟବସ୍ଥା ହେଲେ ଏବଂ ତାହାକୁ କଡାକଡି ଭାବେ ଲାଗୁ କରାଗଲେ ଜିଲାର ପାରମ୍ପରିକ କୃଷିକୁ ପୁଣି ପୂର୍ବ ଅବସ୍ଥାକୁ ଫେରାଇ ଅଣାଯାଇପାରିବ। ଏବେ ସେଭଳି ବିଳମ୍ବ ହୋଇଯାଇନାହିଁ। ଜିଏମ୍‍ ବିହନ ବ୍ୟବହାର ଦ୍ୱାରା ସ୍ଥାନୀୟ ପାରମ୍ପରିକ ବିହନ ପ୍ରଭାବିତ ହେବା ଏବଂ ବିଶେଷକରି ସ୍ଥାନୀୟ ଧାନଚାଷରେ ରହିଥିବା ବିବିଧତା ଉପରେ ପ୍ରତିକୂଳ ପ୍ରଭାବ ପଡିବା ଆଶଙ୍କା ରହିଥିବା ବିଷୟକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି। ସବୁଠାରୁ ବଡକଥା ହେଉଛି, ଏଠାରେ ଜିଏମ୍‍ ବିହନ ଏବଂ ରାସାୟନିକ ସାର ବ୍ୟବହାରକୁ ସରକାରୀସ୍ତରରେ ନିରୁତ୍ସାହିତ କରାଯିବାର ଆବଶ୍ୟକତା ଥିବାବେଳେ ସରକାରୀ ସ୍ତରରେ କିନ୍ତୁ କିଭଳି ଅଧିକ ସାର ବ୍ୟବହାର କରାଯିବ ଏବଂ ଅଧିକ ଫସଲ ଉତ୍ପାଦନ ହେବ, ସେହି ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି। ବଦଳରେ ଏହା ଏକ ବିଶ୍ୱ ଐତିହ୍ୟର ମୃତ୍ୟୁ ପାଇଁ ବାଟ କଢାଉଛି।