ବୌଦ୍ଧ ଧର୍ମ ଗ୍ରହଣ କଲେ କୋରାପୁଟ ବିଧାୟକ

0

ଲକ୍ଷ୍ମୀପୁର : କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଛନ୍ତି। ତେବେ ସେ ଧର୍ମ ପରିବର୍ତ୍ତନ କରିନାହାନ୍ତି ବରଂ ସ୍ୱଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। କୋରାପୁଟ ଜିଲା ଲକ୍ଷ୍ମୀପୁରରେ ଶନିବାର ଆରମ୍ଭ ହୋଇଥିବା ବୌଦ୍ଧ ଧର୍ମର ଧମ୍ମକ୍ରାନ୍ତି ସମାରୋହ ରବିବାର ଉଦ୍‍ଯାପିତ ହୋଇଯାଇଛି। ଲକ୍ଷ୍ମୀପୁର ବ୍ଲକର ବୁର୍ଜା ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଚାଲିଥିବା ଦୁଇଦିନିଆ ଶିବିରରେ କୋରାପୁଟ ବିଧାୟକଙ୍କ ସହ ତାଙ୍କ ବଡ଼ ଭାଇ ଈଷ୍ଟ ସଗରିଆଙ୍କ ପରିବାର ସହ ୨୩ପରିବାର ବୌଦ୍ଧଧର୍ମ ଗ୍ରହଣ କରିଛନ୍ତି। ବିଧାୟକ ଶ୍ରୀ ସଗରିଆ କହିଲେ ବୌଦ୍ଧ ଧର୍ମ ହେଉଛି ଏକ ସିଦ୍ଧାନ୍ତ। ଯାହାଦ୍ୱାରା ପରିବର୍ତ୍ତନ ହେବା ସହ ସେଥିପାଇଁ ସେ ଏହି ଧର୍ମକୁ ଆପଣାଇଲେ ବୋଲି କହିବା ସହ ଯେଉଁ କଳିଙ୍ଗରୁ ବୌଦ୍ଧ ଧର୍ମର ବାର୍ତ୍ତା ସମଗ୍ର ପୃଥିବୀକୁ ଯାଇଥିଲା ସେ ତାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ। ୨୩ଟି ପରିବାର ଛୋଟ ପିଲାଙ୍କୁ ଛାଡ଼ିଦେଲେ ପରିବାରର ସମସ୍ତ ସଦସ୍ୟ ବୌଦ୍ଧ ଧର୍ମ ଗ୍ରହଣ କରିବା ସହ ଯେଉଁ ଧର୍ମକୁ ଆପଣେଇଲେ ଏହି ଧର୍ମର ସମସ୍ତ ରୀତି ନିତି ପାଳନ କରିବା ପାଇଁ ଶପଥ ନେଇଛିନ୍ତି। ତେବେ ପ୍ରଥମ କରି ରାଜ୍ୟର ଜଣେ ବିଧାୟକ ହିନ୍ଦୁ ଧର୍ମ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିବାବେଳେ ବିଧାୟକ ଯେଉଁ ଦଳରେ ପ୍ରତିନିଧିତ୍ୱ କରୁଛନ୍ତି ସେହି ଦଳର ଜାଜୀୟ ସଭାପତି ରାହୁଳ ଗାନ୍ଧି ଗୁଜୁରାଟ ସହ କର୍ଣ୍ଣାଟକ ନିର୍ବାଚନରେ ଦଳର ଆଦର୍ଶକୁ ପରିବର୍ତ୍ତନ କରିଥିବାବେଳେ ବିଧାୟକ କ’ଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ। ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ସହ ଜିଲା ପରିଷଦ ସଭ୍ୟ ପ୍ରେମଚନ୍ଦ୍ର ଡଙ୍ଗ୍ରୀଙ୍କ ସହ କାଶୀପୁର, କୋରାପୁଟ ଆଦି ଅଞ୍ଚଳରୁ ବହୁସଂଖ୍ୟକ ଲୋକ ସାମିଲ୍‍ ହୋଇଥିଲେ।

Leave A Reply