କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା ; ଇଣ୍ଡୋନେସିଆ ବାଲିନିଜ୍‍ ନୃତ୍ୟରେ ରାମାୟଣର ଗାଥା

କୋଣାର୍କ : ଓଡିଶା ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଇଣ୍ଡୋନେସିଆ-ବାଲିନିଜ୍‍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ନିଖୁଣ ଭାବେ ଉପସ୍ଥାପିତ ହୋଇ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ୍‍ ନୃତ୍ୟରେ ରାମାୟଣ ମହାକାବ୍ୟ ଆଧାରିତ ସୀତା ହରଣ ପ୍ରସଙ୍ଗକୁ ଶିଳ୍ପୀଗଣ ମଚାଂୟିତ କରିଥିଲେ। ସୁବର୍ଣ୍ଣ ହରିଣୀ ପଛରେ ଶ୍ରୀରାମଙ୍କ ଅନୁଧାବନ, ଲକ୍ଷ୍ମଙ୍କର ଜ୍ୟେଷ୍ଠ ଭ୍ରାତାଙ୍କୁ ସହାୟତା ଦେବା ପାଇଁ ପ୍ରସ୍ଥାନ, ଦଶାନନଙ୍କ ସୀତା ହରଣ ଜଟାୟୁଙ୍କ ପ୍ରତିରୋଧ ସହ ରାବଣଙ୍କ ଦ୍ୱାରା ନିଧନର ପ୍ରତିଟି କଥା ବସ୍ତୁକୁ ଚିତ୍ରିତ କରିଥିଲେ ଇଣ୍ଡୋନେସିଆ ଶିଳ୍ପୀ। ବାଲିନିଜ୍‍ ନୃତ୍ୟର ଦ୍ୱିତୀୟ ପ୍ରସ୍ତୁତିରେ ରହିଥିଲା ସମସାମୟିକ ସେଲଟ୍‍ ସେଗାରା ଯାହା ବାଲିଦ୍ୱିପକୁ ଆସୁଥିବା ଅତିଥିଙ୍କ ସମ୍ମାନରେ ସ୍ୱାଗତ ନୃତ୍ୟ ଭାବେ ପରିବେଶିତ ହୋଇଥାଏ। ଓଡିଶା ସହ ବାଣିଜ୍ୟିକ ସମ୍ପର୍କ ଓ ଭାରତ ସହ ସାଂସ୍କୃତିକ ସମ୍ପର୍କରେ ଅନୁବନ୍ଧିତ ଉଣ୍ଡୋନେସିଆର ଏହି ନୃତ୍ୟ ଦର୍ଶକଙ୍କୁ ହଜିଲା ଦିନର ଗୈାରବମୟ ଗାଥାକୁ ମନେ ପକେଇ ଦେଇଥିଲା।

ଦ୍ୱିତୀୟ ଚରଣରେ ଗୁରୁ ଆଲୋକା କାନୁନ୍‍ଗୋଙ୍କ ସଂରଚନାରେ ସିଂଜନ୍‍ ନୃତ୍ୟାଳୟ କୋଲକତାର ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରଶି ଦେଇଥିଲେ। ସୂର୍ଯ୍ୟ ସ୍ତୃତିରୁ ଆରମ୍ଭ ହୋଇଥିଲା ଓଡିଶୀ ଶିଳ୍ପୀଙ୍କ ପରିବେଷଣ। ବ୍ରହ୍ମା-ବିଣ୍ଣୁ ଓ ମହେଶ୍ୱରଙ୍କ ସୂରୁପ-ଆଦିତ୍ୟଙ୍କ ଉପସନା ପରେ ପରେ ଶୁଦ୍ଧ ନୃତ୍ୟ ପଲ୍ଲବୀକୁ ପ୍ରସ୍ତୁତ କରିଥିଲେ ଓଡିଶୀ ନୃତ୍ୟ ଶିଳ୍ପୀ ଯାହା ରାଗ ମାନ ସମାହାର ଆଧାରରେ ସଂରଚିତ ହୋଇଥିଲା। ଅନ୍ତିମ ପ୍ରସ୍ତୁତିରେ ଦେବୀ ଆରାଧନା ସମ୍ବଳିତ ଦଶମହାବିଦ୍ୟାକୁ ନୃତ୍ୟାର୍ଯ୍ୟ ଭାବେ ଭେଟି ଦେଇଥିଲେ ସିଂଜନ୍‍ ନୃତ୍ୟାଳୟର ଶିଳ୍ପୀ।

ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପର୍ଯ୍ୟଟନ ସଚିବ ବିଶାଲ କୁମାର ଦେବ୍‍ , ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ର ନର୍ଦ୍ଦେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍‍, ଓଡିଶା ପର୍ଯ୍ୟଟନ ଉନ୍ନୟନର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏ ପ୍ରମୁଖ ଅଥିତି ରୁପେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ, ଡ. ସଂଗୀତା ଗୋସାଇଁ, ଡ. ବିଜୟ କୁମାର ଜେନା, ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ, ସରୋଜ ପ୍ରଧାନ, ବିଜୟ ଜେନା ପ୍ରଭୁତି ପରିଚାଳନାରେ ସହାୟତା ଦେଇଥିଲେ। ଆନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବରେ ଶିଳ୍ପୀଙ୍କ କଳା ଚାତୁରୀକୁ ଦେଖିନେବା ପାଇଁ ଚନ୍ଦ୍ରଭାଗା ବେଳାଭୁମୀରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲ।

Comments are closed.