ବଦଳିଲା ହାଇକୋର୍ଟ ରାୟ; ମମତାଙ୍କୁ ଧକ୍କା

0

କଲକାତା/ନୂଆଦିଲ୍ଲୀ : ବିଜେପି ରଥଯାତ୍ରା ମାମଲାରେ କଲକାତା ହାଇକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ତାଗିଦା କରିଛନ୍ତି। ଗୁରୁବାର ହାଇକୋର୍ଟର ଜଣିକିଆ ବିଚାରପତି ବିଜେପିର ରଥଯାତ୍ରା ଉପରେ ସ୍ଥଗିତାଦେଶ ଜାରି ସହ ଜାନୁଆରୀ ୯କୁ ପରବର୍ତ୍ତୀ ଶୁଣାଣି ପାଇଁ କରିଥିବାବେଳେ ଶୁକ୍ରବାର ଏଥିରେ ପରିବର୍ତ୍ତନ ଘଟିଛି। ବିଚାରପତି ବିଶ୍ୱନାଥ ସମୋଦର ଓ ବିଚାରପତି ଅରିନ୍ଦମ ମୁଖାର୍ଜୀଙ୍କୁ ନେଇ ଏହି ମାମଲାର ଶୁଣାଣି ପାଇଁ ଦୁଇଜଣିଆ ପୀଠ ଗଠନ କରାଯାଇଛି। ପୀଠ ମାମଲାର ଶୁଣାଣି କରି ଗୁରୁବାର ନିର୍ଦେଶକୁ ପରିବର୍ତ୍ତନ ପୂର୍ବକ ରଥଯାତ୍ରା ସମ୍ପର୍କରେ ଆସନ୍ତା ୧୪ତାରିଖ ସୁଦ୍ଧା ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି। ବିଜେପି ନେତାଙ୍କ ସହ ଡିସେମ୍ବର ୧୨ ସୁଦ୍ଧା ଏକତ୍ର ବୈଠକ କରି ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ଶୁଣାଇବାକୁ ପୀଠ ପରାମର୍ଶ ଦେଇଛନ୍ତି। ଗୁରୁବାରର ନିର୍ଦେଶ ପ୍ରତିବାଦରେ ଶୁକ୍ରବାର ବିଜେପି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯିବା ପରେ ଏଭଳି ରାୟ ମିଳିଛି। ବିଜେପି ପକ୍ଷରୁ ଅକ୍ଟୋବର ୨୯ଠାରୁ ରଥଯାତ୍ରା ସମ୍ପର୍କିତ ଅନୁମତି ପାଇଁ ବାରମ୍ବାରୀ ଆବେଦନ କରାଯାଇଥିଲେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଦଳୀୟ ନେତାଙ୍କ ସହିତ ଯୋଗାଯୋଗ କରି ନ ଥିବା ନେଇ ପୀଠ ବିସ୍ମୟ ପ୍ରକାଶ କରିଛନ୍ତି। ସାନି ରାୟ ମମତା ବାନାର୍ଜୀଙ୍କୁ ବଡ଼ ଧକ୍କା ଦେଇଛି। ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ହାଇକୋର୍ଟ ନିର୍ଦେଶକୁ ସ୍ୱାଗତ କରିଛନ୍ତି।
ଅପରପକ୍ଷରେ ଶୁକ୍ରବାର ସକାଳେ ପଶ୍ଚିମବଙ୍ଗ ସରକାର ବିଜେପିର ‘ଗଣତନ୍ତ୍ର ସୁରକ୍ଷା ଯାତ୍ରା’ ଆଧାରିତ ରଥଯାତ୍ରା କାର୍ଯ୍ୟକ୍ରମର ବାଟ ଓଗାଳିଥିବାରୁ ଦଳୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଥିଲେ। କଡ଼ା ସମାଲୋଚନା ପୂର୍ବକ ସେ କହିଛନ୍ତି ଯେ ବିଜେପିର ପ୍ରସ୍ତାବିତ ତିନୋଟି ରଥଯାତ୍ରା ଏବଂ କଲକାତାରେ ବିଶାଳ ଜନସମାବେଶ ରାଜ୍ୟର ଜନମତକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେବାର ଆଶଙ୍କା ଥିବାରୁ ମମତା ଭୟଭୀତ ହୋଇପଡିଛନ୍ତି। ଏଣୁ କ୍ଷମତାର ଅନୁଚିତ ଉପଯୋଗ ପୂର୍ବକ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା (ରଥଯାତ୍ରା)କୁ ବନ୍ଦ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ପଦ୍ଧତି ଆପଣାଇଛନ୍ତି। ବିଜେପିର କାର୍ଯ୍ୟକ୍ରମକୁ ଅନୁମତି ନ ଦେଇ ମମତା ସରକାର କେବଳ ଜନତାଙ୍କ କ୍ରୋଧର ସରବ୍ୟ ହୋଇଛନ୍ତି। ମମତାଙ୍କ ସମ୍ମୁଖରେ ବିଜେପି କର୍ମୀମାନେ ମୁଣ୍ଡ ନୁଆଁଇବେ ନାହିଁ। ସେ ଆଇନଗତ ବ୍ୟବସ୍ଥାକୁ ସମ୍ମାନ ଦିଅନ୍ତି। ଏହି ରଥଯାତ୍ରାକୁ ରଦ୍ଦ କରାଯାଇ ନାହିଁ; ବରଂ ପରବର୍ତ୍ତୀ ସମୟରେ ରଥଯାତ୍ରା ନିଶ୍ଚୟ ଆୟୋଜନ ହେବ। କୌଣସି ଶକ୍ତି ରଥଯାତ୍ରାକୁ ଅଟକାଇ ପାରିବ ନାହିଁ। ଭବିଷ୍ୟତରେ ଯେବେ ବି ରଥଯାତ୍ରା ଆୟୋଜନ ହେବ ସେ ନିଜେ ଏହାର ନେତୃତ୍ୱ ନେବେ ବୋଲି ଶାହା କହିଛନ୍ତି। ଶୁକ୍ରବାରଠାରୁ ପଶ୍ଚିମବଙ୍ଗର କୁଚବେହାର ଜିଲାରୁ ତିନୋଟି ରଥଯାତ୍ରା ସମ୍ବଳିତ ‘ଗଣତନ୍ତ୍ର ସୁରକ୍ଷା ଯାତ୍ରା’ କାର୍ଯ୍ୟକ୍ରମ ଆରମ୍ଭ କରିବାର ଯୋଜନା ଥିଲା। ଡିସେମ୍ବର ୯ରେ ଦକ୍ଷିଣ ୨୪ ପ୍ରଗଣା ଜିଲା ଏବଂ ଡିସେମ୍ବର ୧୪ରେ ବୀରଭୂମ ଜିଲାର ତାରାପୀଠ ମନ୍ଦିରଠାରେ ରଥଯାତ୍ରା ଶେଷ ହେବାର ଧାର୍ଯ୍ୟ ହୋଇଥିଲା। ମମତାଙ୍କ ନେତୃତ୍ୱାଧୀ ରାଜ୍ୟ ସରକାର ଏହି ରଥଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିଦେଇଥିବାବେଳେ ହାଇକୋର୍ଟ ମଧ୍ୟ ଏହା ଉପରେ ଗୁରୁବାର ସ୍ଥଗିତାଦେଶ ଲାଗୁ କରିଛନ୍ତି।

Leave A Reply