କୋହଲିଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା ପଏଣ୍ଟ

0

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ତାଲିକାରେ ତାଙ୍କ ୧ନଂ ସ୍ଥାନକୁ ଆହୁରି ମଜ୍‍ଭୁତ କରିଛନ୍ତି। କୋହଲି ଜୀବନର ଶ୍ରେଷ୍ଠ ଆଇସିସି ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ପଏଣ୍ଟ ୯୧୧ରେ ପହଞ୍ଚିଛନ୍ତି। ଘରୋଇ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍ ପରେ କୋହଲି ଅଧିକ ୨ ମାନ୍ୟତା ପଏଣ୍ଟ ପାଇଛନ୍ତି। ଏହି ସିରିଜ୍‍ରେ କୋହଲି ଚମତ୍କାର ପ୍ରଦର୍ଶନ କରି ୩ଟି ଦିନିକିଆ ମ୍ୟାଚ୍‍ରେ ୭୫, ୪୫ ଓ ୭୧ ରନ୍‍ ସ୍କୋର୍‍ କରିଥିଲେ। ୯୧୧ ପଏଣ୍ଟ ୨୭ ବର୍ଷ ପରେ ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ଙ୍କ ପାଇଁ ସର୍ବାଧିକ ମାନ୍ୟତା ପଏଣ୍ଟ। ୧୯୯୧ରେ ଅଷ୍ଟ୍ରେଲିଆର ଡିନ୍‍ ଜୋନ୍‍ସ ୯୧୮ ପଏଣ୍ଟ ପାଇଥିଲେ।
ଦିନିକିଆ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତା ଇତିହାସରେ କୋହଲିଙ୍କ ୯୧୧ ପଏଣ୍ଟ ୬ଷ୍ଠ ସର୍ବାଧିକ। ଭାରତୀୟ ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମଥର ଶୀର୍ଷ-୧୦ରେ ପ୍ରବେଶ କରିଛନ୍ତି। ଏହି ସିରିଜ୍‍ରେ ୯ଟି ୱିକେଟ ନେଇଥିବା କୁଲଦୀପଙ୍କ ମାନ୍ୟତାରେ ୮ଟି ସ୍ଥାନର ଉନ୍ନତି ଘଟିବାରୁ ଏବେ ସେ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଶୀର୍ଷ-୧୦ ଦିନିକିଆ ବୋଲର ତାଲିକାରେ ସାମିଲ ହେବାରେ କୁଲଦୀପ ୩ୟ ଭାରତୀୟ। ପେସ୍‍ ବୋଲର ଯଶପ୍ରୀତ ବୁମ୍‍ରା ମାନ୍ୟତାର ୧ନଂ ସ୍ଥାନରେ ଅଛନ୍ତି। ପୁଣି ଶୀର୍ଷ-୧୦ ଦିନିକିଆ ବୋଲର ତାଲିକାରେ କୁଲଦୀପ ହେଉଛନ୍ତି ୫ମ ସ୍ପିନର। ଅନ୍ୟ ୪ ସ୍ପିନର ହେଲେ ରସିଦ୍‍ ଖାଁ (୨ୟ), ଇମ୍ରାନ୍‍ ତାହିର (୭ମ), ଆଦିଲ ରସିଦ୍‍ (୮ମ) ଓ ୟୁଜବେନ୍ଦ୍ର ଚହଲ (୧୦ମ)। ଦିନିକିଆ ସିରିଜ୍‍ରେ କ୍ରମାଗତ ୨ଟି ମ୍ୟାଚ୍‍ରେ ଶତକ ମାରିଥିବା ଜୋ ରୁଟ୍‍ ୪ଟି ସ୍ଥାନର ଉନ୍ନତି ଘଟାଇ ୨ୟ ସ୍ଥାନରେ ପହଞ୍ଚିଛନ୍ତି। ରୁଟ୍‍ଙ୍କ ଜୀବନରେ ଏହା ସର୍ବଶ୍ରେଷ୍ଠ ମାନ୍ୟତା। ଭାରତର ରୋହିତ ଶର୍ମା ୪ର୍ଥ ସ୍ଥାନରେ ଅଛନ୍ତି। ଭାରତ ବିପକ୍ଷ ଦିନିକିଆ ସିରିଜ୍‍ରେ ଭଲ ପ୍ରଦର୍ଶନ ପରେ ଇଂଲଣ୍ଡର ବ୍ୟାଟ୍‍ସମ୍ୟାନ୍‍ ଜେସନ୍‍ ରୟ ଓ ଇଓନ୍‍ ମୋର୍ଗାନଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି। ପୁଣି ଇଂଲଣ୍ଡର ଦୁଇ ପେସ୍‍ ବୋଲର ଲିଆମ୍‍ ପ୍ଲଙ୍କେଟ୍‍ ଓ ଡେଭିଡ୍‍ ୱିଲିଙ୍କ ମାନ୍ୟତାରେ ଉନ୍ନତି ହୋଇଛି। ତେବେ ଶ୍ରୀର୍ଷ-୧୦ ଦିନିିିକିଆ ଅଲ୍‍ରାଉଣ୍ଡର ମାନ୍ୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ବାଂଲାଦେଶର ସାକିବ୍‍ ଅଲ୍‍ ହାସନ୍‍ ଶୀର୍ଷରେ ରହିଛନ୍ତି। ଭାରତକୁ ହରାଇବା ପରେ ଦିନିକିଆ ଦଳଗତ ମାନ୍ୟତାରେ ଗୋଟିଏ ପଏଣ୍ଟ ଅଧିକ ପାଇ ୧୨୭ ପଏଣ୍ଟ ସହ ଇଂଲଣ୍ଡ ତା’ର ୧ନଂ ସ୍ଥାନକୁ ଆହୁରି ମଜ୍‍ଭୁତ କରିଛି। ପରାଜୟ ପରେ ଭାରତ ଗୋଟିଏ ପଏଣ୍ଟ ହରାଇବା ସହ ୧୨୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି।

Leave A Reply