ଦିନିକିଆରେ କୋହଲି ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ : ମାଇକେଲ୍‌ କ୍ଲାର୍କ

0

ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ବୋଲି ଅନେକ ଅଭିହିତ କରୁଥିବା ବେଳେ ଦିନିକିଆ​​‌ରେ‌ର କୋହଲି ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମାଇକେଲ୍‌ କ୍ଲାର୍କ।
ଭ୍ରମଣକାରୀ ଭାରତୀୟ ଦଳ ଘରୋଇ ଅଷ୍ଟ୍ରେଲିଆକୁ ଟେଷ୍ଟ ଓ ଦିନିକିଆ ସିରିଜ୍‌ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଏ ସଂପର୍କରେ ମତ ଦେଇ କ୍ଲାର୍କ କହିଥିଲେ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ବେଶ୍‌ ଶକ୍ତିଶାଳୀ । ତେଣୁ ଏହି ଦଳ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତିବା ଆଶ୍ଚର୍ଯ୍ୟର କଥା ନୁହେଁ। ସେହିପରି କୋହଲି ବ୍ୟାଟିଂ ବଳରେ ଭାରତୀୟ ଦଳ ପାଇଁ ଯେଉଁସବୁ ସଫଳତା ହାସଲ କରିଛନ୍ତି ତାହାକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ଦିନିିକିଆ ବ୍ୟାଟସମ୍ୟାନ୍ ବୋଲି କହିବାରେ କୌଣସି ଅସୁବିଧା ନାହିଁ। ସେହିପରି ଅନ୍ତର୍ଜାତୀୟ ସ୍ତରରେ କୋହଲି ଯେପରି ଗୋଟିଏ ପରେ ଗୋଟିଏ ଶତକ ହାସଲ କରିଚାଲିଛନ୍ତି ତାହାକୁ ଦେଖିଲେ ସେ କ୍ୟାରିୟର ଶେ​‌ଷ ବେଳକୁ ଅନେକ ନୂଆ ରେକର୍ଡ ପ୍ରତିଷ୍ଠା କରିବେ ବୋଲି କ୍ଲାର୍କ ଆଶାବ୍ୟକ୍ତ କରିଛନ୍ତି। ସୂଚନାଥାଉକି କୋହଲି ବର୍ତ୍ତମାନ ସୁଦ୍ଧା ୨୧୯ଟି ଦିନିକିଆ ମ୍ୟାଚ୍‌ ଖେଳି ୧୦,୩୮୫ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୩୯ଟି ଶତକ ରହିଛି। ଭାରତକୁ ପ୍ରତ୍ୟେକ ମ୍ୟାଚ୍‌ରେ ଜିତାଇବାକୁ କୋହଲି ସର୍ବଦା ପ୍ରୟାସ କରିଥାନ୍ତି ଏବଂ ତାଙ୍କ ଯୋଗୁଁ ଭାରତୀୟ ଦଳ ଏତେ ଶକ୍ତିଶାଳୀ ହୋଇପାରିଛି ବୋଲି କ୍ଲାର୍କ କହିଛନ୍ତି।
ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଥିବା ବେଳେ ଧୋନିଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି କ୍ଲାର୍କ। ଧୋନିଙ୍କ ବ୍ୟାଟିଂରେ ଆଉ ପୂର୍ବର ଚମକ ନ ଥିବା ଅନେକ କହୁଥିବା ବେଳେ ନିଜ ପ୍ରତିକ୍ରିୟାରେ କ୍ଲାର୍କ କହିଛନ୍ତି ଧୋନି ୩୦୦ରୁ ଅଧିକ ଦିନିକିଆ ମ୍ୟାଚ୍ ଖେଳି ସାରିଛନ୍ତି। ତେଣୁ ପରିସ୍ଥିତିକୁ ଦେଖି କିପରି ଭାବେ ବ୍ୟାଟିଂ କରାଯାଏ ତାହା ତାଙ୍କୁ ଭଲ ଭାବେ ଜଣା। ଧୋନିଙ୍କୁ ନିଜସ୍ବ ଶୈଳୀରେ ଖେଳିବାକୁ ଛାଡ଼ିଦେବା ଉଚିତ୍‌। ଆଗାମୀ ବିଶ୍ବକପ୍‌ରେ ଧୋନି କେଉଁ ସ୍ଥାନରେ ବ୍ୟାଟିଂ କରିବା ଉଚିତ୍‌ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କ୍ଲାର୍କ କହିଥିଲେ ୪ରୁ ୬ ନଂ ମଧ୍ୟରେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ଧୋନି ସକ୍ଷମ। ମ୍ୟାଚ୍‌ର ପରିସ୍ଥିତିକୁ ଦେଖି ଅଧିନାୟକ ବିରାଟ କୋହଲି ଓ ମ୍ୟାନେଜମେଣ୍ଟ ତାଙ୍କୁ ଉପଯୁକ୍ତ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇବ। ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ଅରୁଚିକର ମନ୍ତବ୍ୟ ଦେଇ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଯୁବ ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ସଂର୍ପକ​‌େ​‌ର ମତ ଦେଇ କ୍ଲାର୍କ ବିଶ୍ବକପ୍‌ରେ ଭାରତୀୟ ଦଳର ଭାରସାମ୍ୟ ରକ୍ଷା ନିମନ୍ତେ ହାର୍ଦିକଙ୍କୁ ଦଳରେ ସାମିଲ କରାଯିବା ନିହାତି ଆବଶ୍ୟକ। ହାର୍ଦିକ ଉଭୟ ବ୍ୟାଟିଂ ଓ ବୋଲିଂ ବଳରେ ମ୍ୟାଚ୍‌ ଜିତାଇବାକୁ ସକ୍ଷମ। ଯୁବ ଖେଳାଳିଙ୍କୁ ନିଜ କଥାବାର୍ତ୍ତା ଓ ବ୍ୟବହାରରେ ଶାଳୀନତା ରକ୍ଷା କରିବା ନିହାତି ଆବଶ୍ୟକ ବୋଲି କ୍ଲାର୍କ ସ୍ପଷ୍ଟ କରି ଦେଇଛନ୍ତି। ପେସାଦାର କ୍ରିକେଟର୍‌ମାନେ ଅନେକ ବ୍ୟକ୍ତିଙ୍କ ନିମନ୍ତେ ଆଦର୍ଶ ହୋଇଥିବାରୁ ସେମାନଙ୍କୁ ନିଜ ବ୍ୟବହାର ଉପରେ ଧ୍ୟାନ ରଖିବା ନିହାତି ଆବଶ୍ୟକ ବୋଲି କ୍ଲାର୍କ କହିଛନ୍ତି। ମଣିଷ ମାତ୍ରକେ ଭୁଲ୍‌ ହୋଇଥାଏ ତେବେ ଭୁଲ୍‌କୁ ପଛରେ ପକାଇ ଆଗକୁ ବଢ଼ିବା ଉଚିତ୍‌ ବୋଲି କ୍ଲାର୍କ ମତ ଦେଇଛନ୍ତି। ଭାରତୀୟ ଦଳ ବିଶ୍ବକପ୍‌ ଜିତିପାରିବ କି ବୋଲି ପ୍ରଶ୍ନର ଉତ୍ତରରେ କ୍ଲାର୍କ କହିଥିଲେ ଭାରତୀୟ ଦଳର ବ୍ୟାଟିଂ ସର୍ବଦା ଶକ୍ତିଶାଳୀ ରହିଆସିଛି। ବର୍ତ୍ତମାନ ଦଳର ବୋଲିଂ ମଧ୍ୟ ବେଶ୍‌ ଉନ୍ନତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି ଦଳ ବିଶ୍ବକପ୍‌ ଜିତିଲେ ଚକିତ ହେବାର କୌଣସି କାରଣ ନାହିଁ। ତେବେ ଇଂଲଣ୍ଡ ଦଳ ଘରୋଇ ମାଟିରେ ବିଶ୍ବକପ୍‌ ଖେଳିବାକୁ ଯାଉଥିବାରୁ ଏହି ଦଳକୁ ପରାସ୍ତ କରିବା ଯେକୌଣସି ଦଳ ନିମନ୍ତେ ଏକ ବଡ଼ ଆହ୍ବାନ ହେବ ବୋଲି କ୍ଲାର୍କ ମତ ଦେଇଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ୍‌ର ଭବିଷ୍ୟତ ସଂପର୍କରେ ମତ ଦେଇ କ୍ଲାର୍କ କହିଥିଲେ ଅଷ୍ଟ୍ରେଲିଆରେ ପ୍ରତିଭାବାନ୍‌ ଖେଳାଳିଙ୍କ ଅଭାବ ନାହିଁ। ସେହିପରି ଏଠାରେ କ୍ରିକେଟ୍‌ ନିମନ୍ତେ ବେଶ୍ ଭଲ ଭିତ୍ତିଭୂମି ରହିଛି। ଏହାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ କ୍ରିକେଟ୍‌ର ଭବିଷ୍ୟତ ବେଶ୍‌ ସୁରକ୍ଷିତ ବୋଲି କୁହାଯାଇ ପାରିବ। ତେବେ ସଫଳତା ପାଇବାକୁ ଯୁବ କ୍ରିକେଟର୍‌ଙ୍କୁ କଠୋର ପରିଶ୍ରମ କରିବା ସହ ଧୈର୍ଯ୍ୟ ବଜାୟ ରଖିବାକୁ ପଡ଼ିବ ବୋଲି କ୍ଲାର୍କ ମତ ଦେଇଛନ୍ତି।

Leave A Reply