୪୩ଟଙ୍କିଆ ପେଟ୍ରୋଲ ୮୮ରେ ବିକ୍ରି; କିପରି ଯାଉଛି ଜନସାଧାରଣଙ୍କ ଟଙ୍କା

0

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୧୦୦ଟଙ୍କା ଛୁଇଁବାକୁ ବସିଛି। ସୋମବାର ମୁମ୍ବଇରେ ୧ଲିଟର ପେଟ୍ରୋଲ ୮୮ଟଙ୍କା ହୋଇଗଲା। ଅନୁରୂପ ସ୍ଥିତି ଡିଜେଲରେ ମଧ୍ୟ ହେଲା। ଦିଲ୍ଲୀରେ ଡିଜେଲ ୮୦.୭୩ଟଙ୍କାରେ ପହଞ୍ଚିଛି। ତେବେ ଆପଣ ଜାଣିଛନ୍ତି କି ପେଟ୍ରୋଲ କମ୍ପାନୀର ସମସ୍ତ ଖର୍ଚ୍ଚ ଯୋଡ଼ିବା ପରେ ଏହାର ମୂଲ୍ୟ କେତେ ରହୁଛି? ଇଣ୍ଡିଆନ ଅଏଲ କମ୍ପାନୀର ସୂଚନା ଅନୁଯାୟୀ ସମସ୍ତ ଖର୍ଚ୍ଚ ମିଶାଇ ପେଟ୍ରୋଲର ମୂଲ୍ୟ ୩୯.୨୧ଟଙ୍କା ପ୍ରତି ଲିଟର ରହୁଛି। ଏହି ତେଲ ଡିଲର ପାଖରେ ଆସିବା ପରେ କମିଶନ ମିଶାଇ ଏହା ୪୨.୮୪ଟଙ୍କା ପ୍ରତି ଲିଟର ପିଛା ହେଉଛି।
ଡିଜେଲରେ ମଧ୍ୟ ତେଲ କମ୍ପାନୀର ସମସ୍ତ ଖର୍ଚ୍ଚ ଯୋଡ଼ିଲେ ଲିଟର ପିଛା ୪୨.୮୫ଟଙ୍କା ହେଉଛି। ଡିଲର କମିଶନକୁ ମିଶାଇଲେ ଏହା ୪୫.୩୬ଟଙ୍କା ହେଉଛି।
ଯଦି ପେଟ୍ରୋଲ ଓ ଡିଜେଲ କ୍ରମାନ୍ୱୟରେ ୪୨ ଓ ୪୫ଟଙ୍କା ରହୁଛି ତେବେ ତାହା ଗ୍ରାହକଙ୍କ ନିକଟରେ ପହଞ୍ଚୁ ପହଞ୍ଚୁ ୮୮ ଓ ୮୦ଟଙ୍କା ହେଉଛି କିପରି?
କେନ୍ଦ୍ର ସରକାର ପେଟ୍ରୋଲ ଉପରେ ପ୍ରତି ଲିଟର ପିଛା ୧୯.୪୮ଟଙ୍କା ଏକ୍ସସାଇଜ ଟିକସ ଆଦାୟ କରୁଛି। ସେହିପରି ଦିଲ୍ଲୀ ମୂଲ୍ୟକୁ ତର୍ଜମା କଲେ ରାଜ୍ୟ ସରକାର ମଧ୍ୟ ପ୍ରତି ଲିଟର ପିଛା ୧୬.୮୩ପଇସା ଭାଟ ଆକାରରେ ଆଦାୟ କରୁଛି।
କେନ୍ଦ୍ର ଓ ରାଜ୍ୟ ଦ୍ୱାରା ଆଦାୟ ଏହି ଟିକସ ଉଭୟଙ୍କ ରାଜକୋଷର ପ୍ରମୁଖ ଆୟର ମାଧ୍ୟମ। ଉଭୟ ରାଜ୍ୟ ଓ କେନ୍ଦ୍ର ଏହି ଟିସକ କମ୍‍ କରିବା ପାଇଁ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି। ଯଦି କେନ୍ଦ୍ର ହେଉ ଅଥବା ରାଜ୍ୟ ଏହି ଟିକସରେ ୧ଟଙ୍କା ବି କମ୍‍ କରନ୍ତି ତେବେ ହଜାରେ କୋଟି ଟଙ୍କାର କ୍ଷତି ରାଜକୋଷ ଉପରେ ପଡ଼ିବ।
୩ସେପ୍ଟେମ୍ବରରେ ଇଣ୍ଡିଆନ ଅଏଲର ବିଲ୍ଫ ଆପ ପ୍ରାଇସକୁ ତର୍ଜମା କଲେ ଗୋଟିଏ ଲିଟର ପେଟ୍ରୋଲ ପ୍ରସ୍ତୁତ କରିବାକୁ କମ୍ପାନୀକୁ ସମସ୍ତ ଖର୍ଚ୍ଚ ମିଶାଇ ୩୯.୨୧ଟଙ୍କା ଲିଟର ପିଛା ଖର୍ଚ୍ଚ ହେଉଛି। ଏହି ତେଲ ଡିଲର ମାଧ୍ୟମରେ ବିକ୍ରି କରିବାକୁ ହେଲେ କମ୍ପାନୀକୁ ୩.୬୩ଟଙ୍କା ଲିଟର ପିଛା କମିଶନ ଦେବାକୁ ପଡ଼ୁଛି। ଏହା ଉପରେ କେନ୍ଦ୍ର ୧୯.୪୮ ଟଙ୍କା ଏକ୍ସସାଇଜ୍‍ ଟିକସ ଓ ଭାଟ ବାବଦକୁ ରାଜ୍ୟ ସରକାର ୧୬.୮୩ଟଙ୍କା ନେଉଛନ୍ତି। ଫଳରେ ୩ସେପ୍ଟେମ୍ବରରେ ଦିଲ୍ଲୀରେ ପେଟ୍ରୋଲ ୭୯.୧୫ଟଙ୍କା ପ୍ରତି ଲିଟରରେ ପହଞ୍ଚି ଥିଲା। ଅନୁରୂପ ଗଣିତ ଡିଜେଲରେ ମଧ୍ୟ ଲାଗୁ ହେଉଛି। ଏହାର ଅର୍ଥ ସରକାରଙ୍କ ଦ୍ୱାରା ଆଦାୟ ହେଉଥିବା ଟିକସ ହେତୁ ଜନସାଧାରଣଙ୍କୁ ସବୁଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଏପରି ପରିସ୍ଥିତିରେ ଡଲାର ତୁଳନାରେ ଟଙ୍କା କମିବାରେ ଲାଗିଛି। ଫଳରେ ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ କମ୍ପାନୀଗୁଡ଼ିକ ତେଲ କିଣିବାକୁ ଅଧିକ ଖର୍ଚ୍ଚ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାରଙ୍କୁ ଟିକସ ହ୍ରାସ କରିବା ବ୍ୟତୀତ ଅନ୍ୟ କୌଣସି ମାଧ୍ୟମ ଦୃଶ୍ୟମାନ ହେଉ ନାହିଁ। ତେବେ ଦେଖାଯାଉ ବନ୍ଦର ସଫଳତାରେ ପରେ ସରକାର ଏହି ଟିକସ ହ୍ରାସ କରୁଛନ୍ତି କି ନାହିଁ?

Leave A Reply