୩୫ବର୍ଷୀୟ ବ୍ୟକ୍ତିଙ୍କ ପାକସ୍ଥଳୀରୁ ବାହାରିଲା ଚାମଚ, ସ୍କୃଡ୍ରାଇଭର, ଟୁଥବ୍ରଶ, ଛୁରୀ

ମଣ୍ଡି(ହିମାଚଳ ପ୍ରଦେଶ): ହିମାଚଳ ପ୍ରଦେଶ ମଣ୍ଡି ଜିଲାର ଜଣେ ବ୍ୟକ୍ତିଙ୍କ ପାକସ୍ଥଳୀରୁ ପାକସ୍ଥଳୀରୁ ଚାମଚ, ସ୍କୃଡ୍ରାଇଭର, ଟୁଥବ୍ରଶ, ଛୁରୀ ବାହାରିଛି। ଡାକ୍ତରମାନେ ଅପରେଶନ କରି ଏସବୁ ବାହାର କରିଛନ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ କର୍ନ ସେନ୍‌ ଏବଂ ବୟସ ୩୫ ବର୍ଷ ହେବ। ସେ ଜଣେ ମାନସିକ ରୋଗୀ। ତାଙ୍କ ପାକସ୍ଥଳୀରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ ପ୍ରଥମେ ସୁନ୍ଦରନଗର ସହରର ଏକ କ୍ଲିନିକକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କ ପେଟରେ ଏକ ଛୁରୀ ରହିଥିବା ଜାଣିବାକୁ ପାଇଥିଲେ। ଏହା ପରେ ତାଙ୍କୁ ସରକାରୀ ହସ୍ପିଟାଲକୁ ପଠାଇ ଦେଇଥିଲେ। ସେଠାରୁ ତାଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପାକସ୍ଥଳୀର ଏକ୍ସ-ରେ କରାଯିବା ପରେ ଡାକ୍ତରମାନେ ଯାହା ଦେଖିଲେ ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତାଙ୍କ ପେଟରେ କେବଳ ଛୁରି ନ ଥିଲା, ବରଂ ଚାମଚ, ଟୁଥବ୍ରଶ ଏବଂ ସ୍କୃଡ୍ରାଇଭର ଥିବା ଦେଖିବାକୁ ମିଳିଥିଲା। ପରେ ୩ ଜଣିଆ ଡାକ୍ତର ଟିମ୍‌ ତାଙ୍କର ଅପରେଶନ କରିଥିଲେ। ୪ ଘଣ୍ଟା ଧରି ଅପରେଶନ କରାଯିବା ପରେ ତାଙ୍କ ପାକସ୍ଥଳୀରୁ ୮ଟି ଚାମଚ, ୨ଟି  ସ୍କୃଡ୍ରାଇଭର, ୨ଟି ଟୁଥବ୍ରଶ ଏବଂ ଏକ ଛୁରି ବାହାରିଥିଲା। ରୋଗୀ ଜଣକ ବିପଦମୁକ୍ତ ଅଛନ୍ତି ବୋଲି ଅପରେଶନ କରିଥିବା ଡାକ୍ତରୀ ଟିମ୍‌ ପକ୍ଷରୁ କୁହାଯାଇଛି। ବ୍ୟକ୍ତି ଜଣକ ଜଣେ ମାନସିକ ରୋଗୀ ହୋଇଥିବାରୁ ସେ ଏସବୁ ଜିନିଷକୁ ଗିଳି ଦେଇଥିବା ଅନୁମାନ କରାଯାଉଛି।

Comments are closed.