କଲକାତାର ସହଜ ବିଜୟ

0

ଜୟପୁର : ଆଇପିଏଲ୍‍-୧୧ର ୧୫ଶ ମ୍ୟାଚ୍‍ରେ କଲକାତା ନାଇଟ ରାଇଡର୍ସ (କେକେଆର୍‍) ବିଜୟୀ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାରକରି ରାଜସ୍ଥାନ ରୟାଲ୍‍ସକୁ ୭ ୱିକେଟରେ କେକେଆର୍‍ ପରାସ୍ତ କରିିଛି। ଦୁଇ ଓପ୍‍ନର ଅଜିଙ୍କ୍ୟ ରାହାଣେ ଓ ଡି’ଆର୍ସି ସର୍ଟଙ୍କ ଉପଯୋଗୀ ଇନିଂସ ବଳରେ ରାଜସ୍ଥାନ ରୟାଲ୍‍ସ ପ୍ରଥମେ ବ୍ୟାଟିଂକରି ୮ ୱିକେଟରେ ୧୬୦ ରନ୍‍ କରିଥିଲା। ପରେ ସାମୂହିକ ଯୋଗଦାନ ବଳରେ କେକେଆର୍‍ ୧୮.୫ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ୫ ମ୍ୟାଚ୍‍ରେ କଲକାତାର ଏହା ୩ୟ ବିଜୟ ହୋଇଥିବା ବେଳେ ୪ର୍ଥ ମ୍ୟାଚ୍‍ରେ ରାଜସ୍ଥାନ ରୟାଲ୍‍ସର ଏହା ୨ ପରାଜୟ।
୧୬୧ ରନ୍‍ ଲକ୍ଷ୍ୟରେ ବ୍ୟାଟିଂକରି କଲକାତା ନାଇଟ ରାଇଡର୍ସ ୩ୟ ବଲ୍‍ରେ କ୍ରିସ୍‍ ଲିନ୍‍ଙ୍କ ୱିକେଟ ହରାଇଥିଲା। ପରେ ୨ୟ ୱିକେଟ ପାଇଁ ସୁନୀଲ ନାରାୟଣ ଓ ରବିନ୍‍ ଉଥପ୍ପା ଚମତ୍କାର ବ୍ୟାଟିଂକରି ସ୍କୋର୍‍କୁ ବଢ଼ାଇ ଚାଲିଥିଲେ। ଦୁହେଁ ୬୯ ରନ୍‍ ଯୋଡ଼ିବା ପରେ ୨୫ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୫ ରନ୍‍କରି ସୁନୀଲ ଆଉଟ ହୋଇଥିଲେ। ପରେ ଚମତ୍କାର ଫର୍ମରେ ଥିବା ବାମହାତି ନୀତୀଶ ରାଣାଙ୍କ ସହ ମିଶି ରବିନ୍‍ ଉଥପ୍ପା ସ୍କୋର୍‍କୁ ଆଗେଇ ନେଇଥିଲେ। ଉଥପ୍ପା ୩୬ ବଲ୍‍ରୁ ୨ଟି ଛକା ଓ ୬ଟି ଚୌକା ସହ ୪୮ ରନ୍‍କରି ଆଉଟ ହୋଇଥିଲେ। ପରବର୍ତ୍ତୀ ୩ ଓଭରରୁ ୧୬ ରନ୍‍ ହେବାରୁ ଶେଷ ୪ ଓଭରରୁ କଲକାତା ୩୫ ରନ୍‍ ଆବଶ୍ୟକ କରୁଥିଲା। ରାଣା ଓ ଅଧିନାୟକ ଦିନେଶ କାର୍ତ୍ତିକ ୧୭ ବଲ୍‍ରୁ ଏହା ସଂଗ୍ରହ କରି ନେଇଥିଲେ। ରାଣା ୨୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୫ ଏବଂ କାର୍ତ୍ତିକ ୨୩ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୨ ରନ୍‍କରି ଅପରାଜିତ ଥିଲେ। କେ. ଗୌତମ ୨ଟି ୱିକେଟ ନେଇଥିଲେ। କ୍ରମାଗତ ୨ୟ ମ୍ୟାଚ୍‍ରେ ନୀତୀଶ ରାଣା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ପ୍ରଥମେ ବ୍ୟାଟିଂର ଆହ୍ୱାନ ପାଇବା ପରେ ରାଜସ୍ଥାନ ରୟାଲ୍‍ସର ଓପ୍‍ନର ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଡି’ଆର୍ସି ସର୍ଟ ୭ମ ଓଭର ସୁଦ୍ଧା ସ୍କୋର୍‍କୁ ୫୪ ରନ୍‍ରେ ପହଞ୍ଚାଇଥିଲେ। ରାହାଣେ ଚମ୍ପିଆନ୍‍ଙ୍କ ପରି ବ୍ୟାଟିଂକରି ମାତ୍ର ୧୯ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୬ ରନ୍‍ କରିଥିଲେ। ପରେ ଗତ ମ୍ୟାଚ୍‍ର ହିରୋ ସଞ୍ଜୁ ସାମ୍‍ସନ ୭ ରନ୍‍କରି ଆଉଟ ହୋଇ ଯାଇଥିଲେ। ଅଷ୍ଟ୍ରେଲୀୟ ଓପ୍‍ନର ଡି’ଆର୍ସି ସର୍ଟ ୧୩ ଓଭର କ୍ରିଜ୍‍ରେ ରହି ଜଗିରଖି ଖେଳି ୪୩ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୪ ରନ୍‍ କରିଥିଲେ। ରାଜସ୍ଥାନର ମଧ୍ୟକ୍ରମ ଦଳକୁ ନିରାଶ କରିଥିଲା। ରାହୁଲ ତ୍ରିପାଠୀ ୧୧ ବଲ୍‍ରୁ ୨ଟି ଚୌକା ସହ ୧୫ ରନ୍‍ କରିଥିବା ବେଳେ ଦାମୀ ଖେଳାଳି ବେନ୍‍ ଷ୍ଟୋକ୍‍ସ ୧୧ ବଲ୍‍ରୁ ୧୪ ରନ୍‍ କରି ପାରିଥିଲେ। କୃଷ୍ଣପ୍ପା ଗୌତମ ୧୨ ରନ୍‍ କରିଥିଲେ। ଜୋସ୍‍ ବଟ୍‍ଲର ୧୮ ବଲ୍‍ରୁ ୨ଟି ଚୌକା ସହ ୨୪ ରନ୍‍କରି ଅପରାଜିତ ଥିଲେ। କଲକାତାର ଦୁଇ ସ୍ପିନର କୁଲଦୀପ ଯାଦବ ଓ ପୀୟୂଷ ଚାୱଲା ଚମତ୍କାର ବୋଲିଂ କରିଥିବା ବେଳେ ସୁନୀଲ ନାରାୟଣ ନିରାଶ କରିଥିଲେ। ନୀତୀଶ ରାଣା ଓ ଟମ୍‍ କରନ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply