ରଥ ନିର୍ମାଣ ପୂର୍ବରୁ ଚକରେ ଫାଟ

0

ପୁରୀ : ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବା ଚକରେ ଫାଟ ଦେଖାଦେଇଛି । ତଦାରଖ କମିଟି ସୁପାରିସକୁ ଭିତ୍ତିକରି ୨ଟି ପହି ଶନିବାର ପରିବର୍ତ୍ତନ କରାଯାଇଛି। ଏହାଛଡା ତାଳଧ୍ୱଜ ରଥପାଇଁ ନିର୍ମିତ ହେଉଥିବା ଅଖ କାଠ ପୋଲା ପଡ଼ିଛି । ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପାଇଁ ପ୍ରସ୍ତୁତ ଗୋଟିଏ ଚକର ତୁମ୍ବ ମଝିରେ ଫାଟ ଦେଖାଦେଇଛି। ରଥ ନିର୍ମାଣ ତଦାରଖ କମିଟିର ସଭ୍ୟମାନେ ରଥଖଳାକୁ ଯାଇ ୮ଟି ଚକ ଅନୁଧ୍ୟାନ କରିଛନ୍ତି । ଦର୍ପଦଳନ ରଥ ପାଇଁ ନିର୍ମାଣ ସରିଥିବା ଗୋଟିଏ ଚକର ପହିରେ ଫାଟ ଥିବାରୁ ତାହାକୁ ବାହାର କରି ନୂଆ ପହି ଲଗାଇବାକୁ କମିଟି ପରାମର୍ଶ ଦେଇଛି । ନନ୍ଦିଘୋଷ ରଥର ଗୋଟିଏ ଚକ ନିର୍ମାଣ ବେଳେ ପହିରେ ଫାଟ ଥିବା ଜଣାପଡିଛି । ଏହି ଘଟଣା ମୁଖ୍ୟ ମହାରଣାଙ୍କ ଦୃଷ୍ଟିରେ ପଡିବା ପରେ ସେ ପହି ପରିବର୍ତ୍ତନ କରିଛନ୍ତି । ଶନିବାର ସନ୍ଧ୍ୟାସୁଦ୍ଧା ୩ ରଥ ପାଇଁ ୮ଟି ଚକ ନିର୍ମାଣ ଶେଷ ହୋଇଛି। ଆଉ ୬ଟି ତୁମ୍ବରେ ଅର ସଂଯୋଗ କରାଯାଇଛି। ଚକ ମଝିଠେକ ଚତୁଃପାଶ୍ୱର୍ରେ ପନ୍ଦାରି ଏବଂ କାଠ ଉପରେ ଲୁହାବଳା ଲଗାଯାଇଛି । ସୋମବାର ଶ୍ରୀଜୀଉଙ୍କ ଭଉଁରିଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ତିନି ରଥର ୩ଟି ଅଖରେ ୨ଟି ଲେଖାଏଁ ଚକ ଡେରାଯିବ । ରଥ ନିର୍ମାଣରେ ୬୫ଜଣ ମହାରଣା, ୧୪ ରୂପକାର, ୧୪ କମାର ଏବଂ ୭୧ଜଣ ଭୋଇ ସେବକ ନିୟୋଜିତ ହୋଇଛନ୍ତି । ରୂପକାରଙ୍କ ଦ୍ୱାରା ୮ଟି କଣଗୁଜରେ ନୃସିଂହ ମୂର୍ତ୍ତି ନିର୍ମାଣ ଶେଷ ହୋଇଛି । ୪୨ଟି ତୁମ୍ବ ନିର୍ମାଣ ଶେଷ ହୋଇଥିବା ବେଳେ ସେଥିରେ ୧୬ଯୋଡା ଲେଖାଏଁ ବିନ୍ଧ କରାଯାଇଛି । ପ୍ରତି ତୁମ୍ବରେ ୪ଟି ଲେଖାଏଁ ପହି ଲଗାଯିବାର ବିଧି ରହିଛି । ଖପୁରିଆ କରତକଳରୁ ଆସିଥିବା ଅର ଓ ପହି ଗୁଡିକ ତୁମ୍ବରେ ସଂଯୋଗ କରାଯାଉଛି । ଭୋଇ ସେବକ ସିଙ୍ଗଡା ବାଡିଆ ସମେତ ମହାରଣାଙ୍କୁ କାଠ ଯୋଗାଉଛନ୍ତି । ତିନିରଥ ନିର୍ମାଣ ପାଇଁ ୮୬୫ଖଣ୍ଡ ଅସନ, ଧଉଁରା ଓ ଫାସିକାଠ ଆବଶ୍ୟକ। ଚଳିତବର୍ଷ ନୟାଗଡ ଓ ବୌଦ୍ଧ ବନଖଣ୍ଡ ଅଧିକାରୀ ଆବଶ୍ୟକୀୟ କାଠ ଯୋଗାଇ ଦେଇଛନ୍ତି।
ରଥଯାତ୍ରା ଇତିହାସରେ ପ୍ରଥମଥର ପାଇଁ ବୌଦ୍ଧ ଜଙ୍ଗଲରୁ ୫ଫୁଟ ଗୋଲେଇ କାଠ ତୁମ୍ବ ନିର୍ମାଣ ପାଇଁ ଅଣାଯାଇଛି । ଜୁଲାଇ ୧୪ତାରିଖରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଏବଂ ୨୨ରେ ବାହୁଡାଯାତ୍ରା ଅନୁଷ୍ଠିତ ହେବ। ପହିରେ ଫାଟ ଦେଖାଯିବା ଘଟଣାରେ ଦର୍ପଦଳନ ରଥ ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚକ ନିର୍ମାଣ ବେଳେ ଫାଟ ଦେଖାଦେବା ଏବଂ କାଠ ଚଡକିବା ସାଧାରଣ ଘଟଣା ବୋଲି ସେ କହିଛନ୍ତି। କେଉଁ କାଠରେ ଚକ ନିର୍ମାଣ କରାଯିବ ତଦାରଖ କମିଟି ପ୍ରଥମେ ତାହାକୁ ଚିହ୍ନଟ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି।

Leave A Reply