ରଥଖଳାରୁ… ଗୁଜରେ ନୃସିଂହମୂର୍ତ୍ତି

0

ପୁରୀ  : ରଥ ନିର୍ମାଣରେ ନୃସିଂହ ଉପାସନା ବିଧି ରହିଛି। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପୂର୍ବରୁ ନୃସିଂହ ମନ୍ତ୍ରରେ ଯଜ୍ଞ କରାଯାଏ। ନୃସିଂହ ଚତୁର୍ଦ୍ଦଶୀଠାରୁ କଣଗୁଜ ନିର୍ମାଣ ଆରମ୍ଭ ହୋଇଛି। ପ୍ରତ୍ୟେକ ଗୁଜରେ ରୂପକାର ସେବକ ନୃସିଂହ ମୂର୍ତ୍ତି କରୁଛନ୍ତି। ଚାରି କୋଣିଆ କାଠର ଗୋଟିଏ କୋଣରେ ନୃସିଂହ ମୂର୍ତ୍ତି କରାଯାଉଥିବାରୁ ତାହାକୁ କଣଗୁଜ ଏବଂ ନୃସିଂହ ଗୁଜ ବୋଲି କୁହାଯାଏ। ଗୁଜ ଗୁଡିକ ରଥର କୋଣରେ ସଂଯୋଗ କରାଯାଏ। ତିନିରଥ ପାଇଁ ୩୩ ସାଲଗୁଜ ଏବଂ ୨୦ତିଖଗୁଜ ଆବଶ୍ୟକ। ପଟାଗୁଜକୁ ଅସୁଆରି କୁହାଯାଏ। ସେଥିରେ ରୂପକାର ସେବକ ନରବିରାଳ, ସିଂହବିରାଳ ଏବଂ ଗଜବିରାଳ ଚିତ୍ର ଅଙ୍କନ କରିଥାଆନ୍ତି। ସାହାଜ ଓ ଧଉରା କାଠରେ ଗୁଜ ନିର୍ମାଣ କରାଯାଉଛି।
ମହାରଣାମାନେ ଗୁଜ ଚଉପଟ କରି ରୂପକାରଙ୍କୁ ଯୋଗାଉଛନ୍ତି। ରୂପକାର ସେଥିରେ ନୃସିଂହ ମୂର୍ତ୍ତି କରୁଛନ୍ତି। ଚଳିତବର୍ଷ ରୂପକାର ସେବକ ପରିବାରର କିଛି ଛୋଟ ପିଲା କାମରେ ଯୋଗ ଦେଇଛନ୍ତି। ଏହାଛଡା ରୂପକାରଙ୍କ ଦ୍ୱାରା ନାଟଗୋଡ, ପ୍ରଭା, ଘୋଡା, ଶୁଆଶାରୀ, ମୁହାଣ୍ଟି, ପାର୍ଶ୍ବଦେବାଦେବୀ, ସାରଥୀ ଓ ସିଂହାସନରେ ଚିତ୍ର ଅଙ୍କନ କରାଯାଏ। ୨୦ଜଣ ରୂପକାର ସେବକ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି। ଏହା ସେମାନଙ୍କ ପୁରୁଷାନୁକ୍ରମିକ ଏବଂ ପାରମ୍ପରିକ ସେବା। ରବିବାର ରଥଖଳାରେ ଦଣ୍ଡାପାଟ ପାଇଁ କାଠ ପହଞ୍ଚିଛି। ୪୨ ତୁମ୍ବ ନିର୍ମାଣ ଶେଷ ହୋଇଛି। ସେଥିରେ ୧୬ଯୋଡ଼ା ଲେଖାଏଁ ବିନ୍ଧ କରାଯାଉଛି। ଭୋଇ ସେବକ ଯନ୍ତାଗାଡ ପ୍ରସ୍ତୁତ କରିଛନ୍ତି।

Leave A Reply