ଦୁର୍ଦାନ୍ତ ଅପରାଧୀ ଜିତୁ ଗିରଫ, ପିସ୍ତଲ ଓ ଗୁଳି ଜବତ

0

କଟକ  : କଟକ ସହରରେ ଦୀର୍ଘଦିନ ଧରି ବିଭିନ୍ନ ପ୍ରକାର ଅପରାଧ ଘଟାଇ ଆତଙ୍କରାଜ ସୃଷ୍ଟି କରିଆସୁଥିବା ଜଣେ ଦୁର୍ଦାନ୍ତ ଅପରାଧୀକୁ ଶନିବାର କନ୍ଦରପୁର ପୁଲିସ ଗିରଫ କରିଛି। ଏକାଧିକ ଘଟଣାରେ ପୁଲିସ ତାକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲେ ହେଁ ସେ ସର୍ବଦା ପୁଲିସକୁ ଚକମା ଦେଖାଇ ଖସି ପଳାଇ ଯାଉଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ସେ ତା’ର ଘରକୁ ଆସିଥିବା ସୂଚନା ମିଳିବା ପରେ କନ୍ଦରପୁର ପୁଲିସ ଚାଉଳିଆଗଞ୍ଜ ଥାନା ସହାୟତାରେ ତାକୁ ଗିରଫ କରିଛି। ଅଭିଯୁକ୍ତଜଣକ ହେଲେ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ଅଞ୍ଚଳର ଜିତୁ ଓରଫ ଅଜୟ କୁମାର ସାହୁ (୨୫)। ତା’ନିକଟରୁ ଗୋଟିଏ ୯ଏମ୍‍ଏମ୍‍ ପିସ୍ତଲ, ୬ ରାଉଣ୍ଡ ଗୁଳି, ୯ ହଜାର ଟଙ୍କା ଓ ଏକ ବାଇକ୍‍କୁ ଜବତ କରାଯାଇଛି।
ଜୋନ୍‍ ଏସିପିଙ୍କ ସୂଚନା ଅନୁଯାୟୀ ଜିତୁ ନାମରେ ପୂର୍ବରୁ ଏକାଧିକ ସଂଗିନ ମାମଲା ରହିଥିଲା। ତାକୁ ଧରିବା ପାଇଁ ଜାଲ ବିଛାଯାଇଥିଲେ ହେଁ ସେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିଲା। ଗତ ୧୨ତାରିଖ ସକାଳ ସାଢ଼େ ୧୧ଟାରେ ଭାରତ ମାଇକ୍ରୋ ଫାଇନାନ୍ସର କର୍ମଚାରୀ ରଞ୍ଜିତକୁମାର ସେଠୀ ଏକାଧିକ ଲୋକଙ୍କଠାରୁ ୬୧ହଜାର ଟଙ୍କା ଆଦାୟ କରି କାର୍ଯ୍ୟାଳୟକୁ ଫେରୁଥିବା ବେଳେ ମତ୍ତଗଜପୁର ଲେଭଲ କ୍ରସିଂ ନିକଟରେ ତିନିଜଣ ଦୁର୍ବୃତ୍ତ ବାଇକ୍‍ରେ ଆସି ତାଙ୍କୁ ଅଟକାଇବା ସହିତ ପିସ୍ତଲ ଦେଖାଇ ଟଙ୍କା ବ୍ୟାଗ୍‍କୁ ଝାମ୍ପିନେଇ ଚମ୍ପଟ ମାରିଥିଲେ। ଏହି ସମ୍ପର୍କରେ ରଞ୍ଜିତ ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ଜିତୁ ଓ ତାର ତିନି ସହଯୋଗୀ ମତ୍ତଗଜପୁରର ଲୋକନାଥ ସାହୁ, ୪୨ମୌଜା କୂଳକଳପଡ଼ାର ଶୁଭ ପରିଡ଼ା ଓ କଟକ ମହାନଦୀ ବିହାରର ଚିକୁ ସଂପୃକ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିଲା। ଗତକାଲି ରାତିରେ ଜିତୁ ଘରକୁ ଆସିଥିବା ଖବର ମିଳିବା ପରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଚାଉଳିଆଗଞ୍ଜ ପୁଲିସ ସହାୟତାରେ ତା’ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲେ। ଜିତୁ ନାମରେ ଚାଉଳିଆଗଞ୍ଜ, ମଧୁପାଟଣା,କନ୍ଦରପୁର ଓ ରାଉରକେଲା ପ୍ଲାଣ୍ଟ ସାଇଟ ଥାନାରେ ୧୦ ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଛି। ଅପରାହ୍ଣରେ ତାକୁ ପଚରାଉଚୁରା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଅନ୍ୟପକ୍ଷରେ ତା’ର ବୟାନ ଅନୁଯାୟୀ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଓ ଯାଞ୍ଚ ଜାରି ରହିଛି।

Leave A Reply