ପୁଣି ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଖାରଜ

0

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିସ ଚିଟ୍‍ଫଣ୍ଡ ଦୁର୍ନୀତିରେ ଗିରଫ ହୋଇ ଜେଲରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ପୁଣି ହାଇକୋର୍ଟରୁ ନିରାଶ ହେବାକୁ ପଡିଛି। ତାଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରି ଖାରଜ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଠାରୁ ହାଇକୋର୍ଟରେ ରାମଚନ୍ଦ୍ରଙ୍କ ଜାମିନ ଆବେଦନ ୪ଥର ଖାରଜ ହୋଇଥିବାବେଳେ ଏଥର ମଧ୍ୟ ସାଂସଦଙ୍କୁ ହତାଶ ହେବାକୁ ପଡିଛି। ତେବେ କୋର୍ଟ ରାୟରେ ଦର୍ଶାଇଛନ୍ତି ଯେ ଗତଥର ଜାମିନ ଖାରଜ ହେବା ପରେ କୌଣସି ପରିବର୍ତ୍ତନ ଆସିନାହିଁ, ଯଦି ତାଙ୍କୁ ଜାମିନ ଦିଆଯାଏ, ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ କୋର୍ଟ ଜାମିନ ଦେବାକୁ ଅଗ୍ରାହ୍ୟ କରିଛନ୍ତି। ଏହି ମାମଲାରେ ସାକ୍ଷୀ ଥିବା ୭ଜଣ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ ଆବଶ୍ୟକତା ରହିଛି, ପ୍ରଥମେ କୋର୍ଟ ସାକ୍ଷୀମାନଙ୍କର ସାକ୍ଷ୍ୟ ଗ୍ରହଣ କରିବା ପରେ ସେ ଜାମିନ ଆବେଦନ କରିପାରିବେ ବୋଲି ହାଇକୋର୍ଟ ରାୟରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ୨୦୧୬, ସେପ୍ଟେମ୍ବର ମାସରୁ ଜଜ ନାହାନ୍ତି, ଯଦି ୪ସପ୍ତାହ ମଧ୍ୟରେ ଉକ୍ତ କୋର୍ଟରେ ଜଜ ନିଯୁକ୍ତି ନ ହୁଅନ୍ତି ତେବେ ଆବେଦନକାରୀ ଅନ୍ୟ ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ଆବେଦନ କରିପାରିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି। ତେବେ ସିବିଆଇ ପକ୍ଷରୁ କାଳୀପ୍ରସନ୍ନ ମିଶ୍ର ମାମଲା ପରିଚାଳନା କରୁଥିଲେ। ଏଠାରେ ସୂଚନାଯୋଗ୍ୟ ସାଂସଦ ରାମଚନ୍ଦ୍ରଙ୍କ ଜାମିନ ଆବେଦନ ଉପରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୦୧୮ ଜାନୁୟାରୀ ୨୭ତାରିଖରେ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏପ୍ରିଲ ୨ତାରିଖରେ ସୁପ୍ରିମକୋର୍ଟ ଏହି ଜାମିନ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟରେ ଆବେଦନ କରିବା ପାଇଁ ଆଦେଶ ଦେଇଥିଲେ। ତେବେ ୪ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟକୁ ନିର୍ଦେଶ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ୨୦୧୫, ଅଗଷ୍ଟ ୧୪ତାରିଖରେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଏହାପରେ ବିଜେଡି ସାଂସଦ ରାମଚନ୍ଦ୍ରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରି ୨୦୧୭, ଜୁଲାଇ ୩୧ତାରିଖରେ ଖାରଜ କରିଥିଲେ। ଅନ୍ୟପକ୍ଷରେ ଶ୍ରୀ ହାଂସଦାଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ମଧ୍ୟ ୨୦୧୬ ମାର୍ଚ୍ଚ ୨୮ତାରିଖରେ ଖାରଜ କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଆବେଦନକୁ ୨୦୧୬ ଏପ୍ରିଲ ୨୫ତାରିଖରେ ଖାରଜ କରିବା ସହ ଚାର୍ଜଫ୍ରେମ ହେବା ପରେ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିବା ପାଇଁ ପରାର୍ମଶ ଦେଇଥିଲେ। ୨୦୧୭ ଜାନୁୟାରୀ ୧୭ତାରିଖରେ ସିଜେଏମଙ୍କ ଅଦାଲତରେ ରାମଚନ୍ଦ୍ରଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଥିଲା। ସାଂସଦ ଶ୍ରୀ ହାଁସଦା ୨୦୧୪ ନଭେମ୍ବର ୪ ତାରିଖରେ ସିବିଆଇ ଦ୍ୱାରା ଗିରଫ ହେବା ସହ ତାଙ୍କ ଘରୁ ନଗଦ ୨୮ଲକ୍ଷ ଟଙ୍କା ଜବତ କରିଥିଲା।

Leave A Reply