ସାବିତ୍ରୀ ଅବସରରେ ବିବାହ କଲେ ଦୁଇ କିନ୍ନର, ଖୁବ ଶୀଘ୍ର ଭୋଜି

0

ଭୁବନେଶ୍ୱର : ସାରା ରାଜ୍ୟରେ ସଧବା ହିନ୍ଦୁ ମହିଳାମାନେ ମଙ୍ଗଳବାର ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ଭୁବନେଶ୍ୱର ସ୍ମାର୍ଟ ସିଟିର କିନ୍ନର ମାନେ ମଧ୍ୟ ବିଧି ବିଧାନ ସହିତ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ପଳାଶପଲ୍ଲୀ ଅଞ୍ଚଳରେ ବେଶ ଉତ୍ସାହର ସହିତ ଧାର୍ମିକ ଭାବନା ନେଇ କିନ୍ନରମାନେ ଏହି ବ୍ରତ ପାଳନ କରିଛନ୍ତି। ଏହି ଅବସରରେ ଦୁଇଜଣ କିନ୍ନର ନିଜ ପୁରୁଷ ସାଥୀଙ୍କ ସହିତ ବିବାହ କରିବା ପାଇଁ ସଂକଳ୍ପ ନେଇଛନ୍ତି। ପରସ୍ପରକୁ ମାଲ୍ୟାର୍ପଣ କରି ସେମାନେ ପୂଜା କରିଛନ୍ତି। ପଳାଶପଲ୍ଲୀ ଅଞ୍ଚଳର ଅନେକ ଲୋକ ଏହିି ଧାର୍ମିକ ଅନୁଷ୍ଠାନରେ ସାମିଲ ହୋଇଥିଲେ।

ସଖା ସଂପ୍ରଦାୟର ପ୍ରମୁଖ ତଥା କିନ୍ନର ଆଖଡା ପୂର୍ବ ଭାରତର ମହାମଣ୍ଡଳେଶ୍ୱର ମୀରା ପରିଡାଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫ ଜଣ କିନ୍ନର ବ୍ରତ ରଖିବା ସହିତ ସାବିତ୍ରୀ ପୂଜା କରିଥିଲେ। ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ପୁରୋହିତ ଆସି ଏହି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଶିବାନୀ ଓ ଗୁରୁବାରୀ କିନ୍ନର ଜିତୁ ଏବଂ ଜଗାଙ୍କୁ ଜୀବନସାଥୀ ଭାବେ ମାଳା ପିନ୍ଧାଇ ଦାମ୍ପତ୍ୟ ବନ୍ଧନରେ ବାନ୍ଧି ହେବାର ନିଷ୍ପତ୍ତି ନେଇଛନ୍ତି। ସଖା ସଂଗଠନ ପକ୍ଷରୁ ଏମାନଙ୍କ ପାଇଁ ବିବାହ ସମାରୋହ ଓ ଭୋଜିର ଆୟୋଜନ କରାଯିବ ବୋଲି ମୀରା ପରିଡା କହିଛନ୍ତି।

ତେବେ ବିଗତ ୧୦ ବର୍ଷ ଧରି ଓଡ଼ିଶାରେ କିନ୍ନର ମାନେ ଏହି ପରମ୍ପରା ପାଳନ କରୁଛନ୍ତି। ମୀରା ହିଁ ଏହାକୁ ଆରମ୍ଭ କରିଥିଲେ। ସୂଚନା ଯୋଗ୍ୟ ୨ ବର୍ଷ ପୂର୍ବେ ମେଘନା ସାହୁ କିନ୍ନରଙ୍କ ବିଧିବଦ୍ଧ ବିବାହ ହୋଇଥିଲା। ସେ ଏବେ ଓଲା ଗାଡିର ଡ୍ରାଇଭର ଭାବେ କାର୍ଯ୍ୟ କାରୁଛନ୍ତି। ଏହି ଅବସରରେ ସାଧନା ମିଶ୍ର, ଆଇଶା,ବଂଶୀଖା ଆଦି କିନ୍ନର ଉପସ୍ଥିତ ଥିଲେ।

ତେବେ ମୀରା କହିଛନ୍ତି ଯେ କିନ୍ନର ସମୁଦାୟଙ୍କୁ ପ୍ରାୟ ଦୁଇ ବର୍ଷ ହେବ ଦେଶରେ ତୃତୀୟ ଲିଙ୍ଗର ମାନ୍ୟତା ମିଳିଛି। କିନ୍ତୁ ଏବେ ମଧ୍ୟ ସମାଜରେ କିନ୍ନରଙ୍କ ସ୍ଥିତିରେ ସୁଧାର ଆସି ନାହିଁ। ଏବେ ମଧ୍ୟ କିନ୍ନରମାନେ ଆର୍ଥିକ ଓ ସାମାଜିକ ଦୃୃଷ୍ଟିରୁ ପଛରେ ଅଛନ୍ତି । ସେମାନଙ୍କୁ ହୀନ  ଦୃଷ୍ଟିରେ ଦେଖାଯାଉଛି।

Leave A Reply