ଧାନ ଚାଷରେ ରୋଗପୋକ ପାଇଁ କ୍ଷତିପୂରଣ ଦାବି କଲେ ଚାଷୀ

0

ଖୁଣ୍ଟା : କୁଶଳଦା ଗ୍ରାମ ପଞ୍ଚାୟତର ଚାଷୀମାନେ ଧାନ ଚାଷରେ ରୋଗ ପୋକ ପାଇଁ ବ୍ୟାପକ ଭାବେ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ଗୋପବନ୍ଧୁ ନଗର ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଧାନ ବିଡା ଦେଖାଇ କ୍ଷତି ପୂରଣ ଦାବି କରିଛନ୍ତି। କୁଶଳଦା ଗ୍ରାମ ପଞ୍ଚାୟତର କୁଶଳଦା, ପଦ୍ମପୁର, କେନ୍ଦୁଆ, ଖୁଣ୍ଟା, ସିଆଳଘାଟି, ନହରା ଓ ଅନ୍ୟାନ୍ୟ ଗ୍ରାମ ମାନଙ୍କରୁ ୫୦ରୁ ଅଧିକ ଚାଷୀ ଧାନ ବିଡା ଧରି ଶୁକ୍ରବାର ମଧ୍ୟାହ୍ନରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଚାଷୀ ମାନେ ସମବାୟ ସମିତି, ବ୍ୟାଙ୍କ ଋଣ ଓ ହାତ ଉଧାରି ଜରିଆରେ ଟଙ୍କା ନେଇ ଧାନ ଚାଷରେ ବିନିଯୋଗ କରିଥିଲେ। ତେବେ ମାଟିଆଗୁଣ୍ଡି ବା ଚକଡା ରୋଗ ପ୍ରଭାବରେ ସେମାନଙ୍କର ଚାଷ ଉଜୁଡି ଯିବାରୁ ଚାଷୀ ମାନେ ଏବେ କଣ କରିବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି। ଚାଷୀମାନଙ୍କ କହିବା ଅନୁସାରେ ରୋଗ ପୋକ ନିୟନ୍ତ୍ରଣ ପାଇଁ ବ୍ଲକ କୃଷି ବିଭାଗ ରିଆତି ଦରରେ କୀଟନାଶକ ଯୋଗାଇଥିଲେ ମାତ୍ର ତାହା ଫଳବତୀ ନହେବାରୁ ସେମାନଙ୍କର ଶେଷ ଆଶା ଟିକକ ମଉଳି ଯାଇଛି।

ବ୍ଲକ କୃଷି ବିଭାଗର ଅଧିକାରୀ କହନ୍ତି ଯେ କୁଶଳଦା ପଞ୍ଚାୟତର ଶିମଳାବନ୍ଧ ଛକରୁ ଜୟପୁର ଛକ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ୨ହଜାର ହେକ୍ଟର ଚାଷ ଜମି ଓ ଦାମାସାହି ଛକରୁ ଆରପଟା ପର୍ଯ୍ୟନ୍ତ ଅନୁରୂପ ୩ ହଜାର ହେକ୍ଟର ଚାଷଜମିରେ ଧାନ ଚାଷ କରାଯାଉଥିବା ବେଳେ ବିଭିନ୍ନ କାରଣରୁ ଉକ୍ତ ଜମିରେ ରୋଗପୋକ ଲାଗିଥାଏ। ଚଳିତ ବର୍ଷ ଧାନ ଚାଷରେ ରୋଗ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କ ଆବଶ୍ୟକତା ଅନୁସାରେ ପର୍ଯ୍ୟାପ୍ତ କୀଟ ନାଶକ ରିଆତି ଦରରେ ଯୋଗାଇ ଦିଆଯାଇଛି। ମାତ୍ର ସମନ୍ୱିତ ଖାଦ୍ୟସାର ପରିଚାଳନା ଓ ରୋଗପୋକ ପରିଚାଳନା ପାଇଁ ଚାଷୀମାନେ ଅଧିକ ସଚେତନ ହେବା ଜରୁରୀ ବୋଲି ଅଧିକାରୀ ମାନେ କହିଥିଲେ। ବର୍ତ୍ତମାନର କ୍ଷତି ପାଇଁ ଚାଷୀମାନେ ଅନ୍ୟ ଉପାୟ ନପାଇ ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରିବାକୁ ମୟୂରଭଞ୍ଜ ଜିଲାପାଳ, ଗୋପବନ୍ଧୁନଗର ତହସିଲଦାର ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ବିଡିଓ ମନୋଜ କୁମାର ବେହୋରା ଚାଷୀଙ୍କ ସମସ୍ୟା ବାବଦରେ ଉଚ୍ଚାଧିକାରୀଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

Leave A Reply