୧୭ ବର୍ଷରୁ କମ ଜିଲା ସ୍ତରୀୟ କ୍ରିକେଟ ଖେଳାଳୀ ଚୟନ ଅନୁଷ୍ଠିତ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାସିପିଠା ସରକାରୀ ହାଇସ୍କୁଲ ଖେଳପଡିଆରେ ଦୁଇ ଦିନ ଧରି ଚାଲିଥିବା ୧୭ ବର୍ଷରୁ କମ କ୍ରିକେଟ ଖେଳାଳୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଜିଲାର ୨୬ ଗୋଟି ବ୍ଲକରୁ ୧୨୮ଜଣ ବାଳକ ଓ ୩୪ ଜଣ ବାଳିକା ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ମଙ୍ଗଳବାର ଦ୍ୱିତୀୟ ଦିନର ଚୂଡାନ୍ତ ଚୟନ ପ୍ରକ୍ରିୟାରେ ଦକ୍ଷତା ପ୍ରଦର୍ଶନ ଆଧାରରେ ଶ୍ରେଷ୍ଠ ୧୫ ଜଣ ବାଳକ ଓ ୧୫ ଜଣ ବାଳିକାଙ୍କୁ ଚୟନ କରାଯାଇ ଆସନ୍ତା ନଭେମ୍ବର ୨୬ ତାରିଖରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଅନୁଗୁଳ ସରକାରୀ ହାଇସ୍କୁଲରେ ହେବାକୁଥିବା ରାଜ୍ୟ ସ୍ତରୀୟ ଚୟନ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି। ସେହିପରି ଜିଲାର ତିନି ଗୋଟି ବ୍ଲକ ବାରିପଦା, ବଡସାହି ଓ ଶାମାଖୁଣ୍ଟାକୁ ଯଥାକ୍ରମେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସିଲ୍ଡ ପ୍ରଦାନ କରାଯାଇଥିଲା। ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଚୟନକର୍ତ୍ତା ମାନଙ୍କୁ ନେଇ ଖେଳାଳୀ ମନୋନୀତ କରା ଯାଇଥିଲା।

ଉଦଯାପନୀ କାର୍ଯ୍ୟକ୍ରମରେ ଶ୍ରୀ ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ବ୍ଲକର ଏବିଇଓ ସୁକୁମାର ରାଉତ, ମୁଖ୍ୟ ବକ୍ତା ଭାବେ ଜିଲା ଶାରୀରିକ ଶିକ୍ଷା ଶିକ୍ଷକ ସଂଘର ସମ୍ପାଦକ କାର୍ତ୍ତିକ ସାମଲ ଉପସ୍ଥିତ ଥିଲେ। ଧାନଘେରା ହାଇସ୍କୁଲ ଶିକ୍ଷକ ଜୟନ୍ତା ଛାଟିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନୁର୍ଜ୍ଜୟ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପିଇଟି ପ୍ରଭାତ କୁମାର ପଣ୍ଡିତଙ୍କୁ ଦୀପକ ରାମଙ୍କ ସମେତ ଅନ୍ୟାନ୍ୟ ପିଇଟି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହାୟତା କରିଥିଲେ। ସୋମବାର ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଖୁଣ୍ଟା ବ୍ଲକର ନୋଡାଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କାସ୍ତ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବାସିପିଠା ସରପଞ୍ଚ ସରସ୍ୱତୀ ମାରାଣ୍ଡି, ସମ୍ମାନୀତ ଅତିଥି ଭାବେ ଖୁଣ୍ଟା ଏବିଇଓ ତଥା ବିଆରସିସି ବୃନ୍ଦାବନ ମାରାଣ୍ଡି, ଏସଏମସିର ଅଧ୍ୟକ୍ଷ ଅନିଲ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୧୫ ଜଣ ଅଫିସିଆଲ, ଓ ୨୦ ଜଣ ଟିମ ମ୍ୟାନେଜର ଯୋଗ ଦେଇଥିଲେ।

Comments are closed.