ରାତି ଅଧରେ ଥାନା ସମ୍ମୁଖରେ ବିକ୍ଷୋଭ

0

ଖଣ୍ଡପଡା  : ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବୋଦସା ଗ୍ରାମସ୍ଥିତ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱରଦେବଙ୍କ ମନ୍ଦିରରେ ପ୍ରବେଶକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟିି ହୋଇଥିବା ବିବାଦ କ୍ରମେ ନୂଆମୋଡ଼ ନେଇଛି। ବିବାଦର ସମାଧାନ ଲାଗି ଶାନ୍ତି କମିଟିର ପ୍ରୟାସକୁ ଉଭୟପକ୍ଷ ମାନି ନେଇଥିବାବେଳେ ରବିବାର ସନ୍ଧ୍ୟାରେ ପୁଲିସ ଘଟଣାରେ ସଂପୃକ୍ତ ନଥିବା କିଛି ବ୍ୟକ୍ତିଙ୍କୁ ଗିରଫ କରିବା ପ୍ରତିବାଦରେ ଏଠାରେ ଉତ୍ତେଜନା ସୃଷ୍ଟି ସହ ୩ ହଜାରରୁ ଊର୍ଦ୍ଧ୍ବ ଲୋକ ରାତି ଅଧରେ ଥାନା ଘେରାଉ କରିଛନ୍ତି। ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ଘଟଣାରୁ ପ୍ରକାଶ ଯେ, ଗତ ୧୬ ତାରିଖରେ ମନ୍ଦିର ପ୍ରବେଶ ଘଟଣାକୁ କେନ୍ଦ୍ରକରି ସବର୍ଣ୍ଣ -ଅସବର୍ଣ୍ଣ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସବର୍ଣ୍ଣ ଲୋକେ ମନ୍ଦିର ଜାଗା ଓ ଜମିରେ ଅନଧିକାର ଭାବେ ସ୍ଥାୟୀଗୃହ ନିର୍ମାଣକରି ରହି ଆସୁଥିବା ଅସବର୍ଣ୍ଣଙ୍କ ଘରଦ୍ୱାର ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ବିବାଦ ଉଗ୍ରରୂପ ନେଇଥିଲା। ଅସବର୍ଣ୍ଣ ଲୋକେ ଗାଁ ଛାଡ଼ି ପଳାଇଯାଇଥିଲେ। ନୟାଗଡ଼ ଜିଲା ପ୍ରଶାସନ ହସ୍ତକ୍ଷେପ କରି ବୋଦସା ଗ୍ରାମରେ ଶାନ୍ତି ଫେରାଇ ଆଣିବା ନିମନ୍ତେ ଜିଲାପାଳ,ଏସ୍‌ପି ଓ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ଶାନ୍ତି କମିଟି ଗଠନ କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟ ବିବାଦର ପୂର୍ଣ୍ଣଚ୍ଛେଦ ପକାଇଥିଲା।। ଅସବର୍ଣ୍ଣ ସମ୍ପ୍ରଦାୟର ୧୮ଟି ପରିବାରବର୍ଗଙ୍କୁ (ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ) ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା। ତଦନୁଯାୟୀ ପ୍ରତ୍ୟେକ ପରିବାରକୁ ଦୁଇ ଦିନ ତଳେ ୧ ଲକ୍ଷ ଟଙ୍କା ଲେଖାଏଁ ଚେକ୍‌ ଆକାରରେ ପ୍ରଦାନ କରାଯାଇଛି।
ତେବେ ରବିବାର ସନ୍ଧ୍ୟାରେ ଖଣ୍ଡପଡା ପୁଲିସ ବୋଦସା ଗ୍ରାମରେ ଚଢଉକରି ୧୨ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଗଣ୍ଡଗୋଳରେ ସମ୍ପୃକ୍ତ ନଥିବା ବ୍ୟକ୍ତିଙ୍କୁ ଗିରଫ ପ୍ରତିବାଦରେ ପଞ୍ଚାୟତର ୩ ହଜାରରୁ ଊର୍ଦ୍ଧ୍ବ ଲୋକ ରାତ୍ରି ୧୦ ଟା ୩୦ ମିନିଟ ରେ ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଛନ୍ତି। ଶାନ୍ତି କମିଟିର ନିଷ୍ପତ୍ତି ପରେ ପୁଲିସ କାହା ନିର୍ଦେଶରେ ନିରୀହ ବ୍ୟକ୍ତିଙ୍କୁ ଗିରଫ କଲା ବୋଲି ପଞ୍ଚାୟତବାସୀ ପ୍ରଶ୍ନ ଉଠାଇଛନ୍ତି? ପୁଲିସର ଏକତରଫା ଗିରଫଦାରିକୁ ବିକ୍ଷୋଭକାରୀ ତୀବ୍ର ନିନ୍ଦା କରିଛନ୍ତି।
ବୋଦସା ପଞ୍ଚାୟତବାସୀଙ୍କ ବିକ୍ଷୋଭ ଯୋଗୁଁ ଖଣ୍ଡପଡ଼ା ଥାନା ସମ୍ମୁଖରେ ରିପୋର୍ଟ ଲେଖାହେବା ବେଳକୁ ଉତ୍ତେଜନା ଲାଗିରହିଥିବା ସୂଚନା ମିଳିଛି।

Leave A Reply