କେରଳ ବନ୍ୟାରେ ଫସିଛନ୍ତି ୬ ଶହ ଓଡ଼ିଆ ଶ୍ରମିକ

0

ନୟାଗଡ଼/ପୁରୀ/ଭବାନୀପାଟଣା : କେରଳର ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଶାର ଶହ ଶହ ଦାଦନ ଶ୍ରମିକ ଫସି ରହିଥିବା ନଜରକୁ ଆସିଛି। କଳାହାଣ୍ଡି ଜିଲାର ୫୦୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ସହ ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ୮୦ରୁ ଊର୍ଦ୍ଧ୍ବ ଏବଂ ପୁରୀ ଜିଲା ବ୍ରହ୍ମଗିରି ବ୍ଲକ୍‍ର ୧୩ ଜଣ ଶ୍ରମିକ ସେଠାରେ ଭୋକଉପାସରେ ଅତ୍ୟନ୍ତ ଦୟନୀୟ ଅବସ୍ଥାନରେ ଥିବା ଜଣାପଡ଼ିଛି।
ସେମାନଙ୍କ ନିକଟରେ ବୁଧବାର ସୁଦ୍ଧା ଓଡ଼ିଶା ସରକାରଙ୍କ କୌଣସି ସହାୟତା ଟିମ୍‍ କିମ୍ବା ସାହାଯ୍ୟ ପହଞ୍ଚିନାହିଁ ବୋଲି ଏର୍ଣ୍ଣାକୁଲମ ଜିଲା ମାଞ୍ଜାପଟିଠାରେ ଫସି ରହିଥିବା ଦଶପଲ୍ଲା ବ୍ଲକ କଳସଖମଣ ପଞ୍ଚାୟତର ୧୭ଜଣ ଶ୍ରମିକ ଅଭିଯୋଗ କରିଛନ୍ତି। ଉଲ୍ଲେଖନୀୟ ଯେ ନୟାଗଡ଼ ଜିଲାର ଦଶପଲ୍ଲା, ଗଣିଆ, ନୂଆଗାଁ, ଖଣ୍ଡପଡ଼ା, ନୟାଗଡ଼, ଓଡ଼ଗାଁ ବ୍ଲକର ଶତାଧିକ ଶ୍ରମିକ କେରଳକୁ କାମଧନ୍ଦା ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୮୦ରୁ ଊର୍ଦ୍ର୍ଧ୍ବ ଶ୍ରମିକ ଆଜି ପର୍ଯ୍ୟନ୍ତ ମାଞ୍ଜାପାଟି, ମାନୁର ସମେତ ଅନ୍ୟ ସ୍ଥାନମାନଙ୍କରେ ଫସି ରହିଛନ୍ତି ବୋଲି ଦଶପଲ୍ଲା ବ୍ଲକ ଗଣିକୁମ୍ପା ଗ୍ରାମର ଜଣେ ଶ୍ରମିକ ଜିତୁ ନାୟକ ‘ସମାଜ’କୁ ଆଜି ସୂଚନା ଦେଇଛନ୍ତି। ମାଞ୍ଜାପାଟିରେ ଏକ ପଙ୍କ ପଚପଚ ଘରେ ୧୭ ଓଡ଼ିଆ ଶ୍ରମିକ ୫ଦିନ ହେଲା ଆଶ୍ରୟ ନେଇ ଥିବାବେଳେ ସେମାନେ ଗାମୁଛା ଖଣ୍ଡିଏ ଲେଖାଁଏ ପିନ୍ଧି କୌଣସି ମତେ ସେଠାରେ ଅର୍ଦ୍ଧାହାରରେ ପଡିିରହିଥିବା ଜିତୁ ନାୟକ କହିଛନ୍ତି। ସୂଚନା ପାଇ ନୟାଗଡ଼ ଜିଲାପାଳ ସେମାନଙ୍କ ସହିତ ସମ୍ପର୍କରେ ରହିଛନ୍ତି।
ଅନ୍ୟପକ୍ଷରେ ଏର୍ଣ୍ଣାକୁଲମରେ ଓଡ଼ିଶାରୁ ଯାଇଥିବା ଓଡ଼ିଶା ସରକାରଙ୍କ ଉଦ୍ଧାରକାରୀ ଟିମ୍‍ ରହିଥିବା ଜିଲାପାଳ କହିବା ସହିତ ଉଦ୍ଧାରକାରୀ ଟିମ୍‍ର ନେତୃତ୍ୱ ନେଇଥିବା ଅଧିକାରୀଙ୍କ ଟେଲିଫୋନ୍‍ ନମ୍ବର ଦେଇଥିଲେ। ତେବେ ମାଞ୍ଜାପାଟିରେ ଫଶି ରହିଥିବା ଜିତୁ ନାୟକଙ୍କ ସମେତ ୧୭ଜଣ ଶ୍ରମିକ ଏର୍ଣ୍ଣାକୁଲମଠାରେ ଥିବା ଉଦ୍ଧାରକାରୀ ଦଳକୁ ଫୋନ କରିବା ପରେ ସେମାନେ ଏର୍ଣ୍ଣାକୁଲମ ଚାଲି ଆସିବା ପାଇଁ ପରାମର୍ଶ ଦେଇଥିଲେ। କପର୍ଦ୍ଦକ ଶୂନ୍ୟ ଅବସ୍ଥାରେ ଭୋକ ଉପାସରେ ସଢ଼ୁଥିବା ଏହି ଶ୍ରମିକମାନେ କିଭଳି ଏଠାରୁ ୬୦କିମି ଦୂର ଏର୍ଣ୍ଣାକୁଲମ ଯିବେ ବୋଲି ପ୍ରଶ୍ନ କରିବାରୁ ଉଦ୍ଧାରକାରୀ ଦଳ କୌଣସି ଉତ୍ତର ଦେଇ ନ ଥିବା ଜିତୁ ନାୟକ ଅଭିଯୋଗ କରିଛନ୍ତି। ବାପାମାଆ ଧାରକରଜ କରି ଟଙ୍କା ପଠାଇଲେ ସେମାନେ ଏଠାରୁ ଯାଇପାରିବେ ବୋଲି କହିଛନ୍ତି।
ଦଶପଲ୍ଲା ବ୍ଲକର ଶ୍ରମିକମାନଙ୍କ ଘର ଜୁଜାମେଣ୍ଢି, କଙ୍କଣମେଣ୍ଢି, ଗଣିକୁମ୍ପା, କଳସଖମଣ ଏବଂ ଚଢ଼ୋୟାପଲ୍ଲି ବୋଲି ସୂଚନା ମିଳିଛି। ସେହିଭଳି କେରମ୍‍ବାବୁଠାରେ ମଧ୍ୟ ଦଶପଲ୍ଲା ଅଞ୍ଚଳର ୬ଜଣ ଶ୍ରମିକ ଅନୁରୂପ ଭାବେ ଜଳବନ୍ଦୀ ଘେରରେ ରହିଛନ୍ତି। ଏତଦ୍‍ବ୍ୟତୀତ ମାନୁର ଅଞ୍ଚଳରେ ମଧ୍ୟ ଦଶପଲ୍ଲା, ନୂଆଗାଁ ଏବଂ ଗଣିଆ ବ୍ଲକର ପ୍ରାୟ ୫୦ଜଣ ଶ୍ରମିକ ଏଭଳି ଦୟନୀୟ ଅବସ୍ଥାରେ ରହିଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ସହାୟତା ଯୋଗାଇଦେବା ଏବଂ ନିରାପଦରେ ନିଜ ଗ୍ରାମକୁ ଫେରାଇ ଆଣିବା ବ୍ୟବସ୍ଥା ରାଜ୍ୟ ସରକାର କରିବା ପାଇଁ କେରଳରେ ଥିବା ଏହି ଶ୍ରମିକମାନଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।
ସେହିପରି ବ୍ରହ୍ମଗିରି ବ୍ଲକର ୧୩ରୁ ଊର୍ଦ୍ଧ୍ବ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରି ଘରକୁ ଯଥାଶୀଘ୍ର ଆଣିବାକୁ ପରିବାର ଲୋକେ ନିବେଦନ କରିଛନ୍ତି। ଫସି ରହିଥିôବା ଶ୍ରମିକମାନେ ହେଲେ କୁସୁପୁର ଗ୍ରାମର ପର୍ଶୁରାମ ବେହେରା, ତପନ ବେହେରା, ତ୍ରିନାଥ ଭୁୟାଁ, ଆଲୋକ ଭୋଇ, ଭରତ ଭୋଇ, ରେବଣାନୂଆଗାଁର ପ୍ରକାଶ ସାହୁ, କସିଝରିଆ ଗ୍ରାମର ଜୟରାମ ପଲାଇ, କୋଠସାହିର ଭାଗବତ ଜେନା, ପ୍ରମୋଦ ଦଳାଇ, ବିଜୁପୁର ଗ୍ରାମର ପ୍ରଶାନ୍ତ ପ୍ରଧାନ, ରେଣ୍ଢାର ଦୀନା ସାହୁ, ସାନବନ୍ଧକେରାର ଦିଲୀପ ପଲାଇ, ନିରଞ୍ଜନ ନାୟକ, ଓ ହାତିଆ ଗ୍ରାମର ନିଲୁ ଦଳାଇ ଏବେ ବି ମଧ୍ୟ କେରଳ ବନ୍ୟାରେ ଫସି ରହିଥିବା ଜଣାପଡିଛି। ଶ୍ରମିକ ଭାବେ ଏର୍ଣ୍ଣାକୁଲମ ଜିଲା କାକିନାଡା ଅଞ୍ଚଳରେ ଥିବା ଏକ କମ୍ପାନୀରେ କାର୍ଯ୍ୟ କରିବାକୁ ଯାଇଥିଲେ। ସେମାନେ ପାହାଡ ଉପରେ ଥିବା ଏକ କୋଠାରେ ଅଟକି ରହିଛନ୍ତି। ଦୁଇଦିନ ହେବ ଫୋନ ଯୋଗେ ସେମାନେ ପରିବାର ସହ ଯୋଗାଯୋଗ କରିଥିôବା ପ୍ରକାଶ କରିଛନ୍ତି। ପାଣି ଛାଡିବା ପରେ ପରିସ୍ଥିତି ସ୍ୱାଭାବିକ ହେଲେ ଗାଁକୁ ଆସିବେ ବୋଲି ଭାଗବତ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ଘରକୁ ଫେରାଇ ଆଣିବାକୁ ପରିବାର ଲୋକ ଦାବି କରିଛନ୍ତି।
ସେହିଭଳି କଳାହାଣ୍ଡି ଜିଲାର ୧୩ଟି ବ୍ଲକରୁ ପ୍ରାୟ ୫ ଶହରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକ ଫସି ରହିଥିବା ଜଣାପଡିଛି। ଯୋଗାଯୋଗ ବ୍ୟବସ୍ଥା ତଥା ଫସିଥିବା ଶ୍ରମିକମାନଙ୍କଠାରେ କୌଣସି ମୋବାଇଲ ଫୋନ୍‍ ନ ଥିବାରୁ ସେମାନେ ସେମାନଙ୍କ ପରିବାରକୁ ସୂଚନା ଦେଇପାରୁନାହାନ୍ତି। ଫଳରେ ସେମାନଙ୍କ ପରିବାର ଆଶଙ୍କା ଭିତରେ ଦିନ କାଟୁଛନ୍ତି। ତୁରନ୍ତ ଏହି ବନ୍ୟାରେ ଫସିଥିବା କଳାହାଣ୍ଡିର ଦାଦନ ମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ସଦସ୍ୟମାନେ ରାଜ୍ୟ ସରକାରଙ୍କ ଠାରେ ଦାବି କରିଛନ୍ତି।
କଳାହାଣ୍ଡି ଜିଲା ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମଦନପୁର ରାମପୁର ବ୍ଲକର ୨୨ଜଣ, ଭବାନୀପାଟଣା ବ୍ଲକର ୧୩ ଜଣ, କୋକସରା ବ୍ଲକର ୭ଜଣ, ଧର୍ମଗଡ ବ୍ଲକର ୨ ଜଣ ଏବଂ ଜୟପାଟଣା ବ୍ଲକର ଜଣେ ଦାଦନ ଶ୍ରମିକ ସମେତ ମୋଟ ୪୫ ଜଣ ଦାଦନ ଶ୍ରମିକ କେରଳରେ ଫସି ରହିଛନ୍ତି। କିନ୍ତୁ ଜିଲାର ୧୩ଟି ବ୍ଲକ ମଧ୍ୟରୁ ବିଶେଷକରି ଭବାନୀପାଟଣା, ନର୍ଲା, କେସିଙ୍ଗା, ଲାଂଜିଗଡ, ଜୁନାଗଡ, ଧର୍ମଗଡ, ଗୋଲାମୁଣ୍ଡା, କୋକସରା, ଜୟପାଟଣା, ଥୁ.ରାମପୁର ଆଦି ବ୍ଲକ୍‍ରୁ ପ୍ରାୟ ୫ ଶହରୁ ଅଧିକ ଦାଦନ ଶ୍ରମିକ କେରଳକୁ ଦାଦନ ଖଟିବାକୁ ଯାଇ ଫସି ରହିଛନ୍ତି ବୋଲି ବିଭିନ୍ନ ଶ୍ରମ ସଂଗଠନ ଦାବି କରିଛନ୍ତି।

Leave A Reply