କେନ୍ଦ୍ରୀୟ ବିଦ୍ୟାଳୟର ଗ୍ରୀଷ୍ମ ଅବକାଶ ସମୟ ଘୁଞ୍ଚିଲା : ମେ୨ ରୁ ଜୁନ୨୦ ପର୍ଯ୍ୟନ୍ତ ହେବ ଛୁଟି

0

ସମ୍ବଲପୁର : ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟର ପୁର୍ବ ନିର୍ଦ୍ଧାରିତ ଗ୍ରୀଷ୍ମ ଅବକାଶ ଛୁଟି ଘୁଞ୍ଚାଇବା ପାଇଁ ଗତ ବର୍ଷରୁ ଅଭିଭାବକ ମାନଙ୍କ ତରଫରୁ ଦାବୀ କରାଯାଉଥଲା। ଏ ସଂକ୍ରାନ୍ତରେ ରାଜ୍ୟରେ ରହିଥିବା ଅଭିଭାବକ – ଶିକ୍ଷକ ସଂଘ ଗୁଡିକ ଦ୍ୱାରା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ରାଜ୍ୟ ସରକାରଙ୍କର କ୍ରମାଗତ ଭାବରେ ଦୃଷ୍ଟି ଆକର୍ଷଣ କରାଯାଉଥିଲା। ଏଣୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଅନ୍ତର୍ଗତ ଭୁବନେଶ୍ୱର ରିଜନର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକର ପୁର୍ବ ନିର୍ଦ୍ଧାରିତ ଗ୍ରୀଷ୍ମ ଅବକାଶ ଆରମ୍ଭ ସମୟକୁ ଏପ୍ରିଲ ୧୦ ତାରିଖରୁ ଘୁଞ୍ଚାଇ ମେ ୨ତାରିଖକୁ କରାଯାଇଛି। ପୁର୍ବରୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଦ୍ୱାରା ଜାରି ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଭୁବନେଶ୍ୱର ରିଜନର ଗ୍ରୀଷ୍ମ ଅବକାଶ ଏପ୍ରିଲ ୧୦ ରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଓଡିଶା ରିଜନ ଅନ୍ତର୍ଗତ ବିଦ୍ୟାଳୟ ଗୁଡିକ ଅଞ୍ଚଳର ପରିବେଶକୁ ଧ୍ୟାନରେ ରଖି ଓ ଅଭିଭାବକ ମାନଙ୍କ ଦାବୀକୁ ସମ୍ମାନ ଜଣାଇ ଗ୍ରୀଷ୍ମ ଅବକାଶକୁ ମେ ୨ ତାରିଖରୁ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ କରିବା ପାଇଁ ମଙ୍ଗଳବାର ଦିନ ଭୁବନେଶ୍ୱର ରିଜନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଏହି ନିର୍ଦ୍ଦେଶ ଜାରି ହେବା ପରେ ରାଜ୍ୟର ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି।

ସୁଚନାଯୋଗ୍ୟ ଯେ, ଗତ ୧୫ ତାରିଖ ଦିନ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନଂ–୨ର ଅଭିଭାବକ–ଶିକ୍ଷକ ସଂଘର ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ଜିଲାପାଳ ଓ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ସାକ୍ଷାତ କରି ପୂର୍ବ ନିର୍ଦ୍ଧାରିତ ଗ୍ରୀଷ୍ମ ଅବକାଶକୁ ଘୁଞ୍ଚାଇବା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ। ବିଷୟର ଗୁରୁତ୍ୱକୁ ଦେଖି ଜିଲାପାଳ ଓ ବିଦ୍ୟାଳୟ କର୍ତ୍ତୁପକ୍ଷ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗଳବାର ଗ୍ରୀଷ୍ମ ଅବକାଶ ଘୁଞ୍ଚାଇବା ନେଇ ନିର୍ଦ୍ଦେଶନାମା ଜାରି ପରେ ଅଭିଭାବକ–ଶିକ୍ଷକ ସଂଘ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ଭୁବନେଶ୍ୱର ରିଜନାଲ କାର୍ଯ୍ୟାଳୟ, ଜିଲାପାଳ ଶୁଭମ ସକ୍ସସେନା ଓ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ କୃତଜ୍ଞତାର ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply