ଶୀତ ପାଇଁ କେଦାରନାଥ ମନ୍ଦିର ବନ୍ଦ

ଡେରାଡୁନ : ଶୀତଋତୁର ଆଗମନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ମନ୍ଦିରକୁ ମଙ୍ଗଳବାର ଠାରୁ ବନ୍ଦ କରିଦିଆଯାଇଛି। ସକାଳ ୮ଟା ୩୦ ମିନିଟ୍‌ରେ ୧୨୦୦ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମନ୍ଦିର ଫାଟକରେ ତାଲା ପକାଯାଇଥିଲା ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି। ମନ୍ଦିରରେ ପୂଜା ପାଉଥିବା ଭଗବାନ ଶିବଙ୍କ ପ୍ରତିମୂର୍ତ୍ତିକୁ ପାଲିଙ୍କି ମାଧ୍ୟମରେ ଉଖିମଠର ଓମ୍‌କାରେଶ୍ବର ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି। ଏକ ଶୋଭାଯାତ୍ରାରେ ଶିବଙ୍କ ପ୍ରତିମୂର୍ତ୍ତିକୁ ରାମପୁର ଓ ଗୁପ୍ତକାଶୀ ଦେଇ ଓମ୍‌କାରେଶ୍ବର ମନ୍ଦିରକୁ ନିଆଯିବ। ଅକ୍ଟୋବର ୩୧ରେ ଓମ୍‌କାରେଶ୍ବର ମନ୍ଦିରରେ ଶିବଙ୍କ ମୂର୍ତ୍ତି ପହଞ୍ଚିବ। ଏଠାରେ ଶିବଙ୍କ ପ୍ରତିମୂର୍ତ୍ତି ୬ମାସ ପାଇଁ ପୂଜା ପାଇବେ। ଚଳିତବର୍ଷ ୯ଲକ୍ଷ ୯୭ହଜାର ଶ୍ରଦ୍ଧାଳୁ କେଦାରନାଥଙ୍କ ଦର୍ଶନ କରିଥିଲେ।

Comments are closed.