ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

0

ଭୁବନେଶ୍ୱର/ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସିବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ।। ଚଳିତ ମାସ ୪ର୍ଥ ସପ୍ତାହରେ ଶ୍ରୀ ରାଓଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲେ ହେଁ ବଜେଟ୍‍ ଅଧିବେଶନ ଚାଲିଥିବା କାରଣରୁ ଏହାକୁ ଆସନ୍ତାମାସ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି। ଗତ କିଛିମାସ ହେଲା ବିଜେପି ବିରୋଧରେ ଅଣ-କଂଗ୍ରେସଦଳଗୁଡ଼ିକ ଏକାଠି ହେବା ନେଇ ଚାଲିଥିବା ପ୍ରକ୍ରିୟା ମଧ୍ୟରେ ନବୀନ ଓ କେସିଆର୍‍ଙ୍କ ସମ୍ଭାବ୍ୟ ସାକ୍ଷାତକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି। ପୋଲାଭରମ୍‍କୁ ନେଇ ଉଭୟ ରାଜ୍ୟ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରୁଛନ୍ତି। ପୂର୍ବରୁ ପୋଲାଭରମ୍‍ ପ୍ରସଙ୍ଗକୁ ନେଇ ଓଡ଼ିଶାର ଆଭିମୁଖ୍ୟକୁ ତେଲେଙ୍ଗାନାର ଜଳସମ୍ପଦ ମନ୍ତ୍ରୀ ସମର୍ଥନ ଜଣାଇଥିଲେ। ତେବେ କେସିଆର୍‍ ଏ ସମ୍ପର୍କରେ ମୁହଁ ଖୋଲି ନ ଥିଲେ। ଏବେ ଆଞ୍ଚଳିକ ଦଳଗୁଡ଼ିକ ଶାସନ କରୁଥିବା ରାଜ୍ୟରେ କ୍ଷମତା ଦଖଲ ପାଇଁ ବିଜେପି ଯେପରି ରଣନୀତି ଆପଣେଇଛି ସେଥିପାଇଁ ନିଜ ରାଜ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ ଦୁଇ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ ନିକଟତର କରିଥିବା ଚର୍ଚ୍ଚା ହେଉଛି। ଜାତୀୟ ରାଜନୀତିର ପୃଷ୍ଠପଟ ସମ୍ପର୍କରେ ଆଲୋଚନା ପାଇଁ କେସିଆର୍‍ ଓଡ଼ିଶା ଆସୁଥିବା ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି।

ଉତ୍ତରପ୍ରଦେଶର ଦୁଇ ଉପନିର୍ବାଚନରେ ସପା-ବସପା ମେଣ୍ଟ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିବା ପରେ ଜାତୀୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବାର ସଙ୍କେତ ଦେଇଛି। ଏପରିକି ବିରୋଧୀଦଳ ଏକାଠି ହେଲେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିପାରିବେ ବୋଲି ଏକ ଧାରଣା ସୃଷ୍ଟି ହୋଇଛି। କର୍ଣ୍ଣାଟକ ନିର୍ବାଚନ ପରେ କଂଗ୍ରେସ, ସପା, ବସପା, ଜେଡିିୟୁ, ବାମପନ୍ଥୀ ଓ ଏହାର ଅନ୍ୟ

ସହଯୋଗୀ ଦଳଗୁଡ଼ିକ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିବାର ସମ୍ଭାବନା ରହିଛି। କଂଗ୍ରେସ ନେତୃତ୍ୱରେ ବିଭିନ୍ନ ରାଜ୍ୟରେ ଏହି ଦଳଗୁଡ଼ିକ ଏକାଠି ହୋଇ ନିର୍ବାଚନ ଲଢ଼ିବା ନେଇ ଏକ ନକ୍ସା ପ୍ରସ୍ତୁତ କରାଯାଉଛି; ମାତ୍ର ବିଜେଡିି, ଟିଆର୍‍ଏସ୍‍ ଓ ତୃଣମୂଳ ବିଜେପି ବିରୋଧରେ କଂଗ୍ରେସ ମେଣ୍ଟକୁ ସମର୍ଥନ ନେଇ କୌଣସି ସଙ୍କେତ ଦେଇ ନାହାନ୍ତି। ତେଣୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଟିଆର୍‍ଏସ୍‍ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ପ୍ରସ୍ତାବିତ ଆଲୋଚନା ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗପ୍ରତି ଇଙ୍ଗିତ କରୁଛି।

ପୋଲାଭରମ୍‍ ପ୍ରକଳ୍ପ, ହଳଦୀ ବୋର୍ଡ଼ ସ୍ଥାପନ, ନଦୀ ସଂଯୋଗୀକରଣ, କେନ୍ଦ୍ରୀୟ ଯୋଜନାରେ ଅର୍ଥ ହ୍ରାସ ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ରାଜ୍ୟ ମୋଦି ସରକାର ଉପରେ ଅସୁଖୀ। ଦ୍ୱିତୀୟତଃ ଅଣ ବିଜେପି ଶାସିତ ରାଜ୍ୟରେ କ୍ଷମତା ଦଖଲ ପାଇଁ ବିଜେପିର ରଣନୀତି ଉଭୟଙ୍କୁ ନିକଟତର କରିଥିବା ମନେ କରାଯାଉଛି। ବିଶେଷକରି ପୋଲାଭରମ ପ୍ରକଳ୍ପକୁ ଜାତୀୟ ମାନ୍ୟତା ଏବଂ ଆର୍ଥିକ ସହାୟତା ନେଇ କେନ୍ଦ୍ର ଆନ୍ଧ୍ରପ୍ରଦେଶକୁ ଯେପରି ଅଯାଚିତ ସହଯୋଗ ଦେଇଛି ତାହା ଉଭୟ ରାଜ୍ୟକୁ କ୍ଷୁବ୍ଧ କରିଛି। ଦୁଇ ରାଜ୍ୟର ସାଂସଦମାନେ ଭିନ୍ନଭିନ୍ନ ଫୋରମ୍‍ରେ କେନ୍ଦ୍ର ନିକଟରେ ଏଥିନେଇ ଆପତ୍ତି ଉଠାଇଛନ୍ତି। ଜଗମୋହନ ବିଜେପି ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି। ଅନ୍ୟପକ୍ଷରେ ତେଲୁଗୁ ଦେଶମ ପାର୍ଟି ବା କଂଗ୍ରେସ ସହ ୱାଇଏସ୍‍ଆର୍‍ କଂଗ୍ରେସର ମେଣ୍ଟ ନେଇ ସମ୍ଭାବନାକୁ ଜଗମୋହନ ଅସ୍ୱୀକାର କରିଥିବାରୁ ବିକଳ୍ପ ଭାବରେ ସେ ୱାଇଏସ୍‍ଆର୍‍ କଂଗ୍ରେସ ମୁଖ୍ୟ ଜଗମୋହନ ରେଡ୍ଡି ମଧ୍ୟ ନବୀନ-ଟିଆର୍‍ଏସ୍‍ ମୋର୍ଚ୍ଚାରେ ସାମିଲ ହେବାର ସମ୍ଭାବନା ରହିଛି। ଲୋକସଭାରେ ବିଜେଡିର ୨୦ ଜଣ ସାଂସଦ ଥିବାବେଳେ ଟିଆର୍‍ଏସ୍‍ର ରହିଛନ୍ତି ୧୩ ଜଣ। ଅନୁରୂପ ଭାବରେ ୱାଇଏସ୍‍ଆର୍‍ ଲୋକସଭାରେ ୮ (ଆନ୍ଧ୍ରରେ ୭, ତେଲେଙ୍ଗାନାରେ ୧) ସଦସ୍ୟ ଅଛନ୍ତି। ଲୋକସଭାରେ ଏହି ୩ ଦଳର ୪୧ ଜଣ ସାଂସଦ ଥିବାବେଳେ ତୃଣମୂଳ ସାଂସଦଙ୍କୁ ମିଶାଇଲେ ଏହି ସଂଖ୍ୟା ୭୫ରେ ପହଞ୍ଚିବ। ଅନୁରୂପ ଭାବରେ ରାଜ୍ୟସଭାରେ ୪ ଦଳର ସାଂସଦଙ୍କ ସଂଖ୍ୟା ୩୦। ସମ୍ପ୍ରତି ଟିଏମ୍‍ସିର ୧୩, ବିଜେଡିର୯, ଟିଆର୍‍ଏସ୍‍ର ୬ ଓ ୱାଇଏସ୍‍ଆର୍‍ କଂଗ୍ରେସର ୨ ଜଣ ସାଂସଦ ରାଜ୍ୟସଭାରେ ଅଛନ୍ତି। ତେଣୁ ସଂଖ୍ୟା ଦୃଷ୍ଟିରୁ ଚାରି ଦଳ ଏକାଠି ହୋଇ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିବେ ବୋଲି ମନେ କରାଯାଉଛି।

ତେବେ ଏଭଳି ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀ ହାଲୁକା ଭାବେ ନେବା ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସିବା ଅବସରରେ ତାଙ୍କ ସହିତ ସାକ୍ଷାତ ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ହେବ ବୋଲି କହିଛନ୍ତି। ମଙ୍ଗଳବାର ସାମ୍ବାଦିକମାନେ ଏ ସଂକ୍ରାନ୍ତରେ ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ଜାଣିବାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ତାଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ସାକ୍ଷାତ ସମୟରେ ତୃତୀୟ ସାମ୍ମୁଖ୍ୟ କିମ୍ବା କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହେବାର ନାହିଁ।

ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ଶ୍ରୀ ରାଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ(ଏସ)ର ମୁଖ୍ୟ ଏଚ୍‍ ଡି ଦେବେଗୌଡ଼ାଙ୍କୁ ଭେଟିଥିଲେ। ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ସମ୍ପର୍କରେ ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ କହିଛନ୍ତି ଯେ ବିଭିନ୍ନ ସମୟରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଦଳର ସମଭାବାପନ୍ନ ବରିଷ୍ଠ ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟୁଛନ୍ତି। ନବୀନଙ୍କ ପ୍ରତି ଜନାଧାର ବଢ଼ିଥିବାରୁ ଜାତୀୟ ସ୍ତରରେ ତାଙ୍କର ଏହି ଭେଟକୁ ନେଇ ଚର୍ଚ୍ଚା ରହିବା ସ୍ୱାଭାବିକ, ତେବେ ଏହା ସୌଜନ୍ୟମୂଳକ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସହିତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ସଂକ୍ରାନ୍ତରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଆଞ୍ଚଳିକ ଦଳଗୁଡ଼ିକ ଭୟଭୀତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱରେ ଆଞ୍ଚଳିକ ଶକ୍ତିଗୁଡ଼ିକର ରାଜନୈତିକ କାର୍ଯ୍ୟକ୍ରମ ଫିକା ପଡ଼ିଯାଉଥିବାରୁ ସେମାନେ ବିଭିନ୍ନ ରଣକୌଶଳ ଆପଣାଉଛନ୍ତି।

 

Leave A Reply