କାଠଯୋଡ଼ିରେ ହୋଇଥିଲା ଓଡ଼ିଶାରେ ଗାନ୍ଧୀଙ୍କ ପ୍ରଥମ ବଡ଼ସଭା

0
3007

ଓଡ଼ିଶାରେ ମହାତ୍ମାଗାନ୍ଧୀଙ୍କ ସର୍ବପ୍ରଥମ ସାଧାରଣ ସଭା କଟକଠାରେ କାଠଯୋଡ଼ି ନଦୀବାଲିରେ ହୋଇଥିଲା। ୧୯୨୧ ମାର୍ଚ୍ଚ ୨୩ ତାରିଖରେ ପ୍ରଥମ ଓଡ଼ିଶାଗସ୍ତରେ କଟକ ଆସିବା ପରେ ଅପରାହ୍ଣରେ ଏହି ସଭାର ଆୟୋଜନ ହୋଇଥିଲା ଏବଂ ବ୍ରିଟିଶକୁ ଅସହଯୋଗ କରିବା ଓ ଉତ୍କଳ କଂଗ୍ରେସ କମିଟିରେ ଯୋଗଦାନ ପାଇଁ ଗାନ୍ଧୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। (କଟକ ମ.ପ୍ର)
ଯେବେ ଫଗୁରଂଗରେ ଓଡ଼ିଶାର ପୁରପଲ୍ଲୀ ହୋଇଉଠିଥିଲା ରଙ୍ଗାୟିତ ଏବଂ ଦୋଳବିମାନରେ ଠାକୁର ବୁଲୁଥିଲୋ; ସେ ସମୟରେ ଜାତିର ଜନକ ମହାତ୍ମାଗାନ୍ଧୀ ହୋଇଥିଲା ପ୍ରଥମ ଓଡ଼ିଶା ଆଗମନ। ୧୯୨୧ ମସିହା ମାର୍ଚ୍ଚ ୨୧ ତାରିଖ ଦୋଳପୂର୍ଣ୍ଣମୀରେ ଓଡ଼ିଶାମାଟିରେ ତାଙ୍କର ପ୍ରଥମ ପାଦ ପଡ଼ିଥିଲା କଟକ ରେଳଷ୍ଟେସନ୍‍ରେ। ସେହିଦିନ ସକାଳୁ କାଠଯୋଡ଼ି ନଦୀର ବାଲୁକାଶଯ୍ୟାରେ ଲୋକଙ୍କ ସମାଗମ ଆରମ୍ଭ ହୋଇଯାଇଥିଲା। ସହରର ରଙ୍ଗାୟିତ ବାତାବରଣରେ ସେହି ଗୋଟିଏ କଥା ଖେଳିବୁଲୁଥିଲା- ଗାନ୍ଧୀ ଆସୁଛନ୍ତି। ନଦୀବନ୍ଧରେ ଧାଡ଼ିଧାଡ଼ି ଶଗଡ଼ ଓ ନଦୀକୂଳରେ ମାଳମାଳ ଡ଼ଙ୍ଗା। ଆଖପାଖ ଗାଁଗହଳରୁ ଲୋକେ ଛୁଟି ଆସିଥିଲେ ପରାଧୀନ ଭାରତର ମହାତ୍ମାଙ୍କୁ ଦେଖିବା ପାଇଁ। ସର୍ବୋଦୟ ନେତା ଦିବଂଗତ ଗୋପବନ୍ଧୁ ଚୋଧୁରୀ ନିଜ ପୁସ୍ତକରେ ଏହା ଲେଖିଛନ୍ତି ଯେ; ସହସ୍ରସହସ୍ର ମୁଣ୍ଡମାଳରେ ଭରିଯାଇଥିଲା କାଠଯୋଡ଼ିର ବାଲୁକା ଶଯ୍ୟା।। ଗାନ୍ଧୀ ଓ କସ୍ତୁରବା କଟକ ରେଳଷ୍ଟେସନ୍‍ରେ ପହଞ୍ଚିବାର ଖବର ବିଦ୍ୟୁତ୍‍ ବେଗରେ ଖେଳିଯିବା ପରେ କାଠଯୋଡ଼ିରେ ଜନସମାଗମ ଆହୁରି ବଢି ଯାଇଥିଲା। ସଭିଏଁ ସେଠି ଏହା ଆଶା କରୁଥିଲେ ଯେ; ଯେକୌଣସି ମୁହୂର୍ତ୍ତରେ ଗାନ୍ଧୀ ଆସି ପହଞ୍ଛ ଯାଇପାରନ୍ତି। ଅବଶ୍ୟ ସେଥିପାଇଁ ଢେର୍‍ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା; କାରଣ ଗାନ୍ଧିଜୀ ସର୍ବପ୍ରଥମେ କଦମ୍‍-ଏ-ରସୁଲଠାରେ ଖିଲାଫତ୍‍ ଆନ୍ଦୋଳନକୁ ନେଇ ଏକ ସଭା କରିବା ପରେ ବିନୋଦବିହାରୀଠାରେ ମଧ୍ୟ ଛୋଟ ସଭାଟିଏ କରିଥିଲେ। ଶେଷରେ ଅପରାହ୍ଣକୁ ଆସି ପହଞ୍ଚିଲେ କାଠଯୋଡ଼ିରେ ଆୟୋଜିତ ସର୍ବସାଧାରଣ ବିଶାଳ ସଭାସ୍ଥଳକୁ। ଦେବୀଗଡ଼ାରୁ ରାସ୍ତା ଗଡ଼ିଥାଏ ନଦୀବାଲି ଭିତରକୁ। ବାଉଁଶ ପୋତାଯାଇ ଦଉଡ଼ି ବନ୍ଧା ହୋଇଥାଏ; ଯାହାକୁ ଧରି ଗଡ଼ାଣିଆ ରାସ୍ତାରେ ବାଲିପ୍ରାନ୍ତରକୁ ଯାଇହେବ। ଗାନ୍ଧୀଙ୍କ ସହ କସ୍ତୁରବା ଏବଂ ଶତାଧିକ ଅନୁଗାମୀ ଥାଆନ୍ତି। କାଠଯୋଡ଼ି ସଭାର ନେତୃତ୍ୱ ନେଇଥାଆନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ସଭାସ୍ଥଳରେ କାଠପଟାର ମଞ୍ଚାରେ ପଡ଼ିଥାଏ ଗାରପକା ସତରଞ୍ଜି ଏବଂ ଖଣ୍ଡିଏ ମାତ୍ର କଳାରଙ୍ଗର ଚୌକି। ସତରଞ୍ଜିରେ କସ୍ତୁରବା, ଦେବଦାସ ଗାନ୍ଧୀ, ଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ପ୍ରମୁଖ ବସିଥାଆନ୍ତି। କାଠଚୌକିରେ ଗାନ୍ଧି ବସି ମହାତ୍ମା ଗାନ୍ଧୀ ବିଶାଳ ଜନସମୁଦ୍ରକୁ ଏହି ଆହ୍ୱାନ ଦେଇଥିଲେ ଯେ; ପ୍ରଥମ ବିଶ୍ୱଯୁଦ୍ଧରେ ଭାରତର ସହଯୋଗର ପୁରସ୍କାର ବ୍ରିଟିଶ ଦେଇଛି ଜାଲିଆନାୱାଲାବାଗରେ; ଆଉ ସହଯୋଗର ଅବକାଶ ନାହିଁ, ବ୍ରିଟିଶ ସହ ଅସହଯୋଗ ହିଁ କରିବାକୁ ହେବ। ଏହି ମର୍ମରେ ଅସହଯୋଗ ଆନ୍ଦୋଳନ ସଂପର୍କରେ ସେ ବୁଝାଇଥିଲେ। ୧୯୨୦ରେ ନାଗପୁର ଅଧିବେଶନରେ ଗଠିତ ହୋଇଥିବା ‘ଉତ୍କଳ କଂଗ୍ରେସ କମିଟି’ରେ ସଭ୍ୟ ହେବା ପାଇଁ ଗାନ୍ଧୀ ଆହ୍ୱାନ ଦେଇଥିଲେ। ସେହି କାଠଯୋଡ଼ି ନଦୀବାଲିରେ ସେ ଦିନ ବହୁ ସଂଖ୍ୟାରେ ଲୋକେ କଂଗ୍ରେସ କମିଟିର ସଦସ୍ୟତା ଗ୍ରହଣ କରିଥିଲେ। “ଅସ୍ପୃଶ୍ୟତା ହେଉଛି ମଣିଷ ମଣିଷ ଭିତରେ ଭେଦଭାବର ସବୁଠାରୁ କଦାକାର ରୂପ ଏବଂ ତାହାକୁ ଭାଙ୍ଗିବା ପାଇଁ ମୁଁ ଏଠାକୁ ଆସିଛି” ବୋଲି ଗାନ୍ଧୀ କହିଥିଲେ। ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ସଭ୍ୟଚାନ୍ଦା ପ୍ରଦାନ କରିଥିଲା ବେଳେ ବହୁସଂଖ୍ୟାରେ ମହିଳା ନିଜନିଜ ଅଳଙ୍କାରାଦି ଆଣି ସଭାମଞ୍ଚରେ ବାପୁଜୀଙ୍କ ପାଦତଳେ ଗଦାଇ ଦେଇଥିଲେ। ସ୍ୱାଧୀନତା ଆନ୍ଦୋଳନ ପାଇଁ ତାହାଥିଲା ଓଡ଼ିଆଙ୍କ ପ୍ରଥମ ପ୍ରତ୍ୟକ୍ଷ ସହାୟତା ପ୍ରଦାନ।

LEAVE A REPLY

Please enter your comment!
Please enter your name here