କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କୁ ସାହାଯ୍ୟ କରୁଛନ୍ତି ପାକ୍‌ ଉଚ୍ଚାୟୁକ୍ତ

ତିନି ହଜାର ପୃଷ୍ଠାର ପ୍ରମାଣ ଦାଖଲ କଲା ଏନ୍‌ଆଇଏ

ନୂଆଦିଲ୍ଲୀ : ଭାରତରେ ରହି ଭାରତ ବିରୋଧୀ କାର୍ଯ୍ୟକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ପାକିସ୍ତାନ ଉଚ୍ଚାୟୁକ୍ତ। ସେ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କୁ ପାଣ୍ଠିଯୋଗାଣ ସହିତ ଉପତ୍ୟକାରେ ବିଶୃଙ୍ଖଳାକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ନୂଆଦିଲ୍ଲୀସ୍ଥିତ ପାକ୍‌ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ବସ୍ତୁତଃ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ସାଜିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାତରେ ଏହାର ପ୍ରମାଣ ପଡ଼ିଛି। ଏହି ପ୍ରମାଣ ଆଧାରରେ ଏନ୍‌ଆଇଏ ପକ୍ଷରୁ ୩ ହଜାର ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରି​‌ପୋର୍ଟ ଶୁକ୍ରବାର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଓ ଆସିୟା ଆନ୍ଦ୍ରାବି ପ୍ରମୁଖଙ୍କ ବିରୋଧରେ ଦିଲ୍ଲୀ ଅଦାଲତରେ ଦାଖଲ ହୋଇଥିବା ଅତିରିକ୍ତ ଅଭିଯୋଗଫର୍ଦ ସହିତ ସଂଲଗ୍ନ ହୋଇଛି।
ଜାମ୍ମୁ-କାଶ୍ମୀର ଲିବରେସନ୍‌ ଫ୍ରଣ୍ଟ (ଜେକେଏଲଏଫ୍‌) ନେତା ୟାସିନ ମଲିକ, ଅନ୍ୟ ବିଚ୍ଛିନ୍ନତାବାଦୀ ନେତା ସବୀର ସାହା, ଆସିୟା ଆନ୍ଦ୍ରାବି, ମସରତ ଆଲାମ ଭଟଙ୍କ ବିରୋଧରେ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ମାମଲାରେ ଏନ୍‌ଆଇଏ ପକ୍ଷରୁ ଶୁକ୍ରବାର ଅତିରିକ୍ତ ଅଭିଯୋଗଫର୍ଦ ଦାଖଲ କରାଯାଇଥିଲା। ୨୦୧୭ର ଏହି ମାମଲାରେ ବିଧାୟକ ରଶିଦ ଇଞ୍ଜିନିୟରଙ୍କ ନାମ ମଧ୍ୟ ଥିଲା। ଏମାନଙ୍କ ମାଧ୍ୟମରେ ପାକିସ୍ତାନ ସରକାର ଓ ସେଠାକାର ଆତଙ୍କବାଦୀ ସଂଗଠନ ତଥା ଅନ୍ୟ ସଂସ୍ଥାରୁ ମିଳୁଥିବା ପାଣ୍ଠିକୁ ବିଚ୍ଛିନ୍ନତାବାଦୀ କାର୍ଯ୍ୟରେ ବିନିଯୋଗ କରାଯାଉଛିା। ଉପରୋକ୍ତ ନେତାମାନେ ଏହି ପାଣ୍ଠି ଖର୍ଚ୍ଚ କରି ଉପତ୍ୟକାରେ ବିଶୃଙ୍ଖଳା ସୃଷ୍ଟି କରାଉଛନ୍ତି। ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ଢ଼େଲାପଥର ଫିଙ୍ଗା ପର୍ଯ୍ୟନ୍ତ ସବୁକିଛି ଏମାନଙ୍କ ଇଙ୍ଗିତରେ ଚାଲିଆସିଛି। ପାକିସ୍ତାନ ଉଚ୍ଚାୟୁକ୍ତଙ୍କ ମାର୍ଗଦର୍ଶନକ୍ରମେ ଓ ତାଙ୍କ କାର୍ଯ୍ୟାଳୟର ପରିଚାଳନାକ୍ରମେ ଏ ସବୁ ଚାଲିଛି। ବସ୍ତୁତଃ ଏହି କାର୍ଯ୍ୟାଳୟ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଓ ଭାରତ ସରକାରଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ ଯୁଦ୍ଧ ଡାକରା ଭଳି ଆପରାଧିକ ଷଡ଼ଯନ୍ତ୍ର ଚଳାଇଛନ୍ତି। ୟାସିନ ମଲିକ ଓ ଅନ୍ୟ ବିଚ୍ଛିନ୍ନତାବାଦୀ ନେତାଙ୍କ ଘରେ ଚଢ଼ଉବେଳେ ମିଳିଥିବା ଏହାର ଏକାଧିକ ପ୍ରମାଣ ମିଳିଥିବା ଏନ୍‌ଆଇଏ ଦର୍ଶାଇଛି। ହାୱଲା କାରବାର ମାଧ୍ୟମରେ ଏମାନେ ନିଜ ଉଦ୍ଦେଶ୍ୟ ସାଧନ ପାଇଁ ବିଦେଶରୁ ବିପୁଳ ଅର୍ଥ ସଂଗ୍ରହ କରୁଥିବା କାଗଜପତ୍ର ଓ ଇ-ମେଲ୍‌ରୁ ଜଣାପଡ଼ିଛି। ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ମାମଲାରେ ଏନ୍‌ଆଇଏ ୮ମାସ ପୂର୍ବେ ପ୍ରଥମ ଅଭିଯୋଗଫର୍ଦ ଦାଖଲ କରିଥିଲା। ଏଥିରେ ହାଫିଜ ସୟିଦ ଓ ସୟଦ ସଲାଲୁଦ୍ଦିନଙ୍କ ଭଳି ମୋଟ ୧୨ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଏଥିସହିତ ଲସ୍କର-ଇ-ତଏବା, ହିଜ୍‌ବୁଲ ମୁଜାହିଦ୍ଦିନ ଭଳି ସଂଗଠନର ନାମ ମଧ୍ୟ ରହିଥିଲା। ଏମାନେ କିଭଳି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛନ୍ତି ଓ ବିଚ୍ଛିନ୍ନତାବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି ତାହାର ପ୍ରମାଣ ରହିଥିଲା।

Comments are closed.