କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରେ ସୁରକ୍ଷା କଡ଼ାକଡ଼ି

ସିଂହଦ୍ବାରରେ ପ୍ରବେଶ, ଅନ୍ୟଦ୍ବାରରେ ପ୍ରସ୍ଥାନ

ରାଜ ରାଜେଶ୍ବର ବେଶରେ ଦର୍ଶନ ଦେବେ ଦାରୁବ୍ରହ୍ମ

ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଂହଦ୍ବାର ସମ୍ମୁଖ ବଡ଼ଦାଣ୍ଡରେ ବ୍ୟାରିକେଡ ନିର୍ମାଣ କରାଯାଇଛି। ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ରାଜ ରାଜେଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେଦିନ କାର୍ତ୍ତିକବ୍ରତ ଉଦ୍‌ଯାପନ ହେବ। ପୂର୍ଣ୍ଣିମା ସକାଳୁ ମହୋଦଧି ସମେତ ତୀର୍ଥପୁଷ୍କରିଣୀ ଗୁଡିକରେ ଡଙ୍ଗା ଭସାଇବାକୁ ହଜାର ହଜାର ଲୋକଙ୍କ ସମାଗମ ହେବ। ସୁରକ୍ଷା ବ୍ୟବସ୍ଥା ପାଇଁ ୩୯ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ଜିଲାର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ଏସ୍‌ପିଙ୍କ ନେତୃତ୍ବରେ ୩ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୧୪୨ ପୁଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ। ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ। ଭିତରକାଠ ଏବଂ ବାହାରକାଠ ପାଖରୁ ଦର୍ଶନ ସୁବିଧା ଉପଲବ୍ଧ ହେବ। ଦାରୁବ୍ରହ୍ମଙ୍କୁ ଦର୍ଶନ ପରେ ଭକ୍ତମାନେ ଉତ୍ତରଦ୍ବାର, ଦକ୍ଷିଣଦ୍ବାର ଏବଂ ପଶ୍ଚିମଦ୍ବାର ଦେଇ ପ୍ରସ୍ଥାନ କରିବେ। ଗହଳି ନିୟନ୍ତ୍ରଣ ପାଇଁ ମନ୍ଦିର ଭିତରେ କୁଇକ୍‌ ରେସପନ୍ସ ଟିମ ସମେତ ଶତାଧିକ ସାଧା ପୋଷାକଧାରୀ ପୁଲିସ କର୍ମଚାରୀ ନିୟୋଜିତ କରାଯିବ। କ୍ଲୋଜସର୍କିଟ କ୍ୟାମେରା ମାଧ୍ୟମରେ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯିବ। ପ୍ରାୟ ୨ଲକ୍ଷ ଭକ୍ତ ସେଦିନ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସମ୍ଭାବନା ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଅବରୋଧମୁକ୍ତ କରାଯିବା ସହ ମନ୍ଦିର କାର୍ଯ୍ୟାଳୟଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ ନିର୍ମାଣ କରାଯାଇଛି। ସିଂହଦ୍ବାର ସମ୍ମୁଖରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି, ଜନସ୍ବାସ୍ଥ୍ୟ ଜଳଯୋଗାଣ ଟ୍ୟାଙ୍କର ରଖାଯାଇଛି। ଶ୍ରୀଜୀଉଙ୍କ ସେବାପୂଜା ଏବଂ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପାଳିଆ ସେବକଙ୍କୁ ଅନୁରୋଧ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଭୋର ୪ଟାରେ ସେଦିନ ଶ୍ରୀମନ୍ଦିର ଦ୍ବାର ଫିଟାଯିବ। ଭିତରଶୋଧ ପରେ ସକାଳ ୫ଟାରେ ମହାପ୍ରଭୁଙ୍କ ମଙ୍ଗଳଆଳତି ଅନୁଷ୍ଠିତ ହେବ। ମଇଲମ, ତଡ଼ପଲାଗି ଏବଂ ଅବକାଶ ପରେ ବେଶ କରାଯିବା କାର୍ଯ୍ୟକ୍ରମ ରହିଛି। ସକାଳ ୮ଟାରେ ଗୋପାଳବଲ୍ଲଭ, ୮ଟା ୩୦ରୁ ୯ଟା ୩୦ ମଧ୍ୟରେ ସକାଳଧୂପ, ଦିନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ବାଳଧୂପ ଏବଂ ଦିନ ୧୧ଟା ମଧ୍ୟରେ ଭୋଗମଣ୍ଡପ ନୀତି କରାଯିବାକୁ ସ୍ଥିର ହୋଇଛି। ରାଜରାଜେଶ୍ବର ବେଶରେ ଦାରୁବ୍ରହ୍ମଙ୍କୁ ୨୩ପ୍ରକାର ହୀରାନୀଳା ଖଚିତ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯିବ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମହୋଦଧିରେ ସ୍ନାନକରି ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ସାଧାରଣରେ ଅଖଣ୍ଡ ବିଶ୍ବାସ ରହିଛି। ସମୁଦ୍ରରେ ଗାଧୋଉଥିବା ଲୋକଙ୍କ ସୁରକ୍ଷା ପାଇଁ ୧୦୦ ତାଲିମପ୍ରାପ୍ତ ଲାଇଫଗାର୍ଡ ମୁତୟନ କରାଯିବ। ଶ୍ବେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଏବଂ ମାର୍କଣ୍ଡେୟ ପୁଷ୍କରିଣୀରେ ସୁରକ୍ଷା ବ୍ୟବସ୍ଥା କରାଯିବ। ଏକମାସ ଧରି ଶ୍ରୀକ୍ଷେତ୍ରରେ କାର୍ତ୍ତିକବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ସେଦିନ ଶ୍ରୀଜୀଉଙ୍କୁ ଦର୍ଶନ କରି ବ୍ରତ ଉଦ୍‌ଯାପନ କରିବେ। କାର୍ତ୍ତିକ ପୂର୍ଣ୍ଣିମା ଆଉମାତ୍ର ଗୋଟିଏ ଦିନ ବାକିଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ହରିନାମ, ହୁଳହୁଳୀ ଏବଂ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ପରିସର। ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ବହୁଗୁଣରେ ବୃଦ୍ଧି ପାଇଛି। ପଞ୍ଚୁକ ୫ଦିନ ଦାରୁବ୍ରହ୍ମଙ୍କୁ ବିଭିନ୍ନ ଆକର୍ଷଣୀୟ ବେଶ କରାଯାଉଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଦଳାଚକଟା ପରିସ୍ଥିତି ଏଡାଇବା ପାଇଁ ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.