କର୍ଣ୍ଣାଟକରେ ରାଜନୈତିକ ସଂକଟ : ବୈଠକକୁ ଆସିଲେନି ୪ କଂଗ୍ରେସ ବିଧାୟକ

0

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ ଜାରି ରହିଛି। ଜେଡି(ଏସ୍‌)-କଂଗ୍ରେସ ମିଳିତ ସରକାରରୁ ଦୁଇ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଓ ଅଜ୍ଞାତବାସରେ ଥିବା ଦୁଇ କଂଗ୍ରେସ ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ପରେ ଶୁକ୍ରବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା; କିନ୍ତୁ ଏଥିରେ ୪ଜଣ ସଦସ୍ୟ ଅନୁପସ୍ଥିତ ରହିଥିବା ଦେଖାଯାଇଥିଲା। ଏହି ଅନୁପସ୍ଥିତି ନେଇ ଦଳ ପକ୍ଷରୁ ସମ୍ପୃକ୍ତ ୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ବିରୋଧୀ ବିଜେପି ରାଜ୍ୟ ସରକାରକୁ ଭାଙ୍ଗିବା ଉଦ୍ୟମ ଚଳାଇଥିବାର ଅଭିଯୋଗ ହେଉଥିବାବେଳେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଏକତା ଓ ଶକ୍ତି ପ୍ରଦର୍ଶନ ଉଦ୍ଦେଶ୍ୟରେ କର୍ଣ୍ଣାଟକ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଈଶ୍ବର ଖାଣ୍ଡରେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆହ୍ବାନ କରିଥିଲେ। ଏହି ବିଧାୟକ ଦଳ ବୈଠକରେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ ଦଳର ରାଜ୍ୟ ପ୍ରଭାରୀ କେ.ସି ବେଣୁଗୋପାଳଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସତ୍ତ୍ବେ ଉକ୍ତ ବୈଠକରେ ବିଧାୟକ ରମେଶ ଜାର୍କିହୋଲି, ବି. ନଗେନ୍ଦ୍ର, ଉମେଶ ଯାଦବ ଓ ମହେଶ କୁମାତାହାଲି ଅନୁପସ୍ଥିତ ରହିଥିଲେ। ବୈଠକ ପରେ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି ଯେ ସେମାନଙ୍କଠାରୁ ଜବାବ ମିଳିବା ପରେ ଏ ସମ୍ପର୍କରେ ଦଳର ହାଇକମାଣ୍ଡଙ୍କ ସହିତ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ। ଯାଦବ ଅସୁସ୍ଥତା ଯୋଗୁଁ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ପୂର୍ବରୁ ଜଣାଇଥିବା ସିଦ୍ଧରମେୟା କହିଛନ୍ତି। ସେହିପରି ନଗେନ୍ଦ୍ର କୌଣସି ଏକ ମାମଲାରେ ଅଦାଲତରେ ହାଜର ହେବାକୁ ଥିବାରୁ ଯୋଗଦେଇ ପାରିବେ ନାହିଁ ବୋଲି ଜଣାଇଥିବା କହିଥିଲେ ବେଣୁଗୋପାଳ। ଅନ୍ୟ ଦୁଇ ଜଣ ସେମାନଙ୍କ ଅନୁସ୍ଥିତି ସମ୍ପର୍କରେ କିଛି ଜଣାଇ ନାହାନ୍ତି। ଉଲ୍ଲେଖଯୋଗ୍ୟ କି ଜାରକିହୋଲି ନିକଟରେ ମନ୍ତ୍ରିମଣ୍ଡଳରୁ ବାଦପଡ଼ିବା ନେଇ ଅସନ୍ତୁଷ୍ଟ ଅଛନ୍ତି।
ଅପରପକ୍ଷରେ ବିଧାୟକ ଦଳ ବୈଠକରେ ଏହି ଚାରି ଜଣଙ୍କ ଅନୁପସ୍ଥିତି ନେଇ ସାତ ମାସ ପୁରୁଣା ମେଣ୍ଟ ସରକାରକୁ କୌଣସି ବିପଦ ନାହିଁ ବୋଲି ଦଳର ବରିଷ୍ଠ ନେତାମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ସହଯୋଗୀ କଂଗ୍ରେସ ଦଳରେ କିଛି ସମସ୍ୟା ରହିଛି। ମେଣ୍ଟ ସରକାର ପାଇଁ ଏହାର ଶୀଘ୍ର ସମାଧାନ ହେବା ଆବଶ୍ୟକ ବୋଲି କୁମାରସ୍ବାମୀ କହିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁରାଓଙ୍କ କହିବାନୁସାରେ ସମସ୍ତ ବିଧାୟକ ଆମ ସହିତ ଯୋଗାଯୋଗରେ ଅଛନ୍ତି। କିଛି କାରଣରୁ ୪ଜଣ ବୈଠକକୁ ଆସିପାରି ନ ଥିଲେ ମଧ୍ୟ ପରବର୍ତ୍ତୀ ବୈଠକରେ ସେମାନେ ଯୋଗଦେବେ​‌ବୋଲି ଜଣାଇଥିବା ଗୁଣ୍ଡୁରାଓ କହିଛନ୍ତି। ସରକାରକୁ କୌଣସି ବିପଦ ନାହିଁ; ସରକାର ପୂରା ପାଞ୍ଚ ବର୍ଷ ପୂରଣ କରିବ। ସରକାର ଭାଙ୍ଗିବା ପାଇଁ ବିଜେପିର କୌଣସି ଷଡ଼ଯନ୍ତ୍ର ସଫଳ ହେବ ନାହିଁ ବୋଲି ସେ ଦାମ୍ଭିକତା ଦେଖାଇଛନ୍ତି।
ବୈଠକ ପୂର୍ବରୁ କୁମାରସ୍ବାମୀ ଓ ବେଣୁଗୋପାଳଙ୍କ ମଧ୍ୟରେ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ‘ବିଜେପି ତାର ‘ଅପରେସନ୍‌ କମଲ’ ଜାରି ରଖିବ। ଏହା ୟେଦୁରପ୍ପାଙ୍କ କାମ’ ବୋଲି କୁମାରସ୍ବାମୀ କହିଥିଲେ। ଏହାର ଜବାବରେ ୟେଦୁରପ୍ପା କହିଛନ୍ତି ଯେ କଂଗ୍ରେସ ବୈଠକରେ କିଛି ବିଧାୟକ ବାଧ୍ୟବାଧକତାରେ ଯୋଗ ଦେଇଛନ୍ତି; କିନ୍ତୁ ବିଜେପି ପ୍ରତି ସେମାନଙ୍କର ସମର୍ଥନ ରହିଛି। ଉଲ୍ଲେଖଯୋଗ୍ୟ ଯେ ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର ୧୦୪ ଥିବାବେଳେ କଂଗ୍ରେସର ୭୯ ଓ ଜେଡି(ଏସ୍‌)ର ୩୭ ସଦସ୍ୟ ଅଛନ୍ତି। ଏହାଛଡ଼ା ବିଏସ୍‌ପି ଓ କେପିଜେପିର ଜଣେ ଲେଖାଏଁ ସଦସ୍ୟଙ୍କ ବ୍ୟତୀତ ଜ​‌େ​‌ଣ ସ୍ବାଧୀନ ବିଧାୟକ ଅଛନ୍ତି। ବିଏସ୍‌ପି ସରକାରକୁ ସମର୍ଥନ କରୁଛି।

Leave A Reply