ରିସର୍ଟରୁ ଫେରିଲେ କଂଗ୍ରେସ ବିଧାୟକ

0

ବେଙ୍ଗାଲୁରୁ: ରିସର୍ଟରେ ରବିବାର ମାର୍‌ପିଟ ଘଟଣା ପରେ କର୍ଣ୍ଣାଟକ କଂଗ୍ରେସ ବିଧାୟକମାନେ ସୋମବାର ଘରକୁ ଫେରିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁରାଓ ସୋମବାର ଏ ସମ୍ପର୍କରେ କହିଛନ୍ତିି ଯେ ବିଧାୟକମାନଙ୍କୁ ଆଉ ରିସର୍ଟରେ ରଖା ନ ଯାଇ ଘରକୁ ପଠାଇଦେବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ସମ​​‌ସ୍ତେ‌ ଶୀଘ୍ର ସେମାନଙ୍କ ଘରେ ପହଞ୍ଚି ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ। ବିଜେପି ଘୋଡ଼ାବେପାର ମାଧ୍ୟମରେ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବାରୁ ଆମେ ସମସ୍ତ ବିଧାୟକଙ୍କୁ ଏଠାରେ ଆଣି ରଖିଥିଲୁ; କିନ୍ତୁ ସରକାରର କୌଣସି କ୍ଷତି ହେବ ନାହିଁ ବୋଲି ଆମେ ନିଶ୍ଚିତ ହେବା ପରେ ଫେରିବା ପାଇଁ ନିଷ୍ପତ୍ତି ନେଇଛୁ। ସରକାର ସୁରକ୍ଷିତ ଓ ଶକ୍ତିଶାଳୀ ରହିଥିବା ଆମେ ଅନୁଭବ କରିଛୁ। ବିଧାୟକମାନେ ଏବେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ଗୁଣ୍ଡୁରାଓ। ‘ସୋମବାର ପୂର୍ବାହ୍ଣରେ ଇଗଲଟନ୍‌ ରିସର୍ଟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ​‌େ​‌ହବାର ଥିଲା; କିନ୍ତୁ ପରେ ଏହାକୁ ବାତିଲ କରାଯାଇଥିଲା। ବିଜେପି ଆଡ଼ୁ କୌଣସି ବିପଦ ନାହିଁ; ତେଣୁ ଆମେ ଘରକୁ ଯାଉଛୁ’ ବୋଲି କହିଛନ୍ତି ଜଣେ ବିଧାୟକ ଆର.ରେଡ୍ଡି।
ଅପରପକ୍ଷରେ ରବିବାର ମାର୍‌ପିଟ ଘଟଣାରେ ଆହତ ବିଧାୟକ ଆନନ୍ଦ ସିଂହ ଆକ୍ରମଣକାରୀ ବିଧାୟକ ଜେ.ଏନ୍‌ ଗଣେଶଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ‘ଶନିବାର ରାତିରେ ଖାଇସାରି ଶୋଇବାକୁ ଏକାଠି ଯିବାବେଳେ ଗଣେଶ ତାଙ୍କୁ ନିର୍ବାଚନ ସମୟରେ ଆର୍ଥିକ ସାହାଯ୍ୟ କରି ନ ଥିବା ଦର୍ଶାଇ ଗାଳିଗୁଲଜ କରିଥିଲେ। ମୋ ପରିବାରକୁ ନିପାତ କରିବେ ବୋଲି ଧମକ ଦେଇଥିଲେ। ଗଣେଶ ତାଙ୍କୁ କାନ୍ଥ ଆଡ଼କୁ ଠେଲିଦେବା ସହ ମୁଥ, ଲାଠି ଓ ବୋତଲରେ ମାରିଥିଲେ। ଏଥିରେ ତାଙ୍କର ଆଖି ଓ ନାକ ଫୁଲିଯାଇଥିଲା। ସେ ଜୀବନରୁ ମାରିଦେବାକୁ ଓ ତାଙ୍କର କ୍ୟାରିୟର ଶେଷ କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ବିଧାୟକ ରାମାପ୍ପା, ରଘୁମୂର୍ତ୍ତି ଓ ଟୁକାରାମ ତାଙ୍କୁ ରକ୍ଷା କରିଥିଲେ ବୋଲି ଆନନ୍ଦ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ମୁମ୍ବଇରେ ଥିବା ଆନନ୍ଦଙ୍କ ପତ୍ନୀ ଲକ୍ଷ୍ମୀ ସିଂହ ଏହି ଘଟଣାରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ‘ବାସ୍ତବରେ ଗଣେଶ ଯଦି ଆନନ୍ଦଙ୍କ ଉପରେ ଆକ୍ରମଣ କରିଥାଆନ୍ତି; ତେବେ ମୁଁ ଓ ମୋ ପିଲାମାନେ ତାଙ୍କୁ ଛାଡ଼ିବୁ ନାହିଁ’ ବୋଲି ଲକ୍ଷ୍ମୀ କହିଛନ୍ତି। ଆନନ୍ଦ ସମ୍ପ୍ରତି ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଆଖିପତା ଫୁଲି କଳାପଡ଼ିଥିବା ନେଇ ଲକ୍ଷ୍ମୀ ସମ୍ପର୍କୀୟଙ୍କ ସୂତ୍ରରୁ ଖବର ଆଧାରରେ କହିଛନ୍ତି। ଏହି ଘଟଣା ନେଇ ବିଧାୟକମାନେ ଭିନ୍ନ ଭିନ୍ନ କଥା କହୁଛନ୍ତି। ଦଳୀୟ ସାଂସଦ ଡି.କେ ସୁରେଶ ଡାକ୍ତରଖାନାରେ ଆନନ୍ଦଙ୍କୁ ଭେଟିବା ପରେ କହିଛନ୍ତି ଯେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆନନ୍ଦ ଅସୁସ୍ଥ ହୋଇପଡ଼ିଥିଲେ; ତାଙ୍କ ଉପରେ ଆକ୍ରମଣ ହୋଇ ନାହିଁ। ପ୍ରକାଶିତ ଖବରରେ ସତ୍ୟତା ନାହିଁ। ଅଭିଯୁକ୍ତ ବିଧାୟକ ଗଣେଶ ମଧ୍ୟ ଏହି ଘଟଣାକୁ ଅସ୍ବୀକାର କରିଛନ୍ତି। ଭୀମା ନାଏକଙ୍କ ସହ ତିନିଜଣ ଏକାଠି ଯାଉଥିବାବେଳେ ଆନନ୍ଦଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଆନନ୍ଦ ହଠାତ୍‌ ପଡ଼ିଯାଇଥିଲେ ଓ ସାମାନ୍ୟ ଆଘାତ ଲାଗିଥିଲା। କେହି କାହାକୁ ମାର୍‌ପିଟ କରି ନ ଥିବା ଗଣେଶ କହିଛନ୍ତି। ଏଥିସହିତ ସେ ଆନନ୍ଦ ଓ ତାଙ୍କ ପରିବାରକୁ ଏଥିପାଇଁ କ୍ଷମା ମାଗିଛନ୍ତି।
ସୂଚନାନୁଯାୟୀ, ମାର୍‌ପିଟ ଘଟଣାର ତଦନ୍ତ ଦାୟିତ୍ବ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବରଙ୍କୁ ନ୍ୟସ୍ତ କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ଗଣେଶଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଅନ୍ୟପଟେ କର୍ଣ୍ଣାଟକ କଂଗ୍ରେସ କମିଟି ପକ୍ଷରୁ ବିଧାୟକ ଦଳ ବୈଠକରେ ଅନୁପସ୍ଥିତି ନେଇ ଜାରି ହୋଇଥିବା ନୋଟିସ୍‌ର ଜବାବ ଦେଇ ନାହାନ୍ତି ୪ ବିଧାୟକ ରମେଶ ଜାର୍କିହୋଲି, ବି. ନଗେନ୍ଦ୍ର, ଉମେଶ ଯାଦବ ଓ ମହେଶ କୁମାତାହାଲି।

Leave A Reply