‘କାହ୍ନା’ପାଇବ ନୂଆ ଚେହେରା ; ପରିବାର ମୁହଁରେ ହସ

0

ବ୍ରହ୍ମପୁର : ଦୀର୍ଘବର୍ଷ ପରେ ବ୍ରହ୍ମପୁର ବଡ ମେଡିକାଲର ଡାକ୍ତରମାନେ ଡାକ୍ତରୀ ବିଦ୍ୟାର ନୌପୁଣ୍ୟତା ପ୍ରଦର୍ଶନ କରିଛନ୍ତି। ଜଣେ ୬ ବର୍ଷ ବୟସର ଲୋମଶ ଶିଶୁର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କରିଛନ୍ତି। ଏହି ବିରଳ ଅସ୍ତ୍ରୋପଚାର କରି ବ୍ରହ୍ମପୁର ମେଡିକାଲ କଲେଜ ଡାକ୍ତରମାନେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ଶିଶୁକୁ ନୂଆ ଚେହେରା ଦେବାର ପ୍ରୟାସ ଆରମ୍ଭ କରିଛନ୍ତି। ଶରୀରର ଶତକଡା ୪୦ ଭାଗ କଳା ଲୋମଶଯୁକ୍ତ ହୋଇ ଜନ୍ମ ନେଇଥିବା ୬ ବର୍ଷୀୟ ବାଳକ ‘କାହ୍ନା’ର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ ହୋଇଛି। ଗୁରୁବାର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜର ମୁଖ୍ୟ ଅସ୍ତ୍ରୋପଚାର ଗୃହରେ ଏକ ସ୍ୱତନ୍ତ୍ର ୧୨ ଜଣିଆ ଡାକ୍ତର ଦଳ କାହ୍ନାକୁ ୬ ଘଣ୍ଟା ଧରି ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର ଶେଷ ହେବା ପରେ ବର୍ତ୍ତମାନ କାହ୍ନାକୁ ସ୍ୱତନ୍ତ୍ର ଶିଶୁ ୱାର୍ଡରେ ରଖାଯାଇଛି। ଆଗାମୀ ଦିନରେ ଆହୁରି ତିନୋଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର ହେବ। ଆଜିର ସଫଳତା କାହ୍ନାର ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇଛି।
ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ କାହ୍ନାକୁ ସର୍ଜରୀ ବିଭାଗ ୩୨୮ ନମ୍ବର ବେଡ୍‌ରୁ ନିଆଯାଇ ମୁଖ୍ୟ ଅସ୍ତ୍ରୋପଚାର ଗୃହରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ପ୍ରସ୍ତୁତ ରହିଥିବା ସର୍ଜରୀ, ଶିଶୁ ଓ ନିଶ୍ଚେତକ ବିଭାଗର ୧୨ ଜଣିଆ ଡାକ୍ତର ଦଳ ଓ ସହଯୋଗୀ ଅସ୍ତ୍ରୋପଚାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ଳାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ରାଜୁ ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ବିରଳ ଅସ୍ତ୍ରୋପଚାରରେ ନିଶ୍ଚେତକ ବିଭାଗ ପ୍ରଫେସର ଲକ୍ଷ୍ମୀଧର ଦାସ, ସହକାରୀ ପ୍ରଫେସର ପ୍ରଭାତୀ ମିଶ୍ର, ସହାକରୀ ପ୍ରଫେସର ବିଶ୍ୱଜିତ ମିଶ୍ର, ଡାକ୍ତର କିରଣ କୁମାର କର, ଡାକ୍ତର ଶୁଭାଶିଷ ପାତ୍ର, ଡାକ୍ତର ସନ୍ତୋଷ ମିଶ୍ର, ଡାକ୍ତର ସ୍ବଭାଗ୍ୟ ଦାସ ପ୍ରମୁଖ ସାମିଲ ଥିଲେ।
କାହ୍ନାକୁ ପ୍ରଥମେ ଅସ୍ତ୍ରୋପଚାର ଗୃହକୁ ନିଆଯିବା ପରେ ନିଶ୍ଚେତକ ଦିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ କାହ୍ନାର ମୁହଁର ଡାହାଣ ପାର୍ଶ୍ବରେ ବଢୁଥିବା କଳା ଲୋମ ଓ ମାଂସ ପିଣ୍ଡୁଳା ବାହାର କରିବାକୁ ଯୋଜନା ହୋଇଥିଲା। ସେହି ଅନୁସାରେ ଗାଲ, ଆଖି ପତାର ତଳ ଓ ଉପର ଏବଂ ବେକ ଉପରେ ଥିବା କଳା ଲୋମ ଓ ମାଂସ ପିଣ୍ଡୁଳା କାଟି ବାହାର କରାଯାଇଥିଲା। କଳା ଲୋମ ଓ ମାଂସ ବାହାର କରାଯାଇଥିବା ସ୍ଥାନକୁ ପୂରଣ କରିବାକୁ କାହ୍ନାର ବାମ ଓ ଡାହାଣ ଜଙ୍ଘରୁ ଚର୍ମ ବାହାର କରିବାକୁ ପଡ଼ିଥିଲା ବୋଲି ପ୍ରଫେସର ରାଜୁ ଦାସ କହିଥିଲେ। ୬ ଘଣ୍ଟାର ଏହି ଅସ୍ତ୍ରୋପଚାର ପାଇଁ ଡାକ୍ତରୀ ଦଳକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ବର୍ତ୍ତମାନ କାହ୍ନାକୁ ପିକୁ (ପେଡିଆଟ୍ରିକ୍‌ ଇଣ୍ଟେନସିଭ୍‌ କେୟାର ୟୁନିଟ)ରେ ଆଗାମୀ ୭ ଦିନ ପାଇଁ ରଖାଯିବ। ଯେହେତୁ ତା’ର ଶରୀରରେ ୪୦ ପ୍ରତିଶତ କଳାଲୋମ ରହିଛି ତେଣୁ ତିନି ମାସ ବ୍ୟବଧାନରେ ପର୍ଯ୍ୟାୟକ୍ରମେ ଅସ୍ତ୍ରୋପଚାର କରାଯିବ ବୋଲି ପ୍ରଫେସର ଦାସ ସୂଚନା ଦେଇଥିଲେ।
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଳକ ଗାୟଗଣ୍ଡା ପଞ୍ଚାୟତ ବାଘୁଆ ସାହିର ରାମଚନ୍ଦ୍ର ନାୟକଙ୍କ ୬ ବର୍ଷର ପୁଅ କାହ୍ନା ଜନ୍ମରୁ ହିଁ କଳା ଲୋମଯୁକ୍ତ ଥିଲେ। ଜନ୍ମର ଦୁଇଦିନ ପରେ ରାମଚନ୍ଦ୍ର ପୁଅ କାହ୍ନାକୁ ନେଇ ଏମକେସିଜି ମେଡିକାଲରେ ଦେଖାଇଥିଲେ। ହେଲେ କାହ୍ନା ବଡ଼ ହେବା ପରେ ହିଁ ତା’ର ଅସ୍ତ୍ରୋପଚାର ହୋଇ ପାରିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। କାହ୍ନା ବଡ ହେବା ପରେ ତାର ଶରୀରର ବିଭିନ୍ନ ସ୍ଥାନରେ କଳା ଲୋମ ସହ ମାଂସ ବଢିବାରେ ଲାଗିଥିଲା। ବିଶେଷ କରି ମୁହଁରେ କଳା ଲୋମ ଓ ମାଂସ ବଢୁଥିବାରୁ ତା’ର ଶରୀରର ଗଠନ ଅତି କଦର୍ଯ୍ୟ ହେବାକୁ ଲାଗିଥିଲା। ଏପଟେ ଅର୍ଥାଭାବରୁ କାହ୍ନାର ପରିବାର ଲୋକେ ତା’ର ଅସ୍ତ୍ରୋପଚାର କରାଇ ପାରୁନଥିଲେ। ଅନ୍ୟ ସାଧାରଣ ଶିଶୁଙ୍କ ଠାରୁ ଅଲଗା ଥିବାରୁ କାହ୍ନାକୁ ସାହିପଡ଼ିଶା ଲୋକେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। କାହ୍ନା ପାଠପଢା ମଧ୍ୟ ଆରମ୍ଭ କରି ପାରୁନଥିଲା।

Leave A Reply