ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମଲ ହସନ : ଦଳ ଚଳାଇବା ନେଇ ଲୋଡ଼ିଲେ ପରାମର୍ଶ

ଭୁବନେଶ୍ବର : ଅଭିନେତାରୁ ରାଜନେତା ବନିଥିବା ତାମିଲ୍ ସୁପର ଷ୍ଟାର କମଲ ହସନ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ନବୀନ ନିବାସ ଠାରେ ଉଭୟ ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ। ଏହି ସମୟରେ ଉଭୟ ରାଜନୈତିକ ଓ ଅଣରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ନୂଆକରି ରାଜନୀତିରେ ପାଦ ଦେଇଥିବା ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଅଭିନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଗୁରୁମନ୍ତ୍ର ଗ୍ରହଣ କରିଥିବା କୁହାଯାଉଛି। ଯଦିଓ ଏହା ଏକ ଅେନୗପଚାରିକ ସାକ୍ଷାତ ବୋଲି କୁହାଯାଉଛି, ତେବେ ରାଜନୈତିକ ଦୃଷ୍ଟିକୋଣରୁ ଏହା ଗୁରୁତ୍ବବହନ କରୁଛି।
ଗତବର୍ଷ ମାର୍ଚ୍ଚ ମାସରେ ମକ୍କଲ ନିଧି ମଇଅମ୍ (ଏମ୍‌ଏନ୍‌ଏମ୍‌) ଦଳ ଗଠନ କରିଥିବା ହସନ ଆସନ୍ତା କାଲି ସେଞ୍ଚୁରିଅନ୍ ୟୁନିଭର୍ସିଟିର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବର ଆସିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ହସନଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ କରିବେ। ଶ୍ରୀ ହସନଙ୍କ ସହିତ ସାକ୍ଷାତ ପରେ ଏ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କମଲ ହସନଙ୍କ ଭଳି ଜଣେ ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତାଙ୍କୁ ଭେଟି ସେ ଖୁବ୍ ଖୁସି। ସେ ଏକ ନୂଆ ରାଜନୈତିକ ଦଳ ଆରମ୍ଭ କରିଛନ୍ତି। ମୋ ସହିତ ସାକ୍ଷାତ କାଳରେ ସେ ତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀ ହସନ ସାମ୍ବାଦିକମାନଙ୍କୁ କହିଥିଲେ ଯେ ନବୀନବାବୁ ଜଣେ ଆଦର୍ଶ ତଥା ମହାନ ରାଜନେତା। ଦୀର୍ଘ ୨୦ବର୍ଷ ଧରି ସେ ଓଡ଼ିଶାରେ ଶାସନ କରୁଥିବାରୁ ତାଙ୍କଠାରୁ ବହୁତ କିଛି ଶିଖିବାର ଅଛି। ଜଣେ ଦକ୍ଷ ରାଜନେତା ଭାବେ ତାଙ୍କର ସାଧୁତା ଓ ସଚ୍ଚୋଟତା ମୋ ପାଇଁ ଶିକ୍ଷଣୀୟ। ମୁଁ ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିଥିବାରୁ ଏ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ମୋ ପାଇଁ ସହାୟକ ହେବ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ମୁଁ ତାଙ୍କୁ ଅନେକ ପ୍ରଶ୍ନ ପଚାରି ଥିଲି ଏବଂ ସେସବୁର ସେ ଯେଉଁ ଉତ୍ତର ଦେଇଥିଲେ ତାହା ମୋ ରାଜନୈତିକ ଭବିଷ୍ୟତ ପାଇଁ ବେଶ ଉପଯୋଗୀ ହେବ।
ବିଶେଷକରି ସଂଗଠନ, ଶୃଙ୍ଖଳା ଓ ସୁଶାସନ ସମ୍ପର୍କରେ ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି। ଭବିଷ୍ୟତ‌ରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ମୁଁ ତାମିଲନାଡ଼ୁର ବିକାଶ ପାଇଁ କାମ କରୁଛି। ରଜନୀକାନ୍ତଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ଉପରେ ଶ୍ରୀ ହସନ କହିଥିଲେ ଯେ ସେ ମଧ୍ୟ ମୋ ଭଳି ତାମିଲନାଡ଼ୁର ବିକାଶ ଦିଗରେ ଚିନ୍ତା କରୁଛନ୍ତି। ରାଜନୈତିକ ଦୃଷ୍ଟିରୁ ରଜନୀକାନ୍ତ ଏବଂ ମୁଁ ଭିନ୍ନ ଭିନ୍ନ ଦଳରେ ଥିଲେ ହେଁ ରାଜ୍ୟର ବିକାଶ ଆମର ଲକ୍ଷ୍ୟ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ଗତବର୍ଷ ଚେନ୍ନଇଠାରେ ଓଡ଼ିଶା ସରକାର ଆୟୋଜନ କରିଥିବା ନିବେଶକ ରୋଡ଼ ଶୋ କାର୍ଯ୍ୟକ୍ରମରେ ଶ୍ରୀ ହସନ୍ ନବୀନଙ୍କୁ ଭେଟି ତାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଥିଲେ।

Comments are closed.