ମୁଁ କଳ୍‍କୀଙ୍କ ଅବତାର, ଅଫିସ୍‍ ଯିବିନି

0

ଅହମ୍ମଦାବାଦ: ମୁଁ ବିଷ୍ଣୁଙ୍କ ଦଶମ ଅବତାର କଳ୍‍କୀ। ପୃଥିବୀ ପୃଷ୍ଠରେ ନୈତିକତାର ପୁନରୁଦ୍ଧାର କରିବାର ଭାର ନେଇଛି। ସେଥିପାଇଁ ମୁଁ ଅଫିସ୍‍ ଯାଇପାରିବି ନାହିଁ। ଏଭଳି ଏକ ଉଦ୍ଭଟ ଯୁକ୍ତି ଦର୍ଶାଇଛନ୍ତି ଗୁଜରାଟ୍‍ର ଜଣେ ଅଧୀକ୍ଷଣ ଯନ୍ତ୍ରୀ।
ରମେଶଚନ୍ଦ୍ର ଫେଫାର ନାମକ ଏହି ଯନ୍ତ୍ରୀ ତାଙ୍କର କାମକୁ ପ୍ରାୟଶ୍ଚିତ ଭାବେ ଦର୍ଶାଇବା ସହିତ କହିଛନ୍ତି ଯେ ତାଙ୍କ ଯୋଗୁଁ ଦେଶରେ ଗତ ୧୯ ବର୍ଷ ଧରି ବୃଷ୍ଟିପାତ ସ୍ୱାଭାବିକ ହେଉଛି। ତାଙ୍କ ଅବତାରୀ ଅଲୌକିକତାର ପ୍ରମାଣ ସେ ଆଗାମୀ ଦିନରେ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।
ଦୀର୍ଘ ଦିନ ଧରି ଛୁଟିରେ ଥିବାରୁ ରମେଶଚନ୍ଦ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଥିଲା। ଗତ ୮ ମାସ ମଧ୍ୟରେ ସେ ମାତ୍ର ୧୬ ଦିନ କାର୍ଯ୍ୟାଳୟକୁ ଯାଇଥିଲେ। ନୋଟିସ୍‍ର ଉତ୍ତରରେ ରମେଶ ଏଭଳି ଉଦ୍ଭଟ ଯୁକ୍ତି ଉଲ୍ଲେଖ କରିଛନ୍ତି।
ରାଜକୋଟର କଲଭାଡ୍‍ ରୋଡ୍‍ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଥିବା ରମେଶ ସାମ୍ବାଦିକଙ୍କୁ କହିଛନ୍ତି ଯେ ସେ ଅଫିସ୍‍ରେ କାମ କରୁଥିବା ବେଳେ ୨୦୧୦ ମାର୍ଚ୍ଚ ମାସରେ ତାଙ୍କର ଅବତାରୀ ଶକ୍ତି ସମ୍ପର୍କରେ ଜାଣିପାରିଥିଲେ। ଏଭଳି ସ୍ଥିତିରେ କାର୍ଯ୍ୟାଳୟରେ ରହି ଦେଶର କଲ୍ୟାଣ ପାଇଁ କାର୍ଯ୍ୟ ସମ୍ଭବ ନୁହେଁ। ତେଣୁ କାର୍ଯ୍ୟାଳୟ କର୍ତ୍ତୃପକ୍ଷ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଯେ ସେ କାର୍ଯ୍ୟାଳୟ ଆସିବା ଉଚିତ କି ନୁହେଁ। ଉଲ୍ଲେଖନୀୟ ହେଲା ରମେଶ ତାଙ୍କ ପତ୍ନୀ ଓ ପୁଅକୁ ଦୁଷ୍ଟଆତ୍ମା ବୋଲି କହିଥିବାରୁ ତାଙ୍କ ନାମରେ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ।

Leave A Reply