କାଳୀପୂଜା ପାଇଁ ବୀରଗୋବିନ୍ଦପୁର ଚଳଚଞ୍ଚଳ

ପୁରୀ: ପୁରୀଜିଲାର ତନ୍ତ୍ରପୀଠ ବୀରଗୋବିନ୍ଦ ପୁରରେ କାହିଁ କେଉଁ କାଳରୁ ମା ଦକ୍ଷିଣକାଳୀ ପୂଜିତା। ରବିବାର ମାଆଙ୍କ କାଳୀପୂଜା ଅନୁଷ୍ଠିତ ହେଉଛି। ଏହି ପୂଜାରେ ବର୍ଷକେ ଥରେ ମା ମୃଣ୍ମୟ ମୂର୍ତ୍ତିରେ ପୂଜା ପାଇଥାନ୍ତି। ମୃଣ୍ମୟ ଶିବଙ୍କ ଉପରେ ନୃତ୍ୟରତା ମାଆଙ୍କ ମୂର୍ତ୍ତି ଦେଖିବାକୁ ମିଳିଥାଏ। ଏହି ଅବସରରେ ବିଳମ୍ବିତ ରାତିରେ ଧୂପ ଦୀପ ଫୁଲ ଚନ୍ଦନ କର୍ପୂର ଝୁଣା ଆଦି ବିଭିନ୍ନ ସାମଗ୍ରୀରେ ମାଆଙ୍କର ଗୁପ୍ତ ପୂଜା କରାଯାଇଥାଏ। ଅଗାଧୁ ଦିକ୍ଷିତ ମାଆଙ୍କର ଏହି ପୂଜା କରିଥାନ୍ତି। ମାଆଙ୍କୁ ଉଖୁଡା ଭୋଗ କରାଯାଇଥାଏ। ଶେଷରେ ଶ୍ରୀଜଗନ୍ନାଥଙ୍କ ଶୁଖିଲି ଭୋଗ ବିରିପିଠା ମାଆଙ୍କୁ ସମର୍ପଣ କରାଯାଇ ବିସର୍ଜନ ମନ୍ତ୍ର ପାଠ କରାଯାଏ। ସୋମବାର ମାଆଙ୍କ ଭଷାଣିଯାତ୍ରା ଖୁବ ଜାକଜମକରେ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଶାନ୍ତିଶୃଙ୍ଖଳା ରଖିବାକୁ ଆରକ୍ଷୀ ବିଭାଗ ତରଫରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ମାଆଙ୍କ ମନ୍ଦିରକୁ ଫୁଲ ଓ ଆଲୋକ ସଜ୍ଜା ହୋଇଛି। ମା’ଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଦୁଇଦିନ ଧରି ଲାଗିରହିବ। କାଳୀପୂଜା ପାଇଁ ଗ୍ରାମଟି ଉତ୍ସବମୁଖର ହୋଇଉଠିଛି।

Comments are closed.