ଏଫଆଇଏଚ୍‍ ପ୍ରୋ-ହକି ଲିଗ୍‍ ଜାନୁଆରୀ ୧୧ରୁ : କଳିଙ୍ଗରେ ଭାରତ ଖେଳିବ ୮ ମ୍ୟାଚ୍; ଜାନୁଆରୀ ୧୮ରୁ ଆରମ୍ଭ

ଭୁବନେଶ୍ୱର : ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ପକ୍ଷରୁ ଏଫ୍‍ଆଇଏଚ୍‍ ହକି ପ୍ରୋ-ଲିଗ୍‍ ଜାନୁଆରୀ ୧୧ରୁ ଜୁନ୍‍ ୨୮ ପର୍ଯ୍ୟନ୍ତ ଖେଳାଯିବ। ପ୍ରତିଯୋଗିତାର ମୋଟ ୧୪୪ଟି ମ୍ୟାଚ ୧୧ଟି ଭେନ୍ୟୁରେ ଖେଳାଯିବ। ଭେନ୍ୟୁ ତାଲିକାରେ ଭାରତର ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଚୀନ, ଜର୍ମାନୀ, ଇଂଲଣ୍ଡ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ସ୍ପେନ, ଆମେରିକା ପ୍ରମୁଖ ସ୍ଥାନ ପାଇଛନ୍ତି। ଭାରତ ପ୍ରତିଯୋଗିତାରେ ମୋଟ ୧୬ଟି ଲିଗ୍‍ ମ୍ୟାଚ ବେଲଜିୟମ, ଅଷ୍ଟ୍ରେଲିଆ, ନେଦରଲାଣ୍ଡସ, ଜର୍ମାନୀ, ଆର୍ଜେଣ୍ଟିନା, ସ୍ପେନ୍‌, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସହିତ ଖେଳିବ। ପ୍ରତ୍ୟେକ ଦଳ ସହିତ ଭାରତ ୨ଟି ଲେଖାଏଁ ମ୍ୟଚ ଖେଳିବ। ଭାରତ ୧୬ଟି ମ୍ୟାଚରୁ ୮ଟି ମ୍ୟାଚ ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିବ।
ଭାରତ କଳିଙ୍ଗ ଷ୍ଟାଡ଼ିୟମରେ ମୋଟ ୮ଟି ମ୍ୟାଚ ଖେଳିବ। ଭାରତ କଳିଙ୍ଗ ଷ୍ଟାଡ଼ିୟମରେ ବେଲଜିୟମ, ନେଦରଲାଣ୍ଡସ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସହିତ ୨ଟି ଲେଖାଏଁ ମ୍ୟାଚ ଖେଳିବ। ଜାନୁଆରୀ ୧୮ ଓ ୧୯ରେ ନେଦରଲାଣ୍ଡସ ସହିତ, ଫେବୃଆରୀ ୮ ଓ ୯ରେ ବେଲଜିୟମ ସହିତ ଓ ୨୧ ଓ ୨୨ରେ ଅଷ୍ଟ୍ରେଲିଆ ସହିତ ଓ ମେ ୨୩ ଓ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବ। ସେହିପରି ଭାରତ ଅନ୍ୟ ୮ଟି ମ୍ୟାଚ ଏପ୍ରିଲ ୨୫ ଓ ୨୬ରେ ଜର୍ମାନୀରେ ଜର୍ମାନୀ ବିପକ୍ଷରେ, ମେ ୨ ଓ ୩ରେ ଇଂଲଣ୍ଡ ବିପକ୍ଷରେ, ଜୁନ୍‍ ୫ ଓ ୬ରେ ଆର୍ଜେଣ୍ଟିନା ସହିତ ଆର୍ଜେଣ୍ଟିନାରେ ଓ ଜୁନ୍‍ ୧୩ ଓ ୧୪ରେ ସ୍ପେନ ସହିତ ସ୍ପେନ୍‌ରେ ମ୍ୟାଚ ଖେଳିବ। କଳିଙ୍ଗ ଷ୍ଟାଡ଼ିୟମରେ ଚମ୍ପିଆନ୍‌ସ ଟ୍ରଫି ହକି, ହକି ବିଶ୍ୱ ଲିଗ୍‍ ଫାଇନାଲସ୍‍, ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍, ହକି ବିଶ୍ୱକପ୍‌ ଓ ଅଲିମ୍ପିକ୍‍ସ ଯୋଗ୍ୟତା ଭଳି ପ୍ରତିଯୋଗିତା ସଫଳତାର ସହିତ ଶେଷ ହୋଇଥିବାରୁ ହକି ଇଣ୍ଡିଆ କଳିଙ୍ଗ ଷ୍ଟାଡ଼ିୟମକୁ ଏଫ୍‍ଆଇଏଚ ହକି ପ୍ରୋ-ଲିଗ୍‍ ଲାଗି ଘରୋଇ ଭେନ୍ୟୁ ଭାବେ ଗ୍ରହଣ କରିଛି। ଫଳରେ ଓଡ଼ିଶା ହକିପ୍ରେମୀ ବିଶ୍ୱର ୧ ନମ୍ବର ଦଳ ବେଲଜିୟମ୍ ସହ ଅଷ୍ଟ୍ରେଲିଆ, ନେଦରଲାଣ୍ଡସ ଓ ନ୍ୟୁଜିଲାଣ୍ଡସ ଭଳି ବିଶ୍ୱ ହକିର ଶ୍ରେଷ୍ଠ ଦଳଙ୍କ ଖେଳ ଦେଖିବାର ସୁଯୋଗ ପାଇବେ।

Comments are closed.