ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ : ଗାନ୍ଧୀଙ୍କ ଭାରତ ବିଷୟରେ ଆଲୋଚନା

ଭୁବନେଶ୍ବର : କଳିଙ୍ଗ ସାହିତ୍ୟ ମହୋତ୍ସବ ୨୦୧୯ର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବର ପ୍ରଥମ ଦିବସରେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା କହିଥିଲେ େଯ ସମୟ ଆସିବ ଆମେ ଭାରତରେ ରୁଷ ଭଳି ଗୋଟିଏ ଗଣତନ୍ତ୍ର ଦେଖିବାକୁ ପାଇବୁ, ଯେଉଁଥିରେ ଅନେକ ଦଳ ଭାଗନେଲେ ମଧ୍ୟ ଗୋଟିଏ ଦଳ ଶାସନ କରିପାରିବ। ଗାନ୍ଧୀଙ୍କ ଭାରତ: ସତ୍ୟ, ଭାଇଚାରା ଓ ଅହିଂସା ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ କହିଥିଲେ, ଆଜି ଭିଡ଼ରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରାଗଲେ ଏହାକୁ ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଭଳିଆ ଭାବି ଭୁଲି ଯାଉଛୁ, କିନ୍ତୁ ଏହା ଆଗକୁ ଆମ ପାଇଁ ବିପଦ ଆଣିବ। ଅନ୍ୟତମ ଅତିଥି ଜନତା ଦଳ ୟୁନାଇଟେଡ଼ର ନେତା ପବନ କୁମାର ସିହ୍ନା, ଐତିହାସିକ ରାଜଶେଖର ଭୁନ୍ଦୃ ପ୍ରମୁଖ ଯୋଗଦେଇ ଗାନ୍ଧୀଙ୍କ ଭାରତ ସମ୍ପର୍କରେ ନିଜର ମତାମତ ରଖିଥିଲେ। ମହାତ୍ମାଗାନ୍ଧୀ ଓଡ଼ିଶାକୁ ପ୍ରାୟ ଆଠ ଥର ଆସିଥିଲେ ଓ ଏହି ସମୟରେ ତାଙ୍କୁ ପ୍ରବଳ ବିରୋଧ ସତ୍ତ୍ୱେ ଓଡ଼ିଶା ପ୍ରତି ତାଙ୍କର ଏକ ପ୍ରଗାଢ ସ୍ନେହ ଥିଲା ବୋଲି ଆଲୋଚନାଚକ୍ରରେ କହିଛନ୍ତି। ‘ଗାନ୍ଧୀ ଇନ୍‌ ଓଡ଼ିଶା’ ପୁସ୍ତକର ରଚୟିତା ସଂଗ୍ରାମ ଜେନା ଓଡ଼ିଶାରେ ଗାନ୍ଧୀ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ କହିଥିଲେ ଯେ, ଗାନ୍ଧିଜୀଙ୍କୁ ଓଡ଼ିଶାର ଅନେକ ସ୍ଥାନରେ ବିରୋଧ କରାଯାଇଥିଲା ଏହା ସତ, ତେବେ ଏସବୁ ସତ୍ତ୍ୱେ ସେ ଗୋପବନ୍ଧୁଙ୍କ ସେବାଭାବ ଓ ମଧୁସୂଦନ ଦାସଙ୍କ ଉଦ୍ୟୋଗ ପ୍ରତିଷ୍ଠା ଦେଖି ଅଭିଭୂତ ହେଇଥିଲେ। ଓଡ଼ିଶା ଗାନ୍ଧୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏପରିକି ଓଡ଼ିଶାର ଉତ୍କଟ ଦାରିଦ୍ର୍ୟ ଦେଖି ଗାନ୍ଧୀ ଲମ୍ବା ଲୁଗା ପରିତ୍ୟାଗ କରି ଆଣ୍ଠୁଲୁଚା କପଡ଼ା ପିନ୍ଧିବାକୁ ମନସ୍ଥ କରିଥିଲେ। ଓଡ଼ିଶାର ପ୍ରଗତିଶୀଳ ମହିଳାମାନେ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହେଇ ଗାନ୍ଧିବାଦୀ ମହିଳାବାଦର ପ୍ରଚଳନ କରିଥିଲେ ବୋଲି ଡ. ସଚ୍ଚିଦାନନ୍ଦ ମହାନ୍ତି କହିଥିଲେ। ‘ହିନ୍ଦୁତ୍ବ ଓ ଗାନ୍ଧୀ’ ଓ ‘ଗାନ୍ଧୀ ଓ ଓଡ଼ିଶା’ ଆଲୋଚନାଚକ୍ରରେ ଭାଗନେଇଥିଲେ ଇଣ୍ଡିଆ ଟୁଡେ ହିନ୍ଦୀର ସମ୍ପାଦକ ଅଂଶୁମାନ ତିୱାରୀ। ଏହି ଅବସରରେ ସାହିତ୍ୟ ଏବଂ ବୃତ୍ତି କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରେରଣାଦାୟକ ଅବଦାନ ନିମନ୍ତେ ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା, ପାରୋ ଆନନ୍ଦଙ୍କୁ ସମ୍ମାନଜନକ କଳିଙ୍ଗ ସାହିତ୍ୟ ପୁରସ୍କାର ୨୦୧୯ରେ ସମ୍ମାନିତ କରାଯାଇଥିଲା। କେଦାର ମିଶ୍ର କଳିଙ୍ଗ ସାହିତ୍ୟ ଯୁବ ପୁରସ୍କାର ୨୦୧୯ରେ ସମ୍ମାନିତ ହୋଇଥିଲେ। କେଏଲ୍ଏଫର ପ୍ରତିଷ୍ଠାତା ଏବଂ ନିର୍ଦେଶକ ରଶ୍ମିରଞ୍ଜନ ପରିଡ଼ା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ା ରାଜେଶ ମହାପାତ୍ର ଓ ବିଷ୍ଣୁ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.