ଶ୍ରୀକ୍ଷେତ୍ରରେ କାଳିଆ ଯୋଜନା ଶୁଭାରମ୍ଭ, ଆଜିଠାରୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ଟଙ୍କା

0

ପୁରୀ: ମାଳତିପାଟପୁରରେ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାର ଶୁଭାରମ୍ଭ  କରିଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । କାଳିଆ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚୟନ ହୋଇଥିବା ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜି ଟଙ୍କା ଆସିବ ବୋଲି ଘୋଷଣା ହୋଇଛି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ପହଞ୍ଚିବ । ପ୍ରତି ପଞ୍ଚାୟତ କାର୍ୟ୍ୟାଳୟରେ ଚୟନ ହୋଇଥିବା ଚାଷୀଙ୍କ ତାଲିକା ପ୍ରକାଶ ପାଇବ । ପଞ୍ଚାୟତକୁ ଯାଇ ଚାଷୀ ତାଲିକା ଦେଖିପାରିବେ, ଆବଶ୍ୟକ ପଡିଲେ ଏନେଇ ଚାଷୀ ଅଭିଯୋଗ ମଧ୍ୟ କରିପାରିବେ । ଆବେଦନ ସଂପୂର୍ଣ୍ଣ ହୋଇ ନଥିବାରୁ ପ୍ରଥମ ତାଲିକାରୁ ବାଦ ପଡିଥିବା ଚାଷୀ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫ ଲକ୍ଷ ଚାଷୀ କାଳିଆ ଯୋଜନାରେ ଆବେଦନ କରିଛନ୍ତି । ଏହି ଶୁଭାରମ୍ଭ ପୂର୍ବରୁ ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜିଉଙ୍କୁ ଦର୍ଶନ କରିଥିଲେ ।

Leave A Reply